ସଡକ ଦୁର୍ଘଟଣାରେ ୫ ମୃତ ! ଅନୁଗୁଳରେ ଅଜଣା ଗାଡି ଧକ୍କାରେ ୩ ବାଇକ୍ ଆରୋହୀ ମୃତ, ସେପଟେ ନୟାଗଡ କାଚେରାସାହି ନିକଟରେ ଦୁର୍ଘଟଣାରେ ଗଲା ୨ ଜୀବନ

34

କନକ ବ୍ୟୁରୋ: ଅଜଣା ଗାଡି ଧକ୍କାରେ ୩ଜଣ ବାଇକ୍ ଆରୋହୀ ମୃତ । ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ପେଡିପଥର ନିକଟରେ ଘଟିଛି ଏହି ଦୁର୍ଘଟଣା । ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ବାଇକ୍ରେ ଯାଉଥିବା ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକମାନେ ପେଡିପଥର ଗାଁର ପରମାନନ୍ଦ ଦଳେଇ, କାଠି ଦଳେଇ ଓ ସିନ୍ଦୁରକୁଳ ଗାଁର ରଞ୍ଜିତ ରାଉତ । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଛି । ବଇଣ୍ଡା-ଆଠମଲିକ ମୁଖ୍ୟ ରାସ୍ତାରେ ମୃତଦେହ ରଖି ଅବରୋଧ କରିଛନ୍ତି ପେଡିପଥର ଗ୍ରାମବାସୀ । ଘଟଣାସ୍ଥଳରେ ଠାକୁରଗଡ ଥାନା ପୋଲିସ ପହଂଚି ବୁଝାସୁଝା କରୁଥିବା ଜଣାପଡିଛି ।

ସେପଟେ ନୟାଗଡ ଜିଲ୍ଲା ଫତେଗଡ ଥାନା କାଚେରା ସାହି ନିକଟରେ ସଡକ ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି । ଏକ ଆଳୁ ବୋଝେଇ ଟ୍ରକ ଗଛରେ ପିଟି ହୋଇଯିବା ଫଳରେ ଏହି ଦୁର୍ଘଟଣା ଘଟିଛି । ଡ୍ରାଇଭରଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି । ମୃତକ ୨ ଜଣ ହେଲେ ଜହରକୋଟ ଗାଁର ଟୁକୁନା ସ୍ୱାଇଁ ଓ ସୁଆମଢିପି ଗାଁର ବିଜୟ ପାତ୍ର । ଭୁବନେଶ୍ୱରରୁ ଟ୍ରକ ଯୋଗେ ଆଳୁ ଆଣୁଥିବା ବେଳେ ମେଘୁଆ ପାଗ ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।