ଦୁର୍ଘଟଣାରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା : ବ୍ରହ୍ମପୁରରେ ୪ ଘଂଟା ଧରି ଟାୟାର ଜାଳି ରାସ୍ତାରୋକ କଲେ ରୋଲାଣ୍ଡ କଲେଜର ଛାତ୍ରଛାତ୍ରୀ

47

କନକ ବ୍ୟୁରୋ : ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ରାସ୍ତାରେ ସ୍ପିଡ୍ ବ୍ରେକର ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ବ୍ରହ୍ମପୁର ରୋଲାଣ୍ଡ କଲେଜର ଛାତ୍ରଛାତ୍ରୀ । ଗତକାଲି ବ୍ରହ୍ମପୁରର ଖୋଡ଼ାସିଙ୍ଗ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି ।

ପାରଳା ମହାରାଜା କଲେଜର ୩ ଜଣ ଛାତ୍ର ଏକ ବାଇକରେ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଏକ ସାଇକଲକୁ ଧକ୍କା ଦେଇଥିଲେ । ସରଧାବାଲି ନିକଟରେ ରୋଲାଣ୍ଡ କଲେଜର ଛାତ୍ର ସାଇକଲରେ ଆସୁଥିବା ବେଳେ ବାଇକରେ ଆସୁଥିବା ଛାତ୍ର ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ରୋଲାଣ୍ଡ କଲେଜର ଛାତ୍ର ଓ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ବିଶାଖାପାଟଣାରେ ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ରାସ୍ତାରେ ସ୍ପିଡ ବ୍ରେକର ନଥିବାରୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ସକାଳ ୯ଟାର ୪ ଘଂଟା ଧରି ରାସ୍ତାରୋକ କରିଥିଲେ । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ବିଏନପୁର ପୁଲିସ ଓ ଗୋପାଳପୁର ପୁଲିସ ପହଂଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।