ଦୁଃସାହସିକ ନାବାଳକ କିଶୋର! ସମୁଦ୍ର ପଥରେ ମିଆଁମାରରୁ ବାଂଲାଦେଶ ଯାତ୍ରା ! ପ୍ଲାଷ୍ଟିକ ଡ୍ରମ ଦେଲା ନୂଆ ଜୀବନ

20

ତେର ବର୍ଷିୟ ନାବାଳକର ସାହସିକ ପ୍ରଦର୍ଶନ । ପହଁରା ନଜାଣି ସମୁଦ୍ରର ଅତଳ ଜଳରାଶିରେ ହାରି ନଯାଇ ନିଜ ଜୀବନ ବଂଚାଇ ପାରିଛନ୍ତି । ରୋହିଙ୍ଗ୍ୟା ମୁସଲିମ କିଶୋର ନବୀ । ବୟସ ୧୩ । ତାଙ୍କୁ ପହଁରା ଜଣାନଥିଲା । ମିଆଁମାର ର ନିଜଗାଁ ଛାଡିବା ଆଗରୁ ସେ କେବେ ବି ସମୁଦ୍ର ଦେଖିନଥିଲେ । ସେ କିନ୍ତୁ ମିଆଁମାରରୁ ବାଂଲାଦେଶ ପର୍ଯ୍ୟନ୍ତ ସମୁଦ୍ରରେ ନିଜ ଯାତ୍ରା ଶେଷ କରିଛନ୍ତି ।

ସମୁଦ୍ରର ଉଚ୍ଚ ଲହଡିରେ ଡରି ନ ଯାଇ ଛୋଟିଆ ପ୍ଲାଷ୍ଟିକ ହଳଦିଆ ଡ୍ରମ ସାହାଯ୍ୟରେ ଅସଂଖ୍ୟ ଲହଡିର ସାମ୍ନା କରିଥିଲେ । ଅଢେଇ ମାଇଲ ଦୂର ସମୁଦ୍ର ପଥରେ ସେ କେବେ ବି ଡ୍ରମ ଉପରୁ ହାତ ଛାଡିନଥିଲେ । ତେଲ ଭର୍ତି ଡ୍ରମକୁ ଭିଡି ଧରିବା ସହ ଲହଡିର ଗତି ସହ ସେ ଆଗକୁ ମାଡିଚାଲିଥିଲେ ।

ସମୁଦ୍ରରେ ଯାତ୍ରା କରିବା ବେଳେ ସେ ଭାବିନଥିଲେ ବଂଚିବେ ବୋଲି । ଜୀବନର ଶେଷ ଦିନ ବୋଲି ଭାବିଥିଲେ କିଶୋର । କେବଳ ସାହସ ସହ ଜୋରରେ ଡ୍ରମକୁ ଧରିଥିଲେ । ଆଉ ଅଢେଇ ମାଇଲ ସମୁଦ୍ରରେ ଯିବା ପରେ ବାଂଲାଦେଶରେ ପହଂଚିଥିଲେ । ଅନେକ ଘାତ ପ୍ରତିଘାତ, ଅସଂଖ୍ୟ ଢେଉର ଭିଡ, ସାମୁଦ୍ରିକ ଜୀବଙ୍କ କବଳରୁ ନିଜକୁ ରକ୍ଷା କରିବା ସହ ପହଂଚିଥିଲେ ବାଂଲାଦେଶ ସୀମାରେ ।

ତାଙ୍କର ଚାଷୀ ପରିବାର । କିଶୋରଙ୍କ ବାପା ମିଆଁମାରର ପାହାଡିଆ ଅଂଚଳରେ ଅମୃତଭଣ୍ଡା ଚାଷ କରନ୍ତି । ନଅ ଜଣ ପିଲାଙ୍କ ମଧ୍ୟରୁ କିଶୋର ହେଉଛନ୍ତି ତୃତୀୟ ସନ୍ତାନ । ମିଆଁମାରରେ ହିଂସା ଯୋଗୁ ରୋହିଙ୍ଗ୍ୟା ମୁସଲିମମାନେ ନିଜ ଘର ଛାଡି ପଡୋଶୀ ବାଂଲାଦେଶ ଉପରେ ନିର୍ଭର କରୁଛନ୍ତି । ଏକ ସପ୍ତାହ ଭିତରେ ୩୦ ରୁ ଅଧିକ ପିଲା ତେଲ ଭର୍ତ୍ତି ଡ୍ରମ ଧରି ନାଫ ନଦୀ ପାର ହୋଇ ଶାହ ପୋରିଅର ଦ୍ୱୀପରେ ପହଂଚିଛନ୍ତି ।

ସୌଜନ୍ୟ: ଗାଓଁ କନେକସନ