ଗ୍ରାମାଞ୍ଚଳରେ ରାସ୍ତାର ଦୟନୀୟ ସ୍ଥିତି : ଗୃହରେ ଉଦବେଗ ପ୍ରକାଶ କଲେ ଉଭୟ ଶାସକ ଓ ବିରୋଧୀ

180

କନକ ବ୍ୟୁରୋ : ଅପନ୍ତରା ଅବସ୍ଥାରେ ଗାଁ ଗଣ୍ଡାରେ ରାସ୍ତା । ଗାଁ ଗଣ୍ଡାରେ ରାସ୍ତାର ସ୍ଥିତି ଅତି ଦୟନୀୟ । ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳ । ଆଜି ଗୃହକାର୍ଯ୍ୟ ବେଳେ ଏହି ପ୍ରସଙ୍ଗ ଉଠାଇଥିଲେ ବିଧାୟକ ମନୋହର ରନ୍ଧାରୀ, ଅନନ୍ତ ଦାସ , ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ କୁସୁମ ଟେଟେ ଓ ପ୍ରମୋଦ ମଲ୍ଲିକ । ବିଧାୟକ ମନୋହର ରାନ୍ଧାରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ମନ୍ତ୍ରୀ ସୁଶାନ୍ତ ସିଂ ।

୨୦୦୧ ଜନଗଣନା ଅନୁସାରେ ରାଜ୍ୟରେ ୫୦ ହଜାର ୧୭୮ ଗାଁ ରହିଛି । ଏଥିମଧ୍ୟରୁ ୨୯ ହଜାର ୫୩୭ ଗାଁକୁ ରାସ୍ତା ଅଛି । ଗ୍ରାମ ସଡକ ଯୋଜନା ଅନୁସାରେ ୧୮୪୭୭ ଗାଁକୁ ରାସ୍ତା କରିବା ପାଇଁ ଯୋଜନା ହୋଇଥିଲା । ସେଥିରୁ ରାଜ୍ୟର ୧୭୦୮୯ ଗାଁକୁ ରାସ୍ତା ମାଧ୍ୟମରେ ସଂଯୋଗ କରିବାକୁ ଅର୍ଥ ମଞ୍ଜୁର ହୋଇଥିଲା । ଆଉ ସେଥିମଧ୍ୟରୁ ୧୬୩୪୭ ଗାଁକୁ ରାସ୍ତା ସଂଯୋଗ ସରିଛି । ଅନେକ ଅଂଚଳରେ ରାସ୍ତାକାମ ଚାଲିଛି । ୭୩୨ଟି ଗାଁକୁ ରାସ୍ତା ସଂଯୋଗ କାମ ଚାଲିଛି । ପ୍ରାୟ ୨୧ଟି ରାସ୍ତା ନିର୍ମାଣ କାମ ବାତିଲ ହୋଇଛି । ମାଓବାଦୀ ପ୍ରବଣ ଅଞ୍ଚଳରେ ଶହେରୁ ଅଧିକ ଗାଁକୁ ରାସ୍ତା କାମ ହେଉଛି । ଏହା ବ୍ୟତୀତ ଆବଶ୍ୟକ ସ୍ଥଳେ ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ରାସ୍ତା ନିର୍ମାଣ ପାଇଁ ଅର୍ଥ ବରାଦ ହେଉଛି ।

ମନ୍ତ୍ରୀଙ୍କ ଉତ୍ତର ପରେ ଯୋଜନା ଓ ସଂଯୋଜନ ବିଭାଗ ଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ୱେବସାଇଟ କରିବାକୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ବାଚଷ୍ପତି । ଏହାଦ୍ୱାରା ବିଧାୟକ ମାନେ ଅର୍ଥ କେଉଁଭଳି ଖର୍ଚ୍ଚ ହେଲା ଜାଣିବେ ଏବଂ ଆଉ ପ୍ରଶ୍ନ କରିବେ ନାହିଁ ବୋଲି କହିଛନ୍ତି ମାନ୍ୟବର ବାଚସ୍ପତି ।