କିଏ ପଠାଇଥିଲା ମୃତ୍ୟୁର ଉପହାର ! ସାମ୍ନାକୁ ଆସିଲା ପାସର୍ଲ ପଠାଇଥିବା ବ୍ୟକ୍ତିର ନାଁ, କିନ୍ତୁ ଖଳନାୟକର ପତ୍ତା ପାଉନାହିଁ ପୋଲିସ

34

କନକ ବ୍ୟୁରୋ : ମୃତ୍ୟୁର ଉପହାର ଉପରୁ ଉଠି ପାରୁନି ପରଦା । ପାର୍ସଲରେ ବୋମା ଏବଂ ବିସ୍ଫୋରଣରୁ ୨ଜଣଙ୍କ ମୃତ୍ୟୁ । ଘଟଣାକୁ ୩ଦିନ ବିତିଯାଇଥିଲେ ବି ମିଳିପାରୁନି ଟେର । କିଏ ପଠାଇଥିଲା ପାର୍ସଲ ? ବୋମା ପଠାଇବା ପଛର ଉଦ୍ଦେଶ୍ୟ କ’ଣ ? ଏସବୁ ଭିତରେ କେବଳ ଏତିକି ସ୍ପଷ୍ଟ ହୋଇଛି ଯେ, ଆର.କେ ଶର୍ମା ନାଁରେ ଜଣେ ବ୍ୟକ୍ତି ଏହି ପାର୍ସଲ ପଠାଇଥିଲେ । ତେବେ ଏହି ବ୍ୟକ୍ତି ଜଣକ ପ୍ରକୃତରେ କିଏ ଅଛନ୍ତି ନା’ ନାହିଁ । ତାକୁ ନେଇ କିଛି ବି ସ୍ପଷ୍ଟ ହୋଇନି । ଆଉ ଯେତିକି ଦିନ ଗଡ଼ୁଛି ରହସ୍ୟ ସେତିକି ବଢ଼ୁଛି ।

blastମୃତ୍ୟୁର ଉପହାର ପଠାଇଥିବା ଖଳନାୟକକୁ ଖୋଜୁଛି ବଲାଙ୍ଗୀର ପୁଲିସ । ତେବେ ଦିନ ଯେତିକି ବିତୁଛି, ସେତିକି ରହସ୍ୟ ଭିିତରେ ଛନ୍ଦି ହୋଇଯାଉଛି ଏହି ଘଟଣା । ସୂଚନା ମିଳିଛି ରାୟପୁରରୁ ଆର.କେ ଶର୍ମାଙ୍କ ନାଁରେ ପାଟଣାଗଡ଼ ଆସିଥିଲା ପାର୍ସଲ ବୋମା । ଏହି ଆର.କେ ଶର୍ମା କିଏ, କାହିଁକି ସେ ଏଭଳି ବର୍ବର କାଣ୍ଡର ପ୍ଲଟ ତିଆରି କରିଥିଲା, ସେ ନେଇ ଚାଲିଛି ତନାଘନା । ତେବେ ଆରକେ ଶର୍ମା ନାଁକୁ ନେଇ ମଧ୍ୟ ଉଠୁଛି ସଂଦେହ । କାରଣ ମିଛ ନାଁରେ ପାର୍ସଲ ବୋମା ପଠାଯାଇଥିବା ଯଥେଷ୍ଟ ସମ୍ଭାବନା ରହିଛି । ତେବେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ମୁହଁ ଖୋଲୁନାହିଁ ପୁଲିସ ।

ମୃତ ସୌମ୍ୟଶେଖରଙ୍କ ଘରେ ଯେଉଁଠି ପାର୍ସଲ ଖୋଲୁ ଖୋଲୁ ବିସ୍ଫୋରଣ ଘଟିଥିଲା, ଆଜି ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳକୁ ତନତନ ଯାଂଚ କରିଛନ୍ତି । ସାଇଂଟିଫିକ୍ ଟିମ୍ ମଧ୍ୟ ତଦନ୍ତ ଜାରି ରଖିଛି । କୁହାଯାଉଛି ନିର୍ଦ୍ଦିଷ୍ଟ ସୁରାକ ପାଇବା ପରେ ଆଗକୁ ବଢୁଛି ତଦନ୍ତ । ଏପଟେ ବୋମା ବିସ୍ଫୋରଣରେ ଗୁରୁତର ହୋଇଥିବା ନବବଧୂ ରିମାଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା କହିଛନ୍ତି ରିମାଙ୍କ ବାପା ।

ପାଟଣାଗଡ଼ରେ ବିବାହ ଉପହାର ପାର୍ସଲ ଖୋଲିଲା ବେଳେ ବିସ୍ଫୋରଣ ଘଟିବାରୁ ବର ସୌମ୍ୟଶେଖର ଓ ତାଙ୍କ ଜେଜେମାଆ ମୃତ୍ୟୁବରଣ କରିଥିବା ବେଳେ ନବବଧୂ ରିମା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହି ରହସ୍ୟ ଉପରୁ ପର୍ଦ୍ଦା ଉଠାଇ ମୃତ୍ୟୁର ସୌଦାଗରକୁ ଆଇନର କାଠଗଡ଼ାକୁ ଟାଣିବା ପାଇଁ ଜୋରଦାର ଉଦ୍ୟମ କରୁଛି ପୁଲିସ ।