ମାଡି ଆସୁଛି ରୁଆନୁ : ୧୨ଟି ଜିଲ୍ଲାରେ ବାତ୍ୟା ଆଲର୍ଟ ଜାରି କଲେ ସରକାର

44

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୧୨ଟି ଜିଲ୍ଲାରେ ବାତ୍ୟା ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର । ଅବଶ୍ୟ ଏହି ‘ରୁଆନୁ’ ଝଡ ଓଡିଶାରେ ବଡ କ୍ଷତି ଘଟାଇବାର ଆଶଙ୍କା ନାହିଁ । କିନ୍ତୁ ଆଜି ମଧ୍ୟରାତି ସୁଦ୍ଧା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାକୁ ଥିବା ଝଡର ପ୍ରଭାବକୁ ନେଇ ଚିନ୍ତା ରହିଛି । ମଧ୍ୟ ରାତ୍ରି ପରେ ଓଡିଶା ଉପକୂଳରେ ପବନର ଗତି ବଢିଯିବ । ଆସନ୍ତାକାଲି ରାତିରେ ଏହା ଓଡିଶା ଉପକୂଳ ସହ ସମାନ୍ତରାଳ ଭାବେ ଉତର ପୂର୍ବ ଦିଗରେ ଗତିକରିବ । ବାତ୍ୟା ‘ରୁଆନୁ’ର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଛି ।

ସେପଟେ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ମହଜୁଦ୍ ରଖିବା ସହ ସରକାରୀ କର୍ମଚାରୀଙ୍କୁ ଛୁଟିରେ ନଯିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ସେହିପରି ସ୍ଥିତିର ମୁକାବିଲା ପାଇଁ ଉପକୂଳବର୍ତି ଜିଲ୍ଲାମାନଙ୍କରେ ୨୪ ଘଂଟିଆ କଂଟ୍ରୋଲ୍ ରୁମ୍ ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି । ଏହା ସହ ଆଜି ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ତେବେ ବାତ୍ୟାକୁ ନେଇ ବେଶ ଆତଙ୍କିତ ଅଛନ୍ତି ଉପକୂଳ ଜିଲ୍ଲାର ଲୋକେ ।