ରୋହିତ ପୂଜାରୀ ହେଲେ ସରକାରୀ ଉପ-ମୁଖ୍ୟ ସଚେତକ । ପ୍ରଣବଙ୍କ ବଦଳରେ ରେଢାଖୋଲ ବିଧାୟକଙ୍କୁ ମିଳିଲା ଦାୟିତ୍ୱ ।

ପଂଚମ ପାଳିକୁ କ୍ଷମତାକୁ ଆସିବା ପରେ ଉଭୟେ ରୋହିତ ପୂଜାରୀ ଓ ପ୍ରଣବ ବଳବନ୍ତରାୟ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିଲେ । ପ୍ରଣବଙ୍କୁ ସରକାରୀ ପଦ ପଦବୀ ମିଳିଥିବା ବେଳେ ରୋହିତ ବାଦ ପଡିଥିଲେ ।

509

କନକ ବ୍ୟୁରୋ: ପ୍ରଣବ ଗଲେ, ରୋହିତ ଆସିଲେ । ବିଧାନସଭାରେ ସରକାରୀ ଦଳର ଉପ – ମୁଖ୍ୟ ସଚେତକ ଭାବେ ଏଣିକି ଦାୟିତ୍ୱ ତୁଲାଇବେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ରୋହିତଙ୍କ ପୂର୍ବରୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏହି ଦାୟିତ୍ୱ ତୁଲାଉଥିଲେ ।

ସବୁଠାରୁ ବଡ଼ କଥା ହେଲା, ବିଜେଡି ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବା ପରେ ଗତ ଜୁନ୍ ୭ ତାରିଖରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବିଧାନସଭାରେ ସରକାରୀ ଦଳର ଉପ-ମୁଖ୍ୟ ସଚେତକ ଦାୟିତ୍ୱ ପ୍ରଦାନ କରିଥିଲେ ବିଜେଡି ସୁପ୍ରିମୋ । ହେଲେ ଠିକ୍ ୨ ମାସପରେ ପୁଣି ପ୍ରଣବଙ୍କ ସ୍ଥାନରେ ରୋହିତଙ୍କୁ ଏହି ଦାୟିତ୍ୱ ନ୍ୟସ୍ତ କରିଛନ୍ତି ନବୀନ । ତେବେ ହଠାତ ଏଭଳି ପରିବର୍ତ୍ତନ ପଛର କାରଣ କଣ, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ରୋହିତ ପୂଜାରୀ ଗତ ବିଧାନସଭାରେ ମଧ୍ୟ ସରକାରୀ ଦଳ ଉପ-ମୁଖ୍ୟସଚେତକ ଭାବେ ଦାୟିତ୍ୱ ତୁଲାଉଥିଲେ । ଚଳିତ ବିଧାନସଭାରେ ଯାଜପୁର ଜିଲ୍ଲାର ଦୁଇ ନେତାଙ୍କୁ ଉଭୟ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ-ମୁଖ୍ୟସଚେତକ ଦାୟିତ୍ୱ ମିଳିଥିଲା । ପ୍ରମିଳା ମଲ୍ଲିକ ଓ ପ୍ରଣବ ବଳବନ୍ତରାୟ ଯଥାକ୍ରମେ ଏହି ଦାୟିତ୍ୱ ତୁଲାଉଥିଲେ । ପଂଚମ ପାଳିକୁ କ୍ଷମତାକୁ ଆସିବା ପରେ ରୋହିତ ପୂଜାରୀ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିଲେ । ଅନୁମାନ କରାଯାଉଛି ବିଜେପୁର ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥାଇପାରେ ।

ଏନେଇ ରୋହିତ ପୂଜାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ଉପରେ ପୁଣି ବିଶ୍ୱାସ କରି ଏଭଳି ଗୁରୁଦାୟିତ୍ୱ ଦେଇଥିବାରୁ ମୋର କୃତଜ୍ଞତା ଜଣାଉଛି । ମୋତେ ଯେତେବେଳେ ଯେଉଁ ଦାୟିତ୍ୱ ଦେବେ ମୁଖ୍ୟମନ୍ତ୍ରୀ ତାହାକୁ ନିଷ୍ଠାର ସହ ତୁଲାଇବି । ଏହାସହ ବିଜେପୁର ଉପ-ନିର୍ବାଚନକୁ ନେଇ ମଧ୍ୟ ରୋହିତ୍ କହିଛନ୍ତି କି, ବିଜେପୁର ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ , ତେଣୁ ସେଠାରେ ବିଜେଡି ଯଥେଷ୍ଟ ପରିମାଣରେ ବିଜୟ ହାସଲ କରିବ । ପ୍ରାର୍ଥୀ ଚୟନ ଦଳର ସଭାପତି କରିବେ ।