ଗାଁ ଦାଣ୍ଡରେ ନଈ । ନଦୀ ଗର୍ଭରେ ଲୀନ ହେବାକୁ ବସିଛି କେନ୍ଦ୍ରାପଡା ରାଜନଗରରେ ୧୨ ଗାଁ, ଭୟଭୀତ ଅବସ୍ଥାରେ ଗ୍ରାମବାସୀ ।

412

କନକ ବ୍ୟୁରୋ : କୂଳ ଲଂଘି ଗାଁ ଦାଣ୍ଡରେ ନଈ । ନଦୀ ଗର୍ଭରେ ଲୀନ ହେବାକୁ ବସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ୧୨ଟି ଗାଁ । ବ୍ରାହ୍ମଣୀ-ପାଟଶାଳା ଓ ହଂସୁଆ ନଦୀର ସଙ୍ଗମ ସ୍ଥଳରେ ନଦୀର ସ୍ରୋତ ଧୋଇ ନେଉଛି ପଥର ପ୍ୟାକିଂ । ଯାହାକୁ ଦେଖି ଜୀବନ ମରଣ ଚିନ୍ତାରେ ଗ୍ରାମବାସୀ ।

ବ୍ରାହ୍ମଣୀ, ପାଟଶାଳା ଓ ହଂସୁଆ ନଦୀର ସଂଗମ ସ୍ଥଳ । ଏହା ଏବେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ୧୨ଟି ଗାଁ ପାଇଁ ବିପଦ ପାଲଟିଛି । ମିଳନ ସ୍ଥଳରେ ପ୍ରବଳ ସ୍ରୋତ ଓ ନଦୀର ଗତିପଥର ପରିବର୍ତନ ଯୋଗୁଁ ଏବେ ଘର ଅଗଣାରେ ପହଂଚି ସାରିଛି ନଇ । ଯାହାକୁ ଦେଖି ପ୍ରତି ମୂର୍ହତରେ ମରି ମରି ବଂଚୁଛନ୍ତି ଦକ୍ଷିଣଭେଡା, ଉଆସିଡ଼ିହ, ଯଦୁଚନ୍ଦ୍ରପୁର, ପଶ୍ଚିମଭେଡ଼ା, ଝାଡକଟା, ଲୋକନାଥପ୍ରସାଦ ଭଳି ୧୨ଟି ଗାଁର ଲୋକେ ।

ପୂର୍ବରୁ ପାଟଶାଳା ନଦୀ ଗର୍ଭରେ ଲୀନ ହୋଇସାରିଛି ଦକ୍ଷିଣଭେଡା ଗାଁର ୩୦ ପରିବାରର ଘର ଡିହ । ଏବେ ସେମାନେ ଅନ୍ୟତ୍ର ବସବାସ କରୁଛନ୍ତି । ନଈ ପାଇଁ ଭୂମିହୀନ ହୋଇଛନ୍ତି ଅନେକ । ଏକର ଏକର ଚାଷ ଜମି ନଦୀ ଗିଳି ସାରିଛି । ତେବେ ଗାଁ ଗୁଡିକର ସୁରକ୍ଷା ପାଇଁ ତଟବନ୍ଧ ପକ୍ଷରୁ ନଦୀ ବନ୍ଧରେ ପଥର ପ୍ୟାକିଂ କରାଯାଇଛି । ହେଲେ ତାହା ନାମକୁ ମାତ୍ର । ନିମ୍ନ ମାନର କାମ ଯୋଗୁଁ ନଦୀ ସ୍ରୋତରେ ଭାସି ଯାଇଛି ପଥର ପ୍ୟାକିଂ, ଯାହା ଏବେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛି ।

ସବୁଠାରୁ ବଡ କଥା ହେଉଛି ଗାଁରେ ପକ୍କା ରାସ୍ତା ନିର୍ମାଣ କରାଯାଇଛି । ହେଲେ ଗାଁର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ସ୍ଥାନୀୟ ବିଧାୟକ ଧ୍ରୁବ ଚରଣ ସାହୁ ।