ଯନ୍ତ୍ରଣା ଦେଉଛି ରାସ୍ତା ! ଖାଲ ଖମା ଭରା ଯୋଡା ଖଣି ଅଂଚଳର ରାସ୍ତା, ଖଣିଜ ପରିବହନ ଯୋଗୁଁ ରାସ୍ତା ନଷ୍ଟ ହେଉଥିବା ଅଭିଯୋଗ ।

36

କନକ ବ୍ୟୁରୋ : ଜନତାଙ୍କୁ ଯନ୍ତ୍ରଣା ଦେଉଛି ରାସ୍ତା । ଯୋଡା ଖଣି ଅଂଚଳରେ ଖଣିଜ ପରିବହନ ଯୋଗୁ ୫ କିଲୋମିଟର ରାସ୍ତା ଖାଲଖମାରେ ଭର୍ତି ହୋଇଥିବା ବେଳେ ମରଣଯନ୍ତା ପାଲଟିଛି । ଫଳରେ ଗମନାଗମନ ପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ହେଲେ ପ୍ରଶାସନ କି ଖଣି କମ୍ପାନୀର କୌଣସି ନିଘା ନାହିଁ । ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ନୂଆ ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦେଇଛନ୍ତି ପ୍ରଶାସନିକ ଅଧିକାରୀ ।

କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ କାଳିମାଟିଠାରୁ ଦବୁନା ଯାଏ ୫କିଲୋମିଟର ରାସ୍ତା ଏବେ ପାଲଟିଛି ମରଣଯନ୍ତା  । ଖଣିଜ ପଦାର୍ଥ ପରିବହନ ଯୋଗୁଁ ରାସ୍ତାରେ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ  । ସ୍କୁଲ ପିଲା, ସାଧାରଣ ଜନତାଙ୍କ ପାଇଁ  ଏହି ରାସ୍ତାରେ ଯାତାୟତ ସମ୍ପୁର୍ଣ୍ଣରୂପେ ବାଧାପ୍ରାପ୍ତ ହେଉଛି  । ଦୀର୍ଘ ଦିନ ଧରି ଏପରି ଅବସ୍ଥା ଲାଗି ରହିଥିଲେ ସୁଦ୍ଧା ପ୍ରଶାସନ କିମ୍ବା କମ୍ପାନୀ କେହି ଦୁଃଖ ଶୁଣୁନଥିବା ଅଭିଯୋଗ ହୋଇଛି  ।

ଖଣି ଅଂଚଳର ବଡ ସମସ୍ୟା । ରାସ୍ତା ପାଲଟିଛି ମରଣଯନ୍ତା । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ କାଳିମାଟିଠାରୁ ଦବୁନାକୁ ସଂଯୋଗ କରୁଥିବା ୫ କିଲୋମିଟର ରାସ୍ତାର ଅବସ୍ଥା ଏବେ ଦୟନୀୟ । ଚାରିଆଡେ ଲାଲ୍ ମାଟି ଓ ପାଣି । କାଦୁଅ ପଚପଚ ରାସ୍ତାରେ ବଡ ବଡ ଖାଲରେ ବର୍ଷା ପାଣି ଜମି ରହିଛି । ଫଳରେ ସ୍ଥାନୀୟ ଲୋକମାନେ ଯିବା ଆସିବା କରିବା ବେଳେ ବହୁ ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି ।

ରାସ୍ତା ନଷ୍ଟ କରୁଛି ଖଣିଜ ପରିବହନ । ସବୁ ଦେଖି ଚୁପ୍ ବସିଛି ପ୍ରଶାସନ । ଖଣି ଅଂଚଳର ଏହି ରାସ୍ତାରେ ଖଣିଜ ପଦାର୍ଥ ପରିବହନ ଯୋଗୁଁ ଏପରି ଅବସ୍ଥା ହୋଇଥିବା କୁହାଯାଇଛି । ଆଉ ରାସ୍ତାର ଏଭଳି ଅବସ୍ଥା ଆଜି କାଲିର ନୁହେଁ, ଦୀର୍ଘ ଦିନରୁ ଲାଗି ରହିଥିବା ବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ତେବେ ଆଗାମୀ ଦିନରେ ରାସ୍ତାର ଅବସ୍ଥା ନସୁଧୁରିଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଡିଏମଏଫ ପାଣ୍ଠିରୁ ଏଠାରେ ନୂଆ ରାସ୍ତା ନିର୍ମାଣ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି । ଡିଏମଏଫ ପାଣ୍ଠିରେ କୋଟି କୋଟି ଟଙ୍କା ପଡି ରହିଥିଲେ ସୁଦ୍ଧା ଖଣି ଖାଦାନ ଅଂଚଳର ଲୋକ ଏହାର ସୁଫଳ ପାଇପାରୁନାହାନ୍ତି ।