ପୁଣି ତେଜିଲା ବିବାଦ ! ବାଗଦାଦରେ ଥିବା ଆମେରିକୀୟ ଦୂତାବାସ ନିକଟରେ ହେଲା ରକେଟ୍‌ ମାଡ଼ ।

271

କନକ ବ୍ୟୁରୋ : ଆଜି ଇରାକ୍‌ର ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୂତାବାସ ନିକଟରେ ଏକାଧିକ ରକେଟ୍‌ ମାଡ଼ ହୋଇଛି । ଏହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ବିରୋଧରେ ୧୯ତମ ଆକ୍ରମଣ । ଗତ ଅକ୍ଟୋବର ମାସ ଠାରୁ ଏଭଳି ଆକ୍ରମଣ ହେଉଥିବା କଥା ଆମେରିକୀୟ ସେନାବାହିନୀ ସୂତ୍ରରୁ ଜଣାପଡ଼ିଛି । ଏଥିରେ କେହି ମୃତାହତ ହୋଇଥିବା କଥା ଆମେରିକା ଜଣାଇ ନାହିଁ । ରକେଟ୍‌ ମାଡ଼ ହୋଇଥିବା କ୍ଷୟକ୍ଷତି ବିଷୟରେ ମଧ୍ୟ ଆମେରିକୀୟ ସରକାରୀ କର୍ତ୍ତୃପକ୍ଷ କିଛି କହିନାହାନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ପାଖରେ ଥିବା ସାମରିକ ବେସ୍‌ରେ ଇରାନ୍‌ ସମର୍ଥିତ ଆତଙ୍କବାଦୀମାନେ ରକେଟ୍‌ ମାଡ଼ କରନ୍ତି ବୋଲି ପୂର୍ବରୁ ଓ୍ଵାସିଂଟନ୍‌ ଅଭିଯୋଗ କରି ଆସୁଛି । ଫେବ୍ରୁଆରି ୧୩ ତାରିଖ ଦିନ ଇରାନ୍‌ ଆମେରିକାକୁ ଏକ ଚେତାବନୀ ମଧ୍ୟ ଦେଇଥିଲା । ଇରାନ୍‌ କହିଥିଲା ଯେ ଆମେରିକା ଓ ଇସ୍ରାଏଲ୍‌ ଯଦି କିଛି ଭୁଲ୍‌ କରନ୍ତି ତାଙ୍କ ଉପରେ ରକେଟ୍‌ ମାଡ଼ ହେବ । ଇରାନ୍‌ର ଜେନେରାଲ୍‌ କାସିମ୍‌ ସୁଲେମାନିଙ୍କ ମୃତ୍ୟୁର ୪୦ ଦିନ ପାଳନ ଅବସରରେ ମେଜର୍‌ ଜେନେରାଲ୍‌ ହୁସେନ୍‌ ସଲାମି ଏହି ଚେତାବନୀ ଦେଇଥିଲେ । ‘କୁଦ୍‌ସ୍‌ ଫୋର୍ସ’ର ମୁଖ୍ୟ ସୁଲେମାନିଙ୍କୁ ଜାନୁଆରି ୩ ତାରିଖ ଦିନ ଆମେରିକା ଡ୍ରୋନ୍‌ ଯୋଗେ ଆକ୍ରମଣ କରି ହତ୍ୟା କରିଥିଲା ।