ରାଜଧାନୀ ଜାତୀୟ ରାଜପଥ ୧୬ ଏବେ ମରଣଯନ୍ତା ! ବର୍ଷକରେ୧୧୩ଟି ଦୁର୍ଘଟଣା, ୪୩ଜଣ ମୃତ

206

କନକ ବ୍ୟୁରୋ : ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଏବେ ମରଣଯନ୍ତା ପାଲଟିଛି । ବାରମ୍ବାର ଦୁର୍ଘଟଣା ଯୋଗୁଁ ଲୋକମାନେ ଜାତୀୟ ରାଜପଥରେ ଗାଡ଼ି ଚଳାଇବାକୁ ଭୟ କଲେଣି । ଗତ ବର୍ଷକ ମଧ୍ୟରେ ମଞ୍ଚେଶ୍ୱରରୁ ଖଣ୍ଡଗିରି ଥାନା ଦେଇ ଯାଇଥିବା ଏହି ଜାତୀୟ ରାଜପଥରେ ୧୧୩ଟି ଦୁର୍ଘଟଣାରେ ୪୩ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୭୪ଜଣ ଆହତ ହୋଇଛନ୍ତି । ଯେଉଁଥିରେ ୫୯ଟି ବଡ଼ ଦୁର୍ଘଟଣା ଓ ୫୪ଟି ଛୋଟ ଦୁର୍ଘଟଣା ରହିଛି । ତେବେ ସବୁଠାରୁ ଦୁର୍ଘଟଣାବହୁଳ ଥାନା ମଧ୍ୟରେ ଖଣ୍ଡଗିରି ରହିଥିବା ବେଳେ ପଛକୁ ମଞ୍ଚେଶ୍ୱର, ସହିଦନଗର ଓ ନୂଆପଲ୍ଲୀ ଥାନା ରହିଛି ।

ଏହି ଜାତୀୟ ରାଜପଥରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନକୁ ବ୍ଲାକସ୍ପଟ ଚିହ୍ନଟ କରାଯାଇଛି । ଖଣ୍ଡଗିରି ଛକ, ଫାୟାର ଷ୍ଟେସନ୍‌ ଛକ, ସମାନ୍ତରାଳ ଭାବେ ଓଭରବ୍ରିଜ୍ ଉପର, ସିଆରପି ଛକ, କ୍ରାଉନ୍‌ ହୋଟେ୍‌ଲ ସମ୍ମୁଖ, ଜୟଦେବ ବିହାର ଓଭରବ୍ରିଜ୍‌ ଉପର, ଆଚାର୍ଯ୍ୟବିହାର ଛକ, ବାଣୀବିହାର ଓଭରବ୍ରିଜ୍, ସତ୍‌ସଙ୍ଗ ସମ୍ମୁଖ, ପଳାଶୁଣୀ, ପାଣ୍ଡରା, ଗଙ୍ଗୁଆ ବ୍ରିଜ୍, ହଂସପାଳ ଆଦି ସ୍ଥାନଗୁଡ଼ିକୁ ବ୍ଲାକସ୍ପଟ ଭାବେ ଚିହ୍ନଟ କରାଯାଇଛି । ବ୍ଲାକସ୍ପଟ ଚିହ୍ନଟ ପରେ ଦୁର୍ଘଟଣାକୁ ରୋକିବା ନେଇ ସରକାର ଯେତେ ଯୋଜନା କଲେ ମଧ୍ୟ ସଫଳ ହୋଇପାରୁ ନାହିଁ । ଯାହାକୁ ନେଇ ପୁଲିସଠାରୁ ଆରମ୍ଭ କରି ଏନ୍‌ଏଚ୍‌ଏଆଇ କର୍ତୃପକ୍ଷ ଚିନ୍ତା ପ୍ରକଟ କଲେଣି ।

ଦୁର୍ଘଟଣାର ମୁଖ୍ୟ କାରଣ ଦ୍ରୁତଗତି ଓ ନିଶାସକ୍ତ ଅବସ୍ଥା‌ରେ ଗାଡ଼ି ଚଳାଇବା । ତେବେ ଦିନ ଅପେକ୍ଷା ରାତିରେ ଅଧିକାଂଶ ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି । ପ୍ରାୟତଃ ଯୁବବର୍ଗର ଚାଳକମାନେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି ।  କାରଣ ଯୁବବର୍ଗର ଚାଳକମାନେ ରାତିରେ ନିଶାସକ୍ତ ଅବସ୍ଥାରେ ପୁଣି ବିନା ହେଲ୍‌ମେଟ୍‌ରେ ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି । ଓଭରବ୍ରିଜ ହେତୁ ଚାଳକମାନେ ଗତିରେ ନିୟନ୍ତ୍ରଣ ହରାଇ ମନଇଚ୍ଛା ସ୍ପିଡ୍‌ରେ ଗାଡ଼ି ଚଲାଉଛନ୍ତି । ଗାଡ଼ି ତଳକୁ ଖସିବା ବେଳକୁ ଚାଳକମାନେ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟାଉଛନ୍ତି ।

ରାସ୍ତାକଡ଼ରେ ବାଲି ଜମା ହୋଇ ରହିବା ଓ ରଙ୍ଗ ସାଇଡ୍‌ରେ ଗାଡ଼ି ଚଳାଇବା ଯୋଗୁଁ ମଧ୍ୟ କେତେକ ଦୁର୍ଘଟଣା ଘଟୁଛି । ଜାତୀୟ ରାଜପଥରେ ଦୀର୍ଘ ଦିନ ଧରି ବାଲି ଜମା ହେଉଥିଲେ ମଧ୍ୟ ତାହା ସଫା କରାଯାଉ ନାହିଁ । ବାଲି ଯୋଗୁଁ ଚକା ସ୍ଲିପ୍‌ ହୋଇ ଦୁର୍ଘଟଣା ଘଟୁଛି । ସେହିପରି ରାଜଧାନୀକୁ ଆସୁଥିବା ବାହାର ଲୋକମାନେ ମଧ୍ୟ ଟ୍ରାଫିକ୍ ନିୟମ ନ ଜାଣିପାରି ଦୁର୍ଘଟଣାର ଶିକାର ହେଉଛନ୍ତି । ପଳାଶୁଣୀ, ହସଂପାଳ ଓ ରସୁଲଗଡ଼ ଓଭରବ୍ରିଜ୍‌ ମଞ୍ଚେଶ୍ବର ଥାନା ପାଇଁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି ।

ଖଣ୍ଡଗିରି ଥାନା ପରେ ରାଜଧାନୀରେ ମଞ୍ଚେଶ୍ୱର ଥାନା ଅଧୀନ ଜାତୀୟ ରାଜପଥ ଏବେ ଦୁର୍ଘଟଣାପ୍ରବଣ ଅଞ୍ଚଳ ପାଲଟି ଯାଇଛି । ବିଶେଷକରି ରସୁଲଗଡ଼ ଓଭରବ୍ରିଜ, ପଳାଶୁଣୀ, ସତ୍ୟବିହାର ଛକ, ହାଇଟେକ ଗଡ଼, ହଂସପାଳ ଛକ ଏବେ ମରଣଯନ୍ତା ପାଲଟିଛି । ମଞ୍ଚେଶ୍ୱର ଥାନା ଦେଇ ଯାଇଥିବା ଜାତୀୟ ରାଜପଥରେ ୧୮ଟି ବଡ଼ ଓ ୧୨ଟି ଛୋଟ ଦୁର୍ଘଟଣା ଯୋଗୁଁ ୧୫ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଲୋକ ଆହତ ହୋଇଛନ୍ତି ।