ସଡକରେ ଭାଙ୍ଗିଗଲା ୩ ବନ୍ଧୁଙ୍କ ସ୍ୱପ୍ନ । କାହାକୁ କୁନି ଝିଅ ଝୁରୁଛି ତ ପୁଣି କାହାର କ୍ୟାପେଟନ ସ୍ୱପ୍ନ ଅଧାରେ ରହଛି ଆଉ କାହାର ପାଲିଙ୍କି ପୂର୍ବରୁ କୋକେଇ ଉଠିଛି

116

କନକ ବ୍ୟୁରୋ : ଜଣେ ସଫ୍ଟେଓ୍ଵର ଇଂଜିନିୟର। ଜଣେ ବ୍ୟାଙ୍କ୍ ଅଧିକାରୀ। ଅନ୍ୟ ଜଣକ ନାଭାଲ୍ ଅଫିସର୍। କେହି କାହାଠୁ କେଉଁ ଗୁଣରେ ବି କମ୍ ନଥିଲେ। ଅନେକ ଦିନ ପରେ ତିନି ବନ୍ଧୁ ପରସ୍ପରକୁ ପାଖରେ ପାଇଥିଲେ। ସେଥିପାଇଁ ସମସ୍ତେ ଖୁସି ଥିଲେ। ପାର୍ଟି କରିଥିଲେ। ଢେର୍ ଗପିଥିଲେ। କିନ୍ତୁ ଜାଣି ନଥିଲେ ଶନିବାର ରାତିର ସେଇ କାଳ ମୁହୂର୍ତ ସେମାନଙ୍କ ବନ୍ଧୁତ୍ୱରେ ପୂର୍ଣ୍ଣଚ୍ଛେଦ ଟାଣିବ। ଜଣେ ବନ୍ଧୁଙ୍କୁ ପଳାସୁଣୀ ସ୍ଥିତ ଘରକୁ ଛାଡ଼ିବାକୁ ଯାଉଥିବା ବେଳେ ଏକାବେଳେ ତିନି ବନ୍ଧୁଙ୍କ ଜୀବନ ଦୀପ ଲିଭିଗଲା। ସବୁ ସ୍ୱପ୍ନ ଜୁଇର ନିଆଁରେ ସବୁଦିନ ପାଇଁ ଜଳିଗଲା। ଶନିବାର ରାତିରେ ବାଣୀବିହାର ସତସଙ୍ଗ ସାମ୍ନା ଏନ୍ଏଚ୍ରେ ଭୟଙ୍କର ଦୁର୍ଘଟଣାରେ ୩ ବନ୍ଧୁଙ୍କ ଅକାଳ ବିୟୋଗକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରି ନାହାନ୍ତି। ଏବେବି ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। କିଏ ଅବା ବୁଝେଇବ ଯେ, ସେମାନେ ଏବେ ଅଫେରା ଦୁନିଆର ଅତିଥି ବୋଲି। ତିନି ଜଣ ଯେ ସେମାନଙ୍କ ପରିବାରର ଏକମାତ୍ର ପୁତ୍ର ସନ୍ତାନ, ଏକଥା ହେଲେ ସେ କାଳ ମୁହୂର୍ତଟାକୁ କେହି ମନେ ପକେଇ ଦେଇଥାଆନ୍ତା!

ଚନ୍ଦନ ହୋଇଥା’ନ୍ତେ କ୍ୟାପଟେନ୍ :
ସ୍ୱପ୍ନ ଥିଲା ସେ କ୍ୟାପ୍ଟେନ୍ ହେବେ। ଦେଶ ସେବା କରିବେ। ସତକୁ ସତ କୁମାର ଚନ୍ଦନଙ୍କ ସ୍ୱପ୍ନ ସାକାର ହୋଇଥିଲା। ମାସ କେଇଟା ପରେ କ୍ୟାପ୍ଟେନ୍ର ମୁକୁଟ ପିନ୍ଧିଥାନ୍ତେ। କିନ୍ତୁ ଶନିବାରର କାଳରାତ୍ରି ତାଙ୍କ ସ୍ୱପ୍ନକୁ ଚୂର୍ମାର୍ କରିଦେଲା। ପିଲାବେଳୁୁ ବାପାଙ୍କୁ ହରାଇଥିଲେ ହେଁ ଭାଙ୍ଗି ପଡ଼ି ନଥିଲେ ଚନ୍ଦନ। ଉଚ୍ଚଶିକ୍ଷା ପରେ ସେ କିଛି ବର୍ଷ ତଳେ ମର୍ଚାଣ୍ଟ ନାଭାଲ୍ ଅଫିସର ଭାବେ ଯୋଗ ଦେଇଥିଲେ। ଚାକିରିର୫ ବର୍ଷ ପରେ ଗତବର୍ଷ ଜୁନ୍ ୩୧ରେ ତାଙ୍କର ବାହାଘର ହୋଇଥିଲା। କିଛିଦିନ ତଳେ ବିବାହ ବାର୍ଷିକୀ ପାଳନ କରିଥିଲେ। ବାହାଘର ପରଠୁ ଘରେ ରହି ପ୍ରମୋସନ୍ ପାଇଁ ପ୍ରସ୍ତୁତି କରୁଥିଲେ। କ୍ୟାପ୍ଟେନ ପାଇଁ ଆସନ୍ତା ଅଗଷ୍ଟ ମାସରେ କୋଲକାତାରେ ପ୍ରଶିକ୍ଷଣ ନେଇଥାନ୍ତେ। କିନ୍ତୁ କାଳ ଆଗରେ କ୍ୟାପଟେନ ହେବାର ସ୍ୱପ୍ନ ଅଧାରେ ରହିଗଲା ।

ବର ହୋଇ ଯିବେ ବୋଲି ନୂଆ କାର୍ କିଣିଥିଲେ :
ଇନ୍ଫୋସିସ୍ରେ ସଫ୍ଟେଓ୍ଵର୍ ଇଂଜିନିୟର ଥିବା ଦେବାଶିଷ ମିଶ୍ର ଥିଲେ ୩ ଭଉଣୀରେ ଗୋଟିଏ ଭାଇ। ପରିବାରର ସବୁ ଭଲମନ୍ଦ ଥିଲା ଦେବାଶିଷଙ୍କ କାନ୍ଧରେ। ତିନି ଭଉଣୀଙ୍କ ବିବାହ ସରିବା ପରେ ଚଳିତ ବର୍ଷ ଦେବାଶିଷଙ୍କ ବିବାହ ପାଇଁ ପରିବାର ଲୋକ ପ୍ରସ୍ତୁତିରେ ଲାଗିଥିଲେ। ଆସନ୍ତା ତିଥିରେ ନିର୍ବନ୍ଧ ପାଇଁ ସବୁ ପ୍ରସ୍ତୁତି ସରିଥିଲା। ୨ମାସ ତଳେ ଦେବାଶିଷ ନୂଆ କାରି କିଣିଥିଲେ। ଇଚ୍ଛା ଥିଲା ସେଥିରେ ବର ହୋଇ ଯାଇଥାନ୍ତେ। ନଭେମ୍ବର ମାସରେ ବାହାଘର ପାଇଁ ତାରିଖ ସ୍ଥିର ହୋଇଥାନ୍ତା। କିନ୍ତୁ ପାଲିଙ୍କି ପୁର୍ବରୁ ଦେବାଶିଷଙ୍କର ଉଠିଥିଲା କୋକେଇ ।

ଅନୁତମଙ୍କୁ ଝୁରୁଛି କୁନି ଝିଅ :
ପାଖାପାଖି ୭-୮ ବର୍ଷ ଧରି ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍ ହାଇଦ୍ରାବାଦ ଶାଖାରେ କାମ କରିବା ପରେ ପରିବାର ସହ ରହିବାକୁ ଅନୁତମ ହରିଚନ୍ଦନ ସ୍ଥିର କରିଥିଲେ। ବାପା ଓ ମା’ଙ୍କ ସହ ଦେଢ଼ ବର୍ଷର ଝିଅର ଦେଖାଶୁଣା କରିବା ପାଇଁ ସେ ଓଡ଼ିଶା ଚାଲିଆସିବେ ବୋଲି ସ୍ଥିର କରିଥିଲେ। ଗତ ୮ ମାସ ତଳେ ଓଡ଼ିଶା ଫେରି ଆସିଥିଲେ। କୁନି ଝିଅକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ। ଏବେ କୁନି ଝିଅଟି ମୁହଁର ଭାଷାରେ ନହେଲେ ବି ମନେମନେ ବାପାଙ୍କୁ ଖୋଜୁଛି। ଭୁବନେଶ୍ୱର ଉତ୍ତରା ସ୍ଥିତ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ଗୁଡ଼ିଆପୋଖରୀ ବ୍ରାଞ୍ଚରେ ଯୋଗଦେବା ପରେ ଗତ ସପ୍ତାହ ତଳେ ସହିଦନଗର ବ୍ରାଞ୍ଚରେ ଯୋଗ ଦେଇଥିଲେ। ଓଡ଼ିଶା ଆସିବା ପରେ ପରିବାର ସହ ବେଶ୍ ଖୁସିରେ ଥିଲେ ଅନୁତମ। କିନ୍ତୁ ଏହି ଖୁସିରେ ଯେମିତି କାହାର ନଜର ଲାଗି ଯାଇଥିଲା ।