ଟି-୨୦ କ୍ରିକେଟର ବାଦଶାହା ବନିଲେ ହିଟମ୍ୟାନ୍ । ଭାଙ୍ଗିଲେ ଗେଲଙ୍କ ବିଶ୍ୱରେକର୍ଡ, ଜାଣନ୍ତୁ ରୋହିତଙ୍କ ନାଁରେ ରହିଛି କେଉଁ ସବୁ ରେକର୍ଡ

586

ଟି-୨୦ କ୍ରିିକେଟର ବାଦଶାହ ବନିଲେ ହିଟମ୍ୟାନ୍ ରୋହିତ ଶର୍ମା । ସର୍ବାଧିକ ରନ୍, ସର୍ବାଧିକ ଛକା, ସର୍ବାଧିକ ଶତକ ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି ରୋହିତ । ଏହାପୂର୍ବରୁ ରୋହିତଙ୍କ ନାଁରେ ସର୍ବାଧିକ ରନ୍ ଓ ସର୍ବାଧିକ ଶତକ ମାରିବାର ରେକର୍ଡ ଥିବା ବେଳେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ରେ ସର୍ବାଧିକ ଛକା ମାରିବାର ରେକର୍ଡ ତାଲିକାରେ ଶୀର୍ଷରେ ପହଞ୍ଚିଛନ୍ତି ରୋହିତ । ଆଉ ଏହାସହ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି ହିଟମ୍ୟାନ୍ ।

ଟି-୨୦ କ୍ରିକେଟରେ ୯୬ଟି ମ୍ୟାଚରୁ ରୋହିତ ୧୦୭ ଛକା ମାରି ଶୀର୍ଷରେ ରହିଥିବା ବେଳେ ଗେଲ ୫୮ଟି ମ୍ୟାଚରୁ ୧୦୫ଟି ଛକା ମାରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହାସହ ଟି-୨୦ ଫର୍ମାଟରେ ସର୍ବାଧିକ ୪ଟି ଶତକ ମାରିଥିବା ବେଳେ ନ୍ୟୁଜିଲାଣ୍ଡର କୋଲିନ ମୁନରୋ ୩ଟି ଶତକ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ୬୭ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିବା ସହ ଟି-୨୦ ଫର୍ମାଟରେ ସର୍ବାଧିକ ୨୪୨୨ ରନ୍ କରିଛନ୍ତି ରୋହିତ । ସେହିଭଳି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୬୯ ମ୍ୟାଚରୁ ୨୩୧୦ ରନ୍ କରିବା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଏହି ଫର୍ମାଟରେ ଛକା ଓ ଚୌକାର ରେକର୍ଡ ମଧ୍ୟ ରୋହିତଙ୍କ ନାଁରେ ରହିଛି । ରୋହିତ ଟି-୨୦ କ୍ରିକେଟରେ ୨୧୫ ଚୌକା ଓ ୧୦୭ ଛକା ସହ ସର୍ବାଧିକ ବାଉଣ୍ଡରୀ ମାରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ହିଟମ୍ୟାନ୍ ।