ରାଜନୀତିକୁ ଓହ୍ଲାଇପାରନ୍ତି ରବର୍ଟ ଭଦ୍ରା ! ୟୁପିରେ ପୋଷ୍ଟର ଲାଗିବା ପରେ ଜୋର ଧରିଲା ଚର୍ଚ୍ଚା, ବିଜେପି କହିଲା, ସର୍କସରେ ଜୋକରଙ୍କ ଏଂଟ୍ରି ।

73

କନକ ବ୍ୟୁରୋ : ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା, ରାଜନୀତିକୁ ଆସିବେ କି । ଗତ କିଛି ଦିନ ହେଲା ଲାଗିରହିଛି କିଛି ଏପରି ଚର୍ଚ୍ଚା । ପ୍ରଥମେ ସୋସିଆଲ ମିଡିଆରେ ସେ ରାଜନୀତିରେ ପ୍ରବେଶ କରିବା ନେଇ ନିଜ ଇଚ୍ଛା ଜାହିର କରିବା ପରେ ଉତ୍ତରପ୍ରଦେଶ ମୁରାଦାବାଦରେ ରବର୍ଟ ଭଦ୍ରାଙ୍କ ଲାଗିଥିବା ପୋଷ୍ଟରକୁ ନେଇ ପଲିଟିକ୍ସ ଜୋର ଧରିଛି ।

ରାଜନୀତିକୁ ଆସିବେ କି ରବର୍ଟ ଭଦ୍ରା? ଉତ୍ତରପ୍ରଦେଶରେ ଲାଗିଲା ଭଦ୍ରାଙ୍କ ପୋଷ୍ଟର । ପ୍ରିୟଙ୍କା ଗାନ୍ଧୀଙ୍କ ପରେ ସ୍ୱାମୀ ରବର୍ଟ ଭଦ୍ରା ରାଜନୀତିରେ ସାମିଲ ହେବା ନେଇ ବଢିଲା ଚର୍ଚ୍ଚା  । ସୋସିଆଲ ମିଡିଆରେ ପୋଷ୍ଟ କରି ରବର୍ଟ ରାଜନୀତିରେ ଆସିବା ଇଚ୍ଛା ଜାହିର କରିବା ପରେ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ତାଙ୍କ ପୋଷ୍ଟର । ଏହାରି ମଧ୍ୟରେ ପୁଣି ଥରେ ସେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜନୀତିରେ ଆସିବା ଦିଗରେ ସେ ଆଗାମୀ ଦିନରେ କାମ କରିବେ ।

ଭଦ୍ରା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ବିସ୍ତୃତ ଭାବେ ଲେଖିଥିଲେ ଯେ, ଉତ୍ତରପ୍ରଦେଶରେ ଦୀର୍ଘଦିନ ଧରି ନିର୍ବାଚନ ପ୍ରଚାର କରିଛି । ତେଣୁ ଦୀର୍ଘଦିନର ଅଭିଜ୍ଞତା ଓ ଲୋକପ୍ରିୟତାକୁ ନଷ୍ଟ ହେବାକୁ ଦେବିନାହିଁ । ମୋ ବିରୋଧରେ ଉଠିଥିବା ଅଭିଯୋଗରୁ ମୁକ୍ତ ହେବା ପରେ ଲୋକଙ୍କ ବୃହତର ସେବା ପାଇଁ ନିଜକୁ ଉତ୍ସର୍ଗ କରିବି । ଏହାପରେ ଭଦ୍ରା ଲୋକସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଉଠିଛି । ରବର୍ଟଙ୍କୁ ରାଜନୀତିକୁ ଆଣିବା ଦାବିରେ ଉତ୍ତରପ୍ରଦେଶର ମୋରଦାବାଦରେ ଲାଗିଛି ପୋଷ୍ଟର । ସେପଟେ ଏହା ତାଙ୍କର ନିଜ ମତ ବୋଲି କହିଛି କଂଗ୍ରେସ ।

ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭଦ୍ରା କହିଛନ୍ତି ଯେ, ମୋ ଉପରେ ଲାଗିଥିବା ଅଭିଯୁକ୍ତରୁ ପ୍ରଥମେ ମୁକ୍ତ ହେବାକୁ ଚାହୁଁଛି । ତେବେ ରାଜନୀତିରେ ପ୍ରବେଶ କରିବା ଦିଗରେ ଶୀଘ୍ର କାମ ଆରମ୍ଭ କରିବି । ସେପଟେ ଭଦ୍ରା ରାଜନୀତିରେ ସାମିଲ ହେବା ପ୍ରସଙ୍ଗରେ ଭଦ୍ରା ଓ କଂଗ୍ରେସକୁ ସମାଲୋଚନା କରିଛି ବିଜେପି  । ଭଦ୍ରା କଂଗ୍ରେସରେ ସାମିଲ ହେଲେ ପୁଣି ଥରେ ସ୍ପଷ୍ଟ ହୋଇଯିବ ଯେ କଂଗ୍ରେସ ଦଳରେ କେବଳ ପରିବାରବାଦ ରାଜନୀତି ଚାଲିଛି ବୋଲି ବିଜେପି କହିଛି । ଗତ ଜାନୁୟାରୀ ୨୩ତାରିଖରେ ସକ୍ରୀୟ ରାଜନୀତିରେ ଯୋଗ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ  । ତାଙ୍କୁ ଉତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ଏବେ ପୁଣି ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ରାଜନୀତିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।