ଘଂଟା ପ୍ରତି ୧୫ କିଲୋମିଟର ବେଗରେ ଆସୁଛି ରୁଆନୁ : ଗୋପାଳପୁରରୁ ୧୬୦ କିଲୋମିଟର ଦୂରରେ ଘୂର୍ଣ୍ଣିଝଡ

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ଆଡକୁ ମାଡି ଆସୁଛି ଘୁର୍ଣ୍ଣିଝଡ ‘ରୁଆନୁ’। କିଛି ଘଂଟାପରେ ‘ରୁଆନୁ’ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବର ଆଶଙ୍କା ରହିଛି । ଏବେ ଏହା ଗୋପାଳପୁର ଠାରୁ ୧୬୦ କିଲୋମିଟର ଦୂରରେ ରହିଛି । ଘଂଟାପ୍ରତି ୧୫ କିଲୋମିଟର ବେଗରେ ମାଡି ଆସୁଛି ‘ରୁଆନୁ’ । ଏହାର ପ୍ରଭାବରେ ଅପରାହ୍ନ ସୁଦ୍ଧା ଦକ୍ଷିଣ ଓ ଉତର ଓଡିଶାରେ ବଢିବ ବର୍ଷା ଓ ପବନର ବେଗ । ପୁରୀ, କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ, ଜଗତସିଂହପୁର, ଗଂଜମା, ନୟାଗଡ ଏବଂ ଢେଙ୍କାନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଏବେ ସୁଦ୍ଧା ପୁରୀରେ ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୋପାଳପୁରରେ ୭୯ ମିଲିମିଟର ରହିଛି । ଭୁବନେଶ୍ୱରରେ ୪୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କୁଜଙ୍ଗରେ ସର୍ବାଧିକ ୧୩୦ ମିଲିମିଟର ହୋଇଛି । ସମସ୍ତ ବନ୍ଦରରେ ତିନି ନମ୍ବର ବିପଦ ସଙ୍କେତ ଦିଆଯାଇଛି । ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ରୁଆନୁ ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳ ଅଂଚଳରେ ବର୍ଷା ଲାଗି ରହିଛି ।

ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତମାନ ଉତର ଓଡିଶାରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହୁ ଥିବା ବେଳେ ଦକ୍ଷିଣ ଓଡିଶାରେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହୁଛି । କେତେକ ସ୍ଥାନରେ ପବନର ବେଗ ୧୧୦ କିଲୋମିଟର ହେବା ଆଶଙ୍କା କରୁଛି ପାଣିପାଗ ବିଭାଗ । ବାଙ୍ଗଲାଦେଶ ଆଡକୁ ମୁହାଁଉଥିବାରୁ ‘ରୁଆନୁ’ ଘୂର୍ଣ୍ଣିଝଡ ଓଡିଶାରେ ବଡ କ୍ଷତି ଘଟାଇବାର ଆଶଙ୍କା ନାହିଁ । ତେବେ ଦେଶର ଦକ୍ଷିଣ-ପୂର୍ବ ଉପକୂଳରେ ଝଡର ଖବର ସମୁଦ୍ରକୂଳିଆ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ସରକାର ବି ଜରୁରୀ ବୈଠକ ବି କରିଛନ୍ତି । ୧୨ଟି ଜିଲ୍ଲାରେ ବାତ୍ୟା ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର ।

ଏଥି ସହିତ ମାଡି ଆସୁଛି ରୁଆନୁ : ୧୨ଟି ଜିଲ୍ଲାରେ ବାତ୍ୟା ଆଲର୍ଟ ଜାରି କଲେ ସରକାର