ଅଶୁଭ ହେଲା ଫେବୃଆରୀର ପ୍ରଥମ ରବିବାର ! ରାଜ୍ୟର ଏକାଧିକ ସ୍ଥାନରେ ସଡକ ଦୁର୍ଘଟଣା

31

କନକ ବ୍ୟୁରୋ : ଅଶୁଭ ରବିବାର । ରାଜ୍ୟର ଏକାଧିକ ସ୍ଥାନରେ ଆଜି ହୋଇଛି ସଡକ ଦୁର୍ଘଟଣା । ଭଂଜନଗର ବିରିକୋଟ ନିକଟରେ ଭାରସାମ୍ୟ ହରାଇ ଏକ ଘରୋଇ ବସ ଗଛରେ ପିଟି ହୋଇଛି । ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ମୁଜାଗଡ଼ ଓ ଭଂଜନଗର ମେଡିକାଲରେ ଚିକିତ୍ସା କରାଯାଇଛି । ଏମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଚଣ୍ଡିଖୋଲ ଟାଙ୍ଗି ବଇଁଚୁଆଁ ନିକଟରେ ଯାତ୍ରୀବାହି ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି ।

ମାଲକାନଗିରି କାଲିମେଳାରେ ଏକ ମିନିଟ୍ରକ୍ ଓଲଟିି ପଡିଛି । ଏହି ଟ୍ରକରେ ୧୫ରୁ ଅଧିକ ବ୍ୟକ୍ତି ଥିବା ବେଳେ ସମସ୍ତେ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ରାୟଗଡା କୁମ୍ଭାର ତାମୁଣୀଠାରୁ ରାମନାଗୁଡା ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣା ଘଟି ୭ ଜଣ ଆହତ ହୋଇଛନ୍ତି । ବାଟପୁଲିସ ଘାଟିରେ ଭାରସାମ୍ୟ ହରାଇ ମିନିଟ୍ରକ ଓଲଟି ପଡିଥିଲା । ଆହତଙ୍କୁ ବିଷମକଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।