ପ୍ରଶାସନ ଶୁଣିଲାନି, ପ୍ରତିବାଦ ଜଣାଇବାକୁ ରାସ୍ତାରେ ଧାନଗଛ ଲଗାଇଲେ ଲୋକେ ।

32

କନକ ବ୍ୟୁରୋ : ଖାଲଖମା ରାସ୍ତାରେ ଜମିରହୁଛି ଆଣ୍ଠୁଏ ପାଣି । ଆଉ ପାଣି ଛାଡିଗଲେ ରାସ୍ତା ସାରା କାଦୁଅ ପଚପଚ । ଚାଲିବା ତ ଦୂରର କଥା ପାଦ ରାସ୍ତାରେ ପାଦ ପକାଇବା ମଧ୍ୟ କଷ୍ଟକର । ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ ମଧ୍ୟ ଫଳ ଶୂନ । ତେଣୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ରାସ୍ତା ଉପରେ ଧାନ ଗଛ ରୋଇବାକୁ ବାଧ୍ୟ ହେଲେ ଗ୍ରାମବାସୀ । ଏଭଳି ଘଟଣା ଅସ୍ତରଙ୍ଗର ନୂଆଗଡ ଅଞ୍ଚଳରେ ଦେଖିବାକୁ ମିଳିଛି ।

୧୦ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ନୂଆଗଡ ଗ୍ରାମ ପଞ୍ଚାୟତର ରାସ୍ତା ଅବସ୍ଥା ଦେଖିଲେ ଆପଣ ମୁଣ୍ଡରେ ହାତ ଦେବେ । ଗାଁ ରାସ୍ତା ଗୁଡିକର ଅବସ୍ଥା ଏପରି ହୋଇଛି ଯେ ଗମନାଗମନ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଖାସକରି ଏହି ଗ୍ରାମ ପଞ୍ଚାୟତ ଅଧିନରେ ଆସୁଥିବା ସୀତାରରମପଡା, ରେଡକ୍ରସ ରୋଡ ଓ ମାଙ୍କଡିଆରେ ଗମନାଗମନ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ । ତେବେ ରାସ୍ତା ମରାମତି ନେଇ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିଲା । ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ନିଆରା ଉପାୟରେ ପ୍ରତିବାଦ ଜଣାଇଥିଲେ ।

ଗ୍ରାମବାସୀ ମାନେ ଏକାଠି ହୋଇ କାଦୁଅ ଭର୍ତ୍ତି ଥିବା ଗାଁ ରାସ୍ତାରେ ଧାନ ରୋଇବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଏନେଇ ଅସ୍ତରଙ୍ଗ ବିଡିଓ କହିଛନ୍ତି ରାସ୍ତା ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇଛି । ତେବେ କିଛି ବିବାଦ ଯୋଗୁଁ ଏହା ହୋଇ ପାରୁନାହିଁ । ତେଣୁ ଖୁବଶୀଘ୍ର କିପରି ରାସ୍ତା ମରାମତି ହେବ ସେନେଇ ପ୍ରଶାସନ ଧ୍ୟାନ ଦେବ ବୋଲି କହିଛନ୍ତି ଅସ୍ତରଙ୍ଗ ବିଡିଓ ।