ହକି ଇଣ୍ଡିଆର କଠୋର ନିଷ୍ପତ୍ତି: ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେଲେ ଅଲଟମ୍ୟାନ୍ସ

78

କନକ ବ୍ୟୁରୋ: ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ରୋଲାଣ୍ଟ୍ ଅଲଟମ୍ୟାନ୍ସଙ୍କୁ ଶନିବାର ହକି ଇଣ୍ଡିଆ ବହିଷ୍କାର କରିଛି । ଅଲଟମ୍ୟାନ୍ସଙ୍କ ଦୀର୍ଘମିଆଦି ପ୍ରକ୍ରିୟାରୁ ବିଶ୍ୱାସ ତୁଟାଇ ହକି ଇଣ୍ଡିଆ ଏଭଳି କଠୋର ନିଷ୍ପତ୍ତି ନେଇଛି । ତାଙ୍କ ବିକଳ୍ପ ଖୋଜା ପର୍ଯ୍ୟନ୍ତ ଉଚ୍ଚପ୍ରଦର୍ଶନ ନିର୍ଦ୍ଦେଶକ ଡେଭିଡ୍ ଜନଙ୍କୁ ଅନ୍ତରୀଣ ପ୍ରଶିକ୍ଷକ ଦାୟିତ୍ୱ ଦିଆଯାଇଛି । ନୂଆଦିଲ୍ଲୀରେ ଶନିବାର ଶେଷ ହୋଇଥିବା ହକି ଇଣ୍ଡିଆର ୩ ଦିନିଆ ଉଚ୍ଚ ପ୍ରଦର୍ଶନ ଓ ବିକାଶ ସମିତିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ନେଦରଲାଣ୍ଡରୁ ଆସିଥିବା ରୋଲାଣ୍ଟ ଅଲଟମ୍ୟାନ୍ସଙ୍କ ପ୍ରଦର୍ଶନରେ ହକି ଇଣ୍ଡିଆ ସମିତି ସନ୍ତୁଷ୍ଟ ନ ଥିବା ପ୍ରକାଶ କରିଥିଲା । ଅଲଟମ୍ୟାନ୍ସଙ୍କ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ଅବଧିରେ ଦଳର ସାମଗ୍ରିକ ଶାରୀରିକ ଦକ୍ଷତାରେ ଉନ୍ନତି ଘଟିଥିଲେ ମଧ୍ୟ ଫଳାଫଳ ଦୃଷ୍ଟିରୁ ଏହା ଅସ୍ଥିର ଥିଲା ବୋଲି ସମିତି ନିର୍ୟାସରେ ପାଇଥିଲା । ହକି ଇଣ୍ଡିଆର ଚୟନ ସମିତି ମୁଖ୍ୟ ହରବିନ୍ଦର ସିଂହ କହିଥିଲେ, ୨୦୧୬ ଏବଂ ୨୦୧୭ରେ ଭାରତୀୟ ପୁରୁଷ ଦଳର ପ୍ରଦର୍ଶନ ସନ୍ତୋଷଜନକ ନଥିଲା । ଏସିଆରେ ଦଳର ବିଜୟକୁ ମାପକାଠି କରାଯାଇ ପାରିବନାହିଁ । ପ୍ରମୁଖ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦଳର ପ୍ରଦର୍ଶନକୁ ଆଗକୁ ନେବାର ଅଛି । ବିଗତ ଦୁଇ ବର୍ଷରେ ଦଳକୁ କାଁ ଭାଁ ସଫଳତା ମିଳିଥିଲା । ବାସ୍ତବ ଫଳାଫଳ ତଥା ଭାରତରେ ହକିର ଭବିଷ୍ୟତ ଦୃଷ୍ଟିରୁ ଆମକୁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ହରବିନ୍ଦର ପ୍ରକାଶ କରିଥିଲେ । ବର୍ତ୍ତମାନର ପ୍ରଶିକ୍ଷଣ ପଦ୍ଧତି ଅନୁସାରେ କେବଳ ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ଫଳାଫଳ ମିଳୁଛି । ପରିବର୍ତ୍ତନ ସବୁବେଳେ ସହଜ ହୋଇ ନ ଥାଏ, କିନ୍ତୁ ସମିତି ଏଭଳି ସର୍ବସମ୍ମତିରେ ପହଞ୍ଚିଥିଲା । ୨୦୧୮ ମସିହାର ଏସୀୟ କ୍ରୀଡ଼ା, ବିଶ୍ୱକପ୍ ଏବଂ ୨୦୨୦ ଅଲିମ୍ପିକ୍ସ ଦୃଷ୍ଟିରୁ ଆମକୁ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱୀ ହେବା ଲକ୍ଷ୍ୟରେ କିଛି ନିଷ୍ପତ୍ତି ନେବାର ଆବଶ୍ୟକତା ଥିଲା ବୋଲି ସେ ପ୍ରକାଶ କରିଥିଲେ ।

ଅନ୍ୟପକ୍ଷରେ ଅଲଟମ୍ୟାନ୍ସଙ୍କ ବଦଳରେ ଅନ୍ତରୀଣ ପ୍ରଶିକ୍ଷକ ନିଯୁକ୍ତ ଡେଭିଡ୍ ଜନଙ୍କ ପାଇଁ ଏବେ ଦୁଇ ଦୁଇଟି ଦାୟିତ୍ୱ ତୁଲାଇବା କାଠିକର ପାଠ ହେବ । ଗତବର୍ଷ ସେ ହକି ଇଣ୍ଡିଆ ଉଚ୍ଚ ପ୍ରଦର୍ଶନ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ । ଏଥି ସହିତ ଏବେ ଅନ୍ତରୀଣ ପ୍ରଶିକ୍ଷକ ଦାୟିତ୍ୱ ମଧ୍ୟ ତୁଲାଇବେ । ଭାରତୀୟ ଦଳର ପ୍ରଦର୍ଶନ ଅସଙ୍ଗତିପୂର୍ଣ୍ଣ ଥିବାରୁ ଏହି ଅଷ୍ଟ୍ରେଲୀୟ ଅଭିଜ୍ଞଙ୍କ ପାଇଁ ତାକୁ ସଜାଡ଼ିବା ଏତେ ସହଜ ହେବ ନାହିଁ। ହକି ଇଣ୍ଡିଆର ଧୈର୍ଯ୍ୟହରା ଚରିତ୍ର ମଧ୍ୟ ଆଉ ଏକ ଉଦାହରଣ ଛାଡ଼ିଛି । ବିଗତ ୧୦ ବର୍ଷ ଭିତରେ ୬ ଜଣ ବିଦେଶୀ ପ୍ରଶିକ୍ଷକ ଓ ଦଳୀୟ ନିର୍ଦେଶକଙ୍କୁ ବହିଷ୍କାର କରିଛି ହକି ଇଣ୍ଡିଆ । ଏହି ତାଲିକାରେ ଟେରି ଓ୍ଵାଲ୍ସ, ରିକ୍ ଚାର୍ଲସଓ୍ଵର୍ଥ, ମାଇକେଲ୍ ନବ୍ସ, ଜୋସ୍ ବ୍ରାସା ଏବଂ ପଲ୍ ଭାନ୍ ଆସଙ୍କ ନାମ ରହିଛି । ସୂଚନାଯୋଗ୍ୟ, ୨୦୧୩ ଜାନୁଆରିରେ ଅଲଟମ୍ୟାନ୍ସ ଦଳର ଉଚ୍ଚ ପ୍ରଦର୍ଶନ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିବା ବେଳେ ୨୦୧୫ ମସିହାରେ ପଲ୍ ଭାନ୍ ଆସଙ୍କଠାରୁ ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ ।

ଅଲଟମ୍ୟାନ୍ସ ତାଙ୍କ ଦୀର୍ଘମିଆଦି ଯୋଜନାର ଏକାଧିକ ଉପସ୍ଥାପନ କରିଥିଲେ । କିନ୍ତୁ ଆମକୁ ସ୍ୱଳ୍ପମିଆଦୀ ସଫଳତାର ଆବଶ୍ୟକତା ରହିଛି । ୨୦୧୨ ମସିହାରୁ ଆମେ ଏକ ଆଭ୍ୟନ୍ତରୀଣ ତଥା ସମ୍ଭାବ୍ୟ ଖେଳାଳି ଗୋଷ୍ଠୀ ରଖିଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ସେଭଳି ପ୍ରଦର୍ଶନ କରି ପାରି ନାହୁଁ ବୋଲି କହିଛନ୍ତି ଡେଭିଡ୍ ଜନ୍ । ଆମକୁ ସ୍ଥିର ଓ ସଂଗତିପୂର୍ଣ୍ଣ ପ୍ରଦର୍ଶନ ଆବଶ୍ୟକ । ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଶୀର୍ଷ ୩ ଭିତରେ ରହିବା ଆମକୁ ଦରକାର । ଏସିଆ କପ୍, ହକି ବିଶ୍ୱ ଲିଗ୍ ଫାଇନାଲସ ଏବଂ ଏସୀୟ କ୍ରୀଡ଼ାରେ ଆମକୁ ବିଜେତା ହେବା ଆବଶ୍ୟକ । ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ହକି ବିଶ୍ୱକପ୍ ଏବଂ ୨୦୨୦ ଅଲିମ୍ପିକ୍ସରେ ଆମକୁ ପଦକ ଆବଶ୍ୟକ ବୋଲି ଜନ୍ କହିଛନ୍ତି । ଅଲଟମ୍ୟାନ୍ସଙ୍କ ଉପସ୍ଥାପନା ସତ୍ତ୍ୱେ ସମିତି ନୂଆ ଦିଶାରେ ଯିବାକୁ ଚାହିଁବାରୁ ଏବେ ତାଙ୍କ ଅଧିନରେ ନ ରହିବାକୁ ପସନ୍ଦ କରିଛି । ଅନ୍ୟପକ୍ଷରେ ୨୦୧୨ ମସିହାରୁ ଭାରତୀୟ ଦଳ ସହିତ ଜଡ଼ିତ ଥିବା ଡେଭିଡ୍ ଜନ୍ ପ୍ରଥମେ ମନସ୍ତତ୍ୱବିତ୍ ଭାବେ କାମ ଆରମ୍ଭ କରିଥିଲେ ।

ଅଲଟମ୍ୟାନ୍ସଙ୍କ ଅଧିନରେ ପ୍ରମୁଖ ସଫଳତା ଭାବେ ଗତବର୍ଷ ଭାରତ ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ପଦକ ଜିତିଥିବା ବେଳେ ତାଙ୍କ ତତ୍ୱାବଧାନରେ କନିଷ୍ଠ ଦଳ ବିଶ୍ୱକପ୍ ହାସଲ କରିଥିଲା । ଭାରତର ମାନ୍ୟତା ମଧ୍ୟ ତାଙ୍କ ସମୟରେ ୧୧ରୁ ୬ରେ ପହଞ୍ଚିଥିଲା । କିନ୍ତୁ ଚଳିତବର୍ଷ ନିମ୍ନମାନ୍ୟତା ଦଳଠାରୁ ହାରିବା ତାଙ୍କ ବିପକ୍ଷରେ ଯାଇଥିଲା । ସୁଲତାନ ଆଜଲାନ୍ ସାହା କପ୍ ଏବଂ ବିଶ୍ୱ ହକି ଲିଗ୍ ସେମିଫାଇନାଲ୍ସରେ ମାଲେସିଆ ଓ କାନାଡ଼ା ଭଳି ଦଳଠାରୁ ହାରିଯାଇଥିଲା ।

‘ଭାରତରେ ସମସ୍ତେ ରାତାରାତି ସଫଳତା ଖୋଜନ୍ତି’

ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ବିତାଡ଼ିତ ହେବା ପରେ ରୋଲାଣ୍ଟ୍ ଅଲଟସମ୍ୟାନ୍ସ ବିସ୍ମିତ ହୋଇଛନ୍ତି । ‘ମୁଁ ଏଭଳି ନିଷ୍ପତ୍ତି ଆଶା କରି ନ ଥିଲି । କିନ୍ତୁ ହକି ଇଣ୍ଡିଆ ନୂଆ ଦିଶାରେ ଯିବାକୁ ମୁଁ ସ୍ୱାଗତ କରୁଛି । ମୁଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଉଛି ଏବଂ ଅଗ୍ରଗତି ଆଶା କରୁଛି ବୋଲି କହିଛନ୍ତି ଅଲଟମ୍ୟାନସ। ମୁଁ ସର୍ବଦା ବିତାଡ଼ିତ ହେବା ପାଇଁ ପ୍ରସ୍ତୁତ ଥିଲି ବୋଲି ସାଢ଼େ ୪ ବର୍ଷର ସଫଳ ଯାତ୍ରା ପରେ କହିଛନ୍ତି ଏହି ନେଦରଲାଣ୍ଡ୍ ନିବାସୀ । ଭାରତରେ ଜାତୀୟ ସଂଘ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ମତଭେଦ ରହୁଥିବାରୁ ଏଠି କାମ କରିବା କଷ୍ଟକର । ଆମେ ସବୁ ବିଦେଶୀ ପ୍ରଶିକ୍ଷକ ଭାବେ ଜାଣିଛୁ, ଭାରତରେ କାମ କରିବା ଏତେ ସହଜ ନୁହେଁ । ବିଶେଷ କରି କ୍ରୀଡ଼ା କ୍ଷେତ୍ରରେ ଏକାଧିକ ପ୍ରସଙ୍ଗ ରହୁଥିବାରୁ ବିତାଡ଼ିତ ହେବା ଆଶଙ୍କା ଥାଏ ।

ମୁଁ ଆଦୌ ଅନୁତପ୍ତ ନୁହେଁ, ଏଭଳି ପରିସ୍ଥିତି ପାଇଁ ସର୍ବଦା ପ୍ରସ୍ତୁତ ଥିଲି । ସାଢ଼େ ୪ ବର୍ଷ କାମ କରିବା ପରେ ମୁଁ ନିଶ୍ଚିତ କିଛି ଉତ୍ତର ଦାନ ଛାଡ଼ିଯାଉଛି । ଆଶା କରୁଛି ଭାରତୀୟ ଦଳ ଯେଭଳି ଉନ୍ନତି କରୁଥିଲା ତାକୁ ଭବିଷ୍ୟତରେ ଜାରି ରଖିବ । ଭାରତୀୟ ଦଳର ଅତୀତ ଗୌରବକୁ ଫେରାଇ ଆଣିବା ଲାଗି ମୁଁ ଦୀର୍ଘମିଆଦି ଖସଡ଼ା ପ୍ରସ୍ତୁତ କରିଥିଲି । ପ୍ରଥମ ଦିନରୁ ମୁଁ କହିଥିଲି, ଶୀର୍ଷ ୩ ଭିତରେ ପହଞ୍ଚିବା ଲାଗି ୬ ବର୍ଷ ଆବଶ୍ୟକ । କିନ୍ତୁ ଭାରତରେ ଏସବୁ ଭିନ୍ନ । ସେମାନେ ରାତାରାତି ଫଳାଫଳ ଖୋଜୁଛନ୍ତି । ଖରାପ ପ୍ରଦର୍ଶନ ପରେ ଦଳ ଗଢ଼ିବାକୁ ପଡ଼େ । ସମସ୍ତେ କିନ୍ତୁ ପ୍ରଶଂସକଙ୍କ ଭଳି ଚିନ୍ତା କରୁଛନ୍ତି ।

ଟୁର୍ଣ୍ଣାମେଣ୍ଟ୍ ଜିତିବା ସେମାନଙ୍କ ପାଇଁ ବଡ଼ କଥା । ତଥାପି ଏଠାକାର କତ୍ତୃପକ୍ଷଙ୍କ ସହିତ ମୁଁ ଭଲ ସମୟ ବିତାଇଛି । ତଥାପି ହକି ଇଣ୍ଡିଆ ନିଷ୍ପତ୍ତି ଭାରତୀୟ ହକିର ସ୍ୱାର୍ଥ ପାଇଁ ଠିକ୍ ନୁହେଁ ବୋଲି କହିଥିଲେ ଅଲଟମ୍ୟାନ୍ସ । ନିଷ୍ପତ୍ତି ନେବାର ଏହା ଉପଯୁକ୍ତ ସମୟ ନୁହେଁ । ଆମେ ୨୦୧୭ ମସିହାର ଏସିଆ କପ୍ ଏବଂ ବିଶ୍ୱ ହକି ଲିଗ୍ ଫାଇନାଲ୍ସ ପାଇଁ ଯୋଜନା କରୁଥିଲୁ । ତଥାପି ଭାରତୀୟ ହକିକୁ ଭବିଷ୍ୟତରେ ବଢ଼ିବା ଲାଗି ମୁଁ ଏକ ଧାରା ଛାଡ଼ି ଦେଇଛି ବୋଲି ଅଲଟମ୍ୟାନ୍ସ ଦାବି କରିଛନ୍ତି । ନୂଆ ପ୍ରଶିକ୍ଷକ ଏହି ଧାରାକୁ କିଭଳି ନେବେ ମୁଁ କହି ପାରିବି ନାହିଁ । କିନ୍ତୁ ମୁଁ ୧୦୦ ପ୍ରତିଶତ ନିଶ୍ଚିତ ଦଳ ଠିକଣା ଦିଶାରେ ରହିଛି । ଏସିଆ କପ୍, ହକି ଲିଗ୍ ଫାଇନାଲ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ନିଶ୍ଚିତ ଆମକୁ ପଦକ ଆସିବ ।