ସବୁ ଠିକ ଥିଲା, ଅଚାନକ ନଦୀର ରଙ୍ଗ ହୋଇଗଲା ଲାଲ ! ଆଉ ତାପରେ…

47

ଚୀନର ୟିବିନ ସିଟିରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଗତ ଶୁକ୍ରବାର ଚୀନର ଏକ ନଦୀର ପାଣି ଅଚାନକ ଲାଲ ହୋଇଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଚକିତ ହୋଇଯାଇଥିଲେ । ଏବଂ ନଦୀର ରଙ୍ଗ କିପରି ହଟାତ ପରିବର୍ତ୍ତନ ହୋଇଗଲା ସେନେଇ ସ୍ଥାନୀୟ ଲୋକେ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ।

ନଦୀର ରଙ୍ଗ ଅଚାନକ ଲାଲ ହୋଇଯିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କିଛି ଲୋକ ଏହି ଘଟଣାର ସତ୍ୟତା ବିଷୟରେ ଜାଣିବାକୁ ଚେଷ୍ଟା କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ସର୍ବନାଶର ସଂକେତ ବୋଲି କହୁଥିଲେ । କିନ୍ତୁ ଏହି ଘଟଣା ଉପରୁ ଖୁବ ଶୀଘ୍ର ପରଦା ହଟାଇଥିଲେ ଅଧିକାରୀ ।

ଅଧିକାରୀଙ୍କ କହିବା ଅନୁସାରେ, ନଦୀ ପାଖରେ ଥିବା ହେଶୁନ ପ୍ୟାକେଜିଂ କମ୍ପାନୀ ଫ୍ୟାକ୍ଟ୍ରିର ଶ୍ରମିକ ମାନେ ଭୁଲବଶତଃ ନଦୀରେ ବିପୁଳ ପରିମାଣରେ ରଙ୍ଗ ମିଶାଇ ଦେଇଥିଲେ । ଯାହା ଫଳରେ ନଦୀର ଜଳ ଅଚାନକ ଲାଲ ହୋଇଯାଇଥିଲା । ଅଧିକାରୀ ଲୋକଙ୍କୁ ଆଶ୍ୱସନା ଦେଇ ଏହା ମଧ୍ୟ କହିଛନ୍ତି, ଚିନ୍ତା କରିବାର କୌଣସି କାରଣ ନାହିଁ ଏବେ ନଦୀ ଜଳକୁ ସମ୍ଫୁର୍ଣ୍ଣ ଭାବେ ସଫା କରିଦିଆ ଯାଇଛି । ଏଥି ସହିତ କମ୍ପାନୀର କର୍ମଚାରୀ ମାନେ କିପରି ଭୁଲବଶତଃ ପଣିରେ ଲାଲ ରଙ୍ଗ ମିଶାଇ ଦେଇଥିଲେ ଏନେଇ ଏବେ ଏହାର ତଦନ୍ତ ଜାରି ରହିଛି ।

ଏହା ପୂର୍ବରୁ ୨୦୧୬ ମସିହାରେ ସାଇବେରିଆର ଏକ ନଦୀର ପାଣି ଅଚାନକ ଲାଲ ହୋଇ ଯାଇଥିଲା । ସେତେବେଳେ ମଧ୍ୟ ଏହାକୁ ଦେଖି ସ୍ଥାନୀୟ ଲୋକ ଚକିତ ହୋଇଯାଇଥିଲେ । ସେତେବେଳେ ନ୍ୟାସନାଲ ଜିଓଗ୍ରାଫିକ ରିପୋର୍ଟରେ କୁହାଯାଇଥିଲା ଯେ, ଏହି କ୍ଷେତ୍ରରେ ପ୍ରାକୃତିକ ଉପାୟରେ ଳୁହା ତରଳିଥିବା କିମ୍ବା ରାସାୟନିକ କାରଣ ଯୋଗୁଁ ନଦୀ ଲାଲ ରଙ୍ଗ ହୋଇଯାଇଥିଲା ।