‘ହିଟମ୍ୟାନ୍’ଙ୍କ ନୂଆ କୀର୍ତ୍ତିମାନ୍ । କୋହଲି, ଧୋନୀଙ୍କୁ ଟପିଲେ ରୋହିତ ।

645

କନକ ବ୍ୟୁରୋ : କାମଚଳା ଅଧିନାୟକ ‌ରୋହିତ ଶର୍ମା ରବିବାର ଭାରତ ପକ୍ଷରୁ ସର୍ବାଧିକ ‌ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ କରିଛନ୍ତି । ଏ କ୍ଷେତ୍ରରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପିଛନ୍ତି । ଧୋନି ୯୮ ଅନ୍ତର୍ଜାତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି । ତେବେ ବାଂଲାଦେଶ ବିପକ୍ଷ ତିନି ଟିକିଆ ଟ୍ୱେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳି ରୋହିତ ୯୯ ଟ୍ୱେଣ୍ଟି-୨୦ରେ ଭାରତର ପ୍ରତିନିଧିତ୍ବ କରିବାର ଗୌରବ ଅର୍ଜନ କରିଛନ୍ତି । ଏହା କରି ସେ ବିଶ୍ବର ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳିଥିବା ଖେଳାଳି ତାଲିକାରେ ପାକିସ୍ତାନର ସାହିଦ ଆଫ୍ରିଦି (୯୯)ଙ୍କ ସହ ଯୁଗ୍ମ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ‌ହୋଇଛନ୍ତି । ଏହି ତାଲିକାରେ ପାକିସ୍ତାନର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ (୧୧୧) ପ୍ରଥମ ସ୍ଥାନରେ ରହିଛନ୍ତି ।

ରୋହିତ ମଧ୍ୟ ଏହି ମ୍ୟାଚ୍ ଅବସରରେ ପୁଣି ଥରେ ଟ୍ୱେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି । ଏହି କ୍ରମରେ ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଅତିକ୍ରମ କରିଛନ୍ତି । କିଛି ଦିନ ତଳେ ରୋହିତଙ୍କୁ କୋହଲି ଟପିଥିଲା ବେଳେ ରୋହିତ ରବିବାର ତାଙ୍କଠାରୁ ଆଉ ଥରେ ସର୍ବାଧିକ ଟ୍ୱେଣ୍ଟି-୨୦ ରନ୍ ସଂଗ୍ରହକାରୀ ଉପାଧୀକୁ ଛଡ଼ାଇ ନେଇଛନ୍ତି । ରୋହିତ ଆଜି ମାତ୍ର ୯ ରନ୍‌ରେ ଆଉଟ୍ ହୋଇଯାଇଥିଲେ । ହେଲେ କୋହଲିଙ୍କୁ ପଛରେ ପକାଇବା ଲାଗି ତାଙ୍କୁ ମାତ୍ର ୭ ରନ୍‌ର ଦରକାର ଥିବାରୁ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ । କୋହଲି ୭୨ଟ୍ୱେଣ୍ଟି-୨୦ରୁ ୨୪୫୦ ରନ୍ କରିଥିଲା ବେଳେ ରୋହିତ ୯୯ ଟ୍ୱେଣ୍ଟି-୨୦ରୁ ୨୪୫୨ ରନ୍‌ରେ ପହଞ୍ଚିଛନ୍ତି ।