ନଦୀ ଓ ନାଳ ଡେଇଁ ବିପଦସଙ୍କୁଳରେ ଚାଲିଛି ଯାତାୟତ । ନିର୍ବାଚନ ପୂର୍ବରୁ ରାସ୍ତା ନହେଲେ , ଭୋଟ୍ ବର୍ଜନ କରିବା ପାଇଁ ଗ୍ରାମବାସୀଙ୍କ ଚେତାବନୀ ।

64

କନକ ବ୍ୟୁରୋ: ରୋଡ୍ ନାହିଁ ତ ଭୋଟ ନାହିଁ । ଦୀର୍ଘ ବର୍ଷ  ଧରି ଭଲ ରାସ୍ତା ଖଣ୍ଡେ ନଥିବାରୁ ଗମନାଗମନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ତେଣୁ ଚଳିତ ନିର୍ବାଚନରେ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଭୋଟ୍ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି ଘଟଣା ସାମ୍ନାକୁ ଆସିଛି   ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ  ଆଭ୍ୟନ୍ତରୀଣ ଆଦିବାସୀ ଅଞ୍ଚଳରୁ । ଆଉ  ଶୁଭିଛି ରାସ୍ତା ନାହିଁ ତ ଭୋଟ ନାହିଁ ର ଗର୍ଜନ ।

ଖଣ୍ଡିକନପା ଗ୍ରାମ କୁ ଲାଗି ବୋହିଯାଇଥିବା  କେରେଣ୍ଡି ନାଳ । ଏହି ନାଳ ଦେଇ ପ୍ରତ୍ୟେକ ଦିନ  ଯାତାୟତ କରିଥାନ୍ତି   ୧୦ଟି ଗାଁର ଗ୍ରାମବାସୀ । ବର୍ଷା ଋତୁ ଟି ଏମାନଙ୍କ ପାଇଁ ପାଲଟିଯାଏ ଅଭିଶପ୍ତ ଋତୁ । ଜଳବନ୍ଦୀ ଜୀବନ ବିତାଇଥାନ୍ତି ଏମାନେ । ଏମାନଙ୍କ ପାଇଁ  ଏହି ନାଳଟି ଏକ ମାତ୍ର ଯାତାୟତର ପଥ ହୋଇଥିବାବେଳେ ଯିବା ଆସିବା ସମୟରେ ଅନେକ ଗ୍ରାମବାସୀ ଏହିନାଳରେ ଭାସିଯାଇଥିବା ନଜିର ରହଛି  । ଆଉ ରୋଗୀ କିମ୍ବା ପ୍ରସବତୀ ମହିଳାଙ୍କ କଥା ନକହିବା ଭଲ । ରାସ୍ତା ଘାଟ ଅଭାବରୁ ଏହି ସ୍ଥାନକୁ ଆମ୍ବୁଲାନ୍ସ ଆସିପାରୁ ନଥିବା ବେଳେ ଖଟରେ ବୋହି ମାଇଲ୍ ମାଇଲ୍ ଦୂର ଅତିକ୍ରମ କରି ଡାକ୍ତରଖାନାକୁ ଯିବାକୁ ପଡିଥାଏ । ଯାହା ଦ୍ୱାରା ଅନେକ ପ୍ରସବତୀ ମହିଳା ଅଧାବାଟରେ ପ୍ରସବ କରୁଥିବା ବେଳେ ଅନେକ ମୃତ୍ୟୁବରଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

କେବଳ ରୋଗୀ ନୁହେଁ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ସମସ୍ୟାରୁ ବର୍ତ୍ତି ପାରି ନାହାନ୍ତି । ବଣ ପାହାଡ, ନଦୀ ନାଳ ପରିବେଷ୍ଟିତ  ଘେରା ଏହି ଅଞ୍ଚଳକୁ ନା ପହଞ୍ଚି ପାରୁଛି ଆମ୍ବୁଲାନ୍ସ ନା ଆସିପାରୁଛି କୌଣସି ଗାଡି । ମାଇଲ୍ ମାଇଲ୍ ଦୂର ଏଭଳି ଖଟିଆରେ ବୁହା ହେଉଛନ୍ତି ରୋଗୀ । ସେଭଳି ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ସ୍କୁଲ ଯିବା ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ପାଲଟିଥିଲେ ମଧ୍ୟ ନାଳ ପାରି ହୋଇ ସ୍ୱପ୍ନ ପୂରଣ କରିବା ପାଇଁ ସ୍କୁଲ ଯାଉଛନ୍ତି ପିଲା ।

ଏହି ନାଳ ଆରପାରିରେ ରହିଛି ମାଳତୀ ଗୁଛାପଡା . ଶିଗାଡି, ଚୋରାକନ, ବାଡିପଙ୍ଗା , କନାଗୁନ, ତାକୁମୁଣ୍ଡା , ବାତେପଙ୍ଗା  ଏଭଳି ୧୦ଖଣ୍ଡ ଆଦିବାସୀ ଅଧ୍ୟୁଷିତ  ଗ୍ରାମ । ଦେଶ ସ୍ୱାଧୀନ ହେବାର ଦୀର୍ଘ ୭୧ ବର୍ଷ ବିତିଯାଇଥିଲେ ମଧ୍ୟ ଏମାନଙ୍କ ପାଇଁ ଗମନା ଗମନ ପାଲଟିଛି ସାତ ସପନ । ବର୍ଷ ବର୍ଷ ଧରି ଅଭିଶପ୍ତ ଜୀବନ ବିତାଉଥିବା ଏହି ଅଞ୍ଚଳବାସୀ ବାରମ୍ବାର ଦାବୀ ଆନ୍ଦୋଳନ ପରେ ମଧ୍ୟ  କର୍ଣ୍ଣପାତ କରୁନାହାଁନ୍ତି ସରକାର କି ପ୍ରଶାସନ ବୋଲି ଅଭିଯୋଗ ହୋଇଛି ।  ସରପଞ୍ଚ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ପ୍ୟନ୍ତ  ଯାହାକୁ ଗୁହାରୀ କଲେ ବି ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା କହିଛନ୍ତି ଗ୍ରାମବାସୀ । ନିର୍ବାଚନ ପରେ ନିର୍ବାଚନ ଆସୁଛି ନେତାଙ୍କ ପ୍ରତିଶୃତି କେବଳ ପ୍ରତିଶୃତି ରେ ହିଁ ସୀମିତ ରହୁଥିବାବେଳେ  ଶେଷରେ  ବାଧ୍ୟ ହୋଇ ଆଗାମୀ ସାଧାରଣ ନିର୍ବାଚନ କୁ ବର୍ଜନ କରିବାକୁ ବଜ୍ର ଶପଥ ନେଇଛନ୍ତି ଅଞ୍ଚଳବାସୀ  । ନିର୍ବାଚନ ପୂର୍ବରୁ ଯଦି ଏଥିପ୍ରତି କୌଣସି ପଦକ୍ଷେପ ନିଆନଯାଏ ତେବେ କୌଣସି ସରକାରୀ କର୍ମଚାରୀ କିମ୍ବା ନେତା ମନ୍ତ୍ରୀ କାହକୁବି ଗ୍ରାମରେ ପୂରାଇ ଦେବୁନାହଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।