ରାସ୍ତା ନା ପୋଖରୀ । ଗାଡି ମଟର ଯିବା ଦୂରର କଥା ଚାଲିକି ଯିବା ବି ବଡ କଷ୍ଟ

83

କନକ ବ୍ୟୁରୋ : ରାସ୍ତା ସାରା ଖାଲ ଖମା । ଗାଡ଼ି ମଟର ଯିବା ତ ଦୂରର କଥା ଚାଲିକି ଯିବା ବି ବଡ କଷ୍ଟ । ଏଭଳି ଦ୍ଦୁର୍ଦଶାରେ ଯିବା ଆସିବା କରୁଛନ୍ତି ନିଆଳି ବ୍ଲକ ମାଧବ ପଚାଂୟତର ଲୋକ । ବ୍ଲକର ଆଦର୍ଶ ପଚାଂୟତ ମାଧବର ତଇଲା ଓ ନାଗେଶ୍ୱର ରାସ୍ତାର ଏଭଳି ଦୂରବସ୍ଥା ।

ରାସ୍ତାର ଯେଉଁ ଆଡ଼େ ଦେଖିବେ ଖାଲ ଖମା । କେଉଁଠି ଆଣ୍ଠିଏ ତ ଆଉ କେଉଁଠି ହାତେ । ଠାଏ ଠାଏ ବର୍ଷା ପାଣି ଜମି ରହିଛି । ଏ ସମସ୍ୟା ଆଜି କାଲିର ନୁହେଁ । ବର୍ଷ ବର୍ଷ ଧରି ଏଭଳି ମାଟି କାଦୁଅ ରାସ୍ତାରେ ଯା’ଆସ କରୁଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକ ଆଦର୍ଶ ପଚାଂୟତ ମାଧବର ବାସିନ୍ଦା । ତଇଲା ଠାରୁ ନାଗେଶ୍ୱର ଯାଏଁ ୧ କିଲୋମିଟର ରାସ୍ତା ସଂପୂର୍ଣ୍ଣ ଖାଲ ଖମାରେ ଭର୍ତି । ଏନେଇ ଅନେକ ଥର ପ୍ରଶାସନ ଠାରୁ ଆରମ୍ଭ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅବଗତ କରାଯାଇଛି । ହେଲେ ଅବସ୍ଥା ଯେମିତିକୁ ସେମିତି ।

ରାସ୍ତାଟି ପଚାଂୟତ ଓ ବ୍ଲକ ଅଧିନରେ ଥିବା ବେଳେ ଏହା ଉପରେ ୫ ହଜାରୁ ଅଧିକ ଲୋକ ନିର୍ଭର କରନ୍ତି । ଆଉ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ବିଶେଷକରି ବର୍ଷ ଦିନରେ ଛାତ୍ରଛାତ୍ରୀ ଓ ଅଦିନିଆ ଲୋକ ବହୁ ହଇରାଣ ହରକତ ହୋଇଥାନ୍ତି । ତେବେ ୨୦୧୯ ପୂର୍ବରୁ ଯଦି ରାସ୍ତା ମରାମତି କରାନଯାଏ ତେବେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନି ଦେଇଛନ୍ତି । ରାସ୍ତାର ଦୂରାବସ୍ଥା ଜଳଜଳ ହୋଇ ଦେଖାଯାଉଥିବା ବେଳେ ଏନେଇ ମୁହଁ ଖୋଲିବାକୁ ନାରାଜ ନିଆଳି ବ୍ଲକର ବିଡ଼ିଓ ମହୋଦୟ ।