ଗୌହାଟୀରେ ଧୂଆଁଧାର ବ୍ୟାଟିଂ ସହ ଅନେକ ରେକର୍ଡ ଭାଙ୍ଗିଲେ ରୋହିତ ! ସେପଟେ ବିରାଟଙ୍କ ବୟାନକୁ ନେଇ ଚର୍ଚ୍ଚା ।

47

କନକ ବ୍ୟୁରୋ : ଗୌହାଟୀ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇବା ସହ ଧୂଆଁଧାର ବ୍ୟାଟିଂ କରି ବିଶାଳ ଟାର୍ଗେଟକୁ ଅତି ସହଜ ଭାବେ ହାସଲ କରିନେଇଥିଲା ଭାରତ । ଆଉ ଏହି ମ୍ୟାଚରେ ଅଧିନାୟକ ବିରାଟ କୋହଲି ଓ ଓପନର ରୋହିତ ଶର୍ମାଙ୍କ ବ୍ୟାଟିଂର ମଧ୍ୟ ଦେଖିବାକୁ ମିଳିଥିଲା ଚମକ । ନିଜ ଦିନିକିଆ କ୍ୟାରିୟରର ୨୦ ତମ ଶତକ ହାସଲ କରିଥିବା ରୋହିତ ଶର୍ମା ଛକ୍କା ମାରିବାରେ କରିଛନ୍ତି ଅନେକ ରେକର୍ଡ । ଆଉ କୋହଲି ମଧ୍ୟ ନିଜ ୩୬ ତମ ଦିନିକିଆ ଶତକ କରି ଜବରଦସ୍ତ ଫର୍ମର ସୂଚନା ଦେଇଛନ୍ତି । ତେବେ ପ୍ରେଜେଂଟେସନ୍ ସେରିମନିରେ ଦେଇଥିବା ଏକ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି କୋହଲି । କହିଛନ୍ତି, ଆଉ ମାତ୍ର କିଛି ବର୍ଷ ସେ କ୍ରିକେଟର ମଜା ନେଇପାରିବେ ।

ଛକ୍କାରେ ରୋହିତଙ୍କ ବିରାଟ ରେକର୍ଡ । ଭାରତର ଛକ୍କା ମାଷ୍ଟର ରୋହିତ ଶର୍ମା ଗୌହାଟୀ ଦିନିକିଆରେ ଧୂଆଁଧାର ବ୍ୟାଟିଂ କରି ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଆଉ ରୋହିତ ଶର୍ମା । ଏହି ମ୍ୟାଚରେ ଦିନିକିଆ କ୍ୟାରିୟରର ୨୦ତମ ଶତକ ହାସଲ କରି ନିଜ ନାଁରେ ଅନେକ ରେକର୍ଡ ଯୋଡିଛନ୍ତି ରୋହିତ । ଓପନର ଭାବେ ସର୍ବାଧିକ ୧୬୮ ଛକ୍କା ମାରିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି ରୋହିତ ଶର୍ମା । ଏହା ସହ ଗୋଟିଏ ଦିନିକିଆ ଇନିଂସରେ ସର୍ବାଧିକ ୪ ଥର ୮ ଟି ଛକ୍କା ମାରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି ଏହି ଛକ୍କା ମାଷ୍ଟର ।

ଏଭଳି ରେକର୍ଡ କରିବାରେ ରୋହିତଙ୍କ ପଛକୁ ରହିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ୟୁସୁଫ୍ ପଠାନ୍ । ଉଭୟ କେବଳ ଦୁଇଥର ଏଭଳି କାରନାମା କରିଛନ୍ତି । ଖାଲି ସେତିକି ନୁହେଁ, ନିଜ ଦିନିକିଆ କ୍ୟାରିୟରରେ ସର୍ବାଧିକ ୬ ଥର ୧୫୦ ରନର ଇନିଂସ ଖେଳିବାରେ ମଧ୍ୟ ବିଶ୍ୱ ରେକର୍ଡ କରିଛନ୍ତି ରୋହିତ ଶର୍ମା । ଏହା ଦ୍ୱାରା ସେ ମହାନ୍ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡକୁ ଅତିକ୍ରମ କରିଯାଇଛନ୍ତି । ପୂର୍ବରୁ ଏହି ରେକର୍ଡ ସଚିନ୍ ଓ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣରଙ୍କ ନାଁରେ ଥିଲା । ତେବେ ଭାରତୀୟ ଖେଳାଳି ଭାବେ ଦିନିକିଆ କ୍ରିକେଟରେ ସର୍ବାଧିକ ଛକ୍କା ମାରିବାରେ ଧୋନି ଓ ସଚିନଙ୍କ ତଳକୁ ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା ।

ସେପଟେ ଗୌହାଟୀ ଦିନିକିଆରେ ନିଜ ଦିନିକିଆ କ୍ୟାରିୟରରେ ୩୬ ତମ ଶତକ ହାସଲ କରି ଜବରଦସ୍ତ ଫର୍ମର ସୂଚନା ଦେଇଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ହେଲେ ପ୍ରେଜେଂଟେସନ୍ ସେରିମନିରେ କୋହଲିଙ୍କ ବୟାନ କ୍ରିକେଟ୍ ପ୍ରେମୀଙ୍କୁ ଦେଇଛି ବଡ ଝଟକା । କ୍ରିକେଟର ମଜା ଉଠାଇବାକୁ ତାଙ୍କ ପାଖରେ ଆଉ ମାତ୍ର କିଛି ବର୍ଷ ରହିଛି ବୋଲି କହିଛନ୍ତି ଏହି ଭାରତୀୟ ତାରକା ।

ନଭେମ୍ବର ୫ ତାରିଖରେ ୩୦ ବର୍ଷରେ ପାଦ ଦେବାକୁ ଯାଉଥିବା ଭାରତୀୟ ତାରକା ବିରାଟ କୋହଲିଙ୍କ ଏପରି ବୟାନକୁ ନେଇ ଏବେ ଖାଲି କ୍ରିକେଟ୍ ସମୀକ୍ଷକ ନୁହଁନ୍ତି, ତାଙ୍କ ପ୍ରଶଂସକଙ୍କୁ ବି ଲାଗିଛି ଜୋରଦାର ଝଟକା । କାରଣ କ୍ରିକେଟରଙ୍କ ସନ୍ୟାସ ନେବା ହାରାହାରି ବୟସ ହେଉଛି ୩୫ ବର୍ଷ । ଏହା ସହ ଭାରତୀୟ କ୍ରିକେଟର ନିର୍ଭରଯୋଗ୍ୟ ଖେଳାଳି ବିରାଟ ଏବେ ବିଶ୍ୱ କ୍ରିକେଟର ଅନ୍ୟତମ ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ । ତେଣୁ ତାଙ୍କର ଏପରି ବୟାନକୁ ନେଇ କ୍ରିକେଟ୍ ପ୍ରେମୀ ହୋଇଛନ୍ତି ମର୍ମାହତ । ଗତବର୍ଷ ୨୯ ତମ ଜନ୍ମଦିନ ଅବସରରେ ବି ଏପରି କିଛି ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ କୋହଲି । ବ୍ରେକଫାଷ୍ଟ ୱିଥ୍ ଦ ଚାମ୍ପିୟନ୍ସ ସାକ୍ଷାତକାରରେ ବିରାଟ କହିଥିଲେ, କ୍ରିକେଟ୍ ପ୍ରତି ତାଙ୍କର ଜୁନୁନ୍ ଶେଷ ହୋଇଗଲେ ସେ ଅବସର ନେଇଯିବେ ।