ବିହାରରେ ଭାଙ୍ଗିଲା ମହାମେଂଟ! ନୀତିଶ କୁମାର ଏନଡିଏର ସମର୍ଥନ ନେବା ପରେ ଆଜି ବିଶ୍ୱାସଘାତକ ଦିବସ ପାଳନ କରୁଛି ଆରଜେଡି

90

କନକ ବ୍ୟୁରୋ : ବିହାରରେ ମହାମେଂଟ ଭାଙ୍ଗିବା ପରେ ଏବେ ରାଜରାସ୍ତାକୁ ଓହ୍ଳାଇଛି ଆରଜେଡି । ନୀତିଶ  କୁମାର ଏନଡିଏର ସମର୍ଥନ ନେବା ପରେ ଆଜି ବିଶ୍ୱାସଘାତକ ଦିବସ ପାଳନ କରୁଛି ଆରଜେଡି । ନୀତିଶ କୁମାର ତାଙ୍କ ସ୍ୱାର୍ଥ ପାଇଁ ମହାମେଂଟ ଭାଙ୍ଗି ବିଶ୍ୱାସଘାତକତା କରିଛନ୍ତି ବୋଲି ଆରଜେଡି କହିଛି । ସାରା ରାଜ୍ୟ ସମେତ ପାଟନାର ମହାତ୍ମା ଗାନ୍ଧୀ ସେତୁ ନିକଟରେ ଆରଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି ।

ସେପଟେ ବିଜେପି ସହ ମେଂଟ କରି ନୀତିଶ କୁମାର  ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରତିକ୍ରିୟା ରଖିଛନ୍ତି ।  ମୋଦି ଓ ନୀତିଶଙ୍କ ଉପରେ ବର୍ଷିଛନ୍ତି ଲାଲୁ । ସେ କହିଛନ୍ତି, ନୀତିଶ ବିହାରକୁ ଧୋକ୍କା ଦେଇଛନ୍ତି । ସେ ସୁବିଧାବାଦୀ ବୋଲି ପୁଣି ଥରେ ପ୍ରମାଣିତ ହେଲା । ସେ ସାଂପ୍ରଦାୟିକ ଶକ୍ତି ସହ ହାତ ମିଳାଇବେ ନାହିଁ ବୋଲି କହିଥିଲେ । ମୋଦିଙ୍କ ଉପରେ ଲାଲୁ ବର୍ଷିଛନ୍ତି । ବିଜେପି ସହ ସେ କେବେ ବି ହାତ ମିଳାଇବେ ନାହିଁ ବୋଲି କହିଛନ୍ତି ଆରଜେଡି ମୁଖ୍ୟ । ଏହାସହ ନୀତୀଶ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି ଲାଲୁ ପ୍ରସାଦ ଯାଦବ  ।

ବୁଧବାର ଏକ ନାଟକୀୟ ଘଟଣାକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହାସହିତ ଠିକ୍‌ ତିନି ବର୍ଷ ପୂର୍ବେ ଲାଲୁ ଯାଦବଙ୍କ ଆରଜେଡି ଏବଂ କଂଗ୍ରେସ ସହ ମିଶି ଗଢ଼ିଥିବା ମହାମେଣ୍ଟରୁ ଓହରିଯାଇଛନ୍ତି । ବୁଧବାର ସନ୍ଧ୍ୟା ୭ଟାରେ ରାଜ୍ୟପାଳଙ୍କୁ ଭେଟି ନୀତିଶ ଇସ୍ତଫା ଦେବାର ୪ ଘଣ୍ଟା ଭିତରେ ବିହାରର ରାଜନୈତିକ ଦୃଶ୍ୟପଟ୍ଟ ସଂପୂର୍ଣ୍ଣ ଓଲଟପାଲଟ ହୋଇଯାଇଥିଲା । ଯେଉଁ ମୋଦିଙ୍କୁ ବିରୋଧ କରି ୨୦୧୩ରେ ବିଜେପି ଛାଡ଼ିଥିଲେ ସେହି ବିଜେପି ସହ ମେଣ୍ଟ କରିବାକୁ ସ୍ଥିର କରିଛନ୍ତି ନୀତିଶ ।

ନୀତୀଶ ଇସ୍ତଫା ଦେବା କ୍ଷଣି ମୋଦି ଟ୍ଵିଟ୍‌ କରି ତାଙ୍କୁ ଅଭିନନ୍ଦନ ଜଣାଇଲେ । ଏପରିକି ରାତି ୧୦ଟାରେ ବିଜେପିର ଅନେକ ନେତା ଓ ବିଧାୟକ ନୀତିଶଙ୍କ ଘରେ ପହଂଚି ବୈଠକ କରିଥିଲେ । ବୈଠକ ସରିବା ପରେ ବିଜେପିର ଏକ ପ୍ରତିନିଧି ଦଳ ୧୦ଟା ୩୦ରେ ରାଜଭବନ ଯାଇ ନୀତିଶଙ୍କ ସପକ୍ଷରେ ସମର୍ଥନ ପତ୍ର ଦେଇଥିଲେ । ଏହାର ଘଣ୍ଟାଏ ପରେ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ବିଜେପି ସହ ମିଶି ସରକାର ଗଠନ କରିବାକୁ ଦାବି ଜଣାଇଥିଲେ ।