ସୁନ୍ଦରଗଡ଼ରେ ସିରିଜ ଦୁର୍ଘଟଣା ! ୨ ଜଣଙ୍କର ମୃତ୍ୟୁ ହେବା ସହ ୪ ଗୁରୁତର

29

କନକ ବ୍ୟୁରୋ: ସୁନ୍ଦରଗଡ଼ରେ ସିରିଜ ଦୁର୍ଘଟଣା । ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ଭଜପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହେବା ସହ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଟ୍ରକ୍ ସହ ମୋବିଲ ବୋଝେଇ ପିକଅପ୍ ଭ୍ୟାନ୍ ଏବଂ ୨ଟି କାର ଦୁର୍ଘଟଣା ଗ୍ରସ୍ତ ହୋଇଛି ।

୧୦ ନମ୍ବର ରାଜ୍ୟ ରାଜପଥ ଭଜପୁର ନିକଟରେ ରାଉରକେଲା ପଟୁ ଆସୁଥିବା ଏକ ଟ୍ରକ ସହ ସୁନ୍ଦରଗଡ଼ ପଟୁ ଯାଉଥିବା ଏକ ମୋବିଲ ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କା ଦେଇଥିଲା । ପିକଅପ୍ ଭ୍ୟାନରୁ ମୋବିଲ ଢ଼ାଳି ହୋଇଯିବା ଫଳରେ ଭ୍ୟାନ୍ ପଛପଟେ ଆସୁଥିବା ଦୁଇଟି କାର ସ୍ଲିପ୍ ହୋଇ ଟ୍ରକରେ ପିଟି ହୋଇଯାଇଥିଲେ । ଆହତମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଭୋଜପୁର ଆଶ୍ରମ ସ୍କୁଲ ସମ୍ମୁଖରେ ଟ୍ରକ୍ ସହ ପିକଅପ୍ ଭ୍ୟାନ୍ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ରୁ ରାଉରକେଲା ଯାଉଥିବା ଏକ ଟ୍ରକ୍ ସହ ବିପରୀତ ଦିଗରୁ ଆସୁଥିବା ମୋବିଲ୍ ବୋଝେଇ ପିକଅପ୍ ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ବେଳେ ପଛେ ପଛେ ଆସୁଥିବା ଏକ କାର୍ ମଧ୍ୟ ଟ୍ରକରେ ପିଟି ହୋଇଥିଲା । ତେବେ ପିକଅପରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ଲୋକ ରୁଣ୍ଡ ହେବା ସହ ଉତ୍ତେଜନା ଲାଗି ରହିଥିଲା । ପୁଲିସ ପହଞ୍ଚ ପରିସ୍ଥିତି ନିୟନ୍ତ୍ରଣ କରିଥିଲା ।