ଗାଁକୁ ରାସ୍ତା ମା’କୁ ସମ୍ମାନର ଅସଲ ଚିତ୍ର: ସରପଂଚଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଯାଏଁ କେହି ଶୁଣିଲେନି ଗୁହାରୀ । ଶେଷରେ ରାସ୍ତା ନିର୍ମାଣ କରିବାକୁ ଅଂଟା ଭିଡିଲେ ଗ୍ରାମବାସୀ

49

କନକ ବ୍ୟୁରୋ: ଗାଁକୁ ରାସ୍ତା ମା’କୁ ସମ୍ମାନର ଡିଣ୍ଡିମ ପିଟୁଥିବା ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ହେଲେ ଏବେ ବି ଅନେକ ସ୍ଥାନ ରହିଛି ଯେଉଁଠି ନିତିଦିନିଆ ରାସ୍ତା ଟିଏ ବି ନାହିଁ । ରାସ୍ତାଟିଏ ପାଇଁ ସରପଂଚଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଯାଏଁ ସମସ୍ତଙ୍କୁ ଗୁହାରୀ କରି ନିରାସ ଗ୍ରାମବାସୀ ନିଜ ତିଆରି କରିଛନ୍ତି ରାସ୍ତା । ୫ ଖଣ୍ଡ ଗ୍ରାମବାସିନ୍ଦା ଏକାଠି ହୋଇ ରାସ୍ତା ନିର୍ମାଣ କରିବା ସହ ୨୦୧୯ ନିର୍ବାଚନ ବର୍ଜନ ଧମକ ଦେଇଛନ୍ତି । ଏଭଳି ଧମକ ଦେଇଛନ୍ତି ବୌଦ୍ଧ ଛତରଙ୍ଗ ପଂଚାୟତବାସୀ ।

ରାସ୍ତା କାମରେ ଲାଗିଛନ୍ତି ଗାଁର ମହିଳା ପୁରୁଷ । କିଏ କୋଦାଳରେ ମାଟି ସମତୁଲ କରୁଛି ତ ଆଉ କିଏ ମୁଣ୍ଡରେ ମାଟି ଝୁଡି ଧରି ରାସ୍ତାକାମରେ ନିଜକୁ ନିୟୋଜିତ କରିଛି । ଆଉ ନିର୍ମାଣ ଚାଲିଥିବା ରାସ୍ତା ଉପରେ ନିର୍ଭର କରନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗାର ବ୍ଲକର ୫ଟି ଗାଁର ଆଦିବାସୀ ମଣିଷ । ଧୁଙ୍ଗିଆମୁଣ୍ଡା, କଣ୍ଠିପଦର, ଗୁଣ୍ଡୁରୀସାହି, ଲେଡିସାହିର ବାସିନ୍ଦାଙ୍କ ପାଇଁ ନିତିଦିନିଆ ରାସ୍ତା ଖଣ୍ଡେ ପାଇଁ ଅନେକ ଥର ପ୍ରଶାସନିକ ବାବୁଙ୍କୁ ଗୁହାରି କରିଛନ୍ତି । ହେଲେ ଏଥିପ୍ରତି କେହି କର୍ଣ୍ଣପାତ ନକରିବାରୁ ଗ୍ରାମବାସୀ ମୁଣ୍ଡ ପିଛା ୨୦୦ ଟଙ୍କା ଲେଖାଏଁ ଚାନ୍ଦା କରି ନିଜ ଶ୍ରମଦାନରେ ରାସ୍ତା ନିର୍ମାଣ କରିଛନ୍ତି । ଆଉ ଗ୍ରାମବାସୀଙ୍କ ଏହି କାମ ସରକାରୀ ଯୋଜନାକୁ କାଠଗଡାରେ ଠିଆ କରିଛି ।

ରାସ୍ତାଟିଏ ପାଇଁ ପ୍ରଶାସନ ଓ ରାଜନେତା ନଶୁଣିବାରୁ ଅନେକ ଦୁଃଖ ଭୋଗିଥିବା କୁହନ୍ତି ଏଠାକାର ଆଦିବାସୀ । ସ୍ୱାଧିନ ଭାରତରେ ବହୁ ନିର୍ବାଚନରେ ମତ ସାବ୍ୟସ୍ତ କରିଥିବା ଛତରଙ୍ଗ ପଂଚାୟତର ୫ଟି ଗାଁର ଆଦିବାସୀ ୨୦୧୯ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ନିର୍ବାଚନ ବର୍ଜନ କରିବା ସହ ଗାଁକୁ କୌଣସି ନେତାକି ପ୍ରଶାସନିକ ଅଧିକାରୀଙ୍କୁ ପୁରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।