ବିଜେପୁର ରଣାଙ୍ଗନରେ ଯୋଦ୍ଧା ଧରି ଦମ ଦେଖାଇବେ ରୀତା! ୫ରେ ଭରିବେ ନାମାଙ୍କନ

27

କନକ ବ୍ୟୁରୋ: ବିଜେପୁର ମହାସମର ପାଇଁ ବାଜି ସାରିଛି ବିଗୁଲ । ବିଜେପୁର ମହାଭାରତରେ ଉଭୟ ବିଜେଡି ଓ ବିଜେପି ସମ୍ମାନର ଲଢେଇ ଲଢିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଛନ୍ତି । ବିଜେପୁର ଯୁଦ୍ଧରେ ପରସ୍ପରକୁ ପରାହତ କରିବା ପାଇଁ ସବୁ ପ୍ରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଛନ୍ତି ଉଭୟ ଦଳ । ଏପରିିକି ଏନେଇ ଶୁକ୍ରବାର ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ । ଫାଇନାଲ ଫାଇଟ ପୂର୍ବରୁ ଅଭ୍ୟାସ ମ୍ୟାଚରେ ଦମ ଦେଖାଇଛନ୍ତି ଅଶୋକ । ଶୁକ୍ରବାର ଅଶୋକ ଏକ ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅଶୋକଙ୍କ ଏହି ଶୋଭାଯାତ୍ରାରେ ସାମିଲ ଥିଲେ ବିଜେପୁର ତୁଙ୍ଗ ନେତା, ଅଭିନେତା ଓ ହଜାର ହଜାର କର୍ମୀ । ଏତେବଡ ଶୋଭାଯାତ୍ରା ଦେଖି ବିଜେଡି କ୍ୟାମ୍ପରେ ଭ୍ରୃକୁଞ୍ଚନ ସୃଷ୍ଟି ହୋଇଛି । ଅଶୋକଙ୍କ ସହ ଏତେ କର୍ମୀ ଆସିବା ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ବିଜେଡି ମଧ୍ୟ ବିଜେପୁରରେ ଶକ୍ତି ପ୍ରଦର୍ଶନ କରିବାକୁ ଆରମ୍ଭ କରିଛି କସରତ ।

bijepurବିଜେପି ପରେ ଏବେ ବିଜେଡି ପାଳି । ଆସନ୍ତା ୫ ତାରିଖରେ ରୀତା ସାହୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଆଉ ଏହାପାଇଁ ଏବେଠୁ ସଜବାଜ ହେଲାଣି ଶାସକ ବିଜେଡି । କାରଣ ବିଜେପିର ଶକ୍ତି ପ୍ରଦର୍ଶନ ପରେ ହାତରେ ଦୁଇଦିନ ସମୟ ପାଇଛି ବିଜେଡି । ଯେଉଁଭଳି ଅଶୋକଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଏକ ବିଶାଳ ଶୋଭାଯାତ୍ରା କରି ବିଜେପି ନିଜର ସାଂଗଠାନିକ ସ୍ଥିିତିକୁ ଦର୍ଶାଇଥିଲା ତାହାଠାରୁ ଆହୁରି ବିଶାଳ ଆୟୋଜନ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡିର ବିଜେପିର ଦାୟିତ୍ୱରେ ଥିବା ମୁଖ୍ୟ ପୁରୋଧା । ଶୋଭାଯାତ୍ରାରେ ବିଜେଡି ନିଜର ଲୋକପ୍ରିୟତା ଦେଖାଇବାକୁ ପ୍ରୟାସ କରିବ ।ତେଣୁ ଏହାକୁ ଆଦୌ ହାଲକା ଭାବରେ ନେଉ ନାହିଁ ବିଜେଡି । ଏପରିକି ବିଜେପୁର ଗଡ ଜିତିବା ପାଇଁ ବିଜେଡି ଯେଉଁ ଯୋଦ୍ଧାଙ୍କୁ ମଇଦାନକୁ ପଠାଇଛି ସେମାନେ ହିଁ ୫ ତାରିଖ ପାଇଁ ଏବେଠୁ ପ୍ରସ୍ତୁତ ହୋଇ ସାରିଲେଣି ।

bijepurଆସନ୍ତା ୫ ତାରିଖ ଦିନ ବିଜେପୁରରେ ବିଜେଡି ପାଇଁ ମାହୋଲ ସୃଷ୍ଟି କରିବାକୁ ଦଳର ଛାମୁଆ ଗୋଷ୍ଠୀ ତତ୍ପର ହୋଇ ଉଠିଛି । ଆଉ ଏହାର ମଙ୍ଗ ଧରିଛନ୍ତି ଶଙ୍ଖ ଦଳର ବରିଷ୍ଠ ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ବିଜେପୁର ପାଇଁ ପ୍ରସନ୍ନଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ । ନିର୍ବାଚନ ପରିଚାଳନା କରିବାର ଦାୟିତ୍ୱ ରହିଛି ପ୍ରସନ୍ନଙ୍କ ମୁଣ୍ଡ ଉପରେ । ତେଣୁ ବିଜେପୁର ପାଇଁ ପ୍ରସନ୍ନଙ୍କ ଦାୟିତ୍ୱ ଅଧିକ ବଢିଯାଇଛି । ଏସବୁ ଭିତରେ ଆଗାମୀ ୫ ତାରିଖରେ ରୀତା ସାହୁଙ୍କ ନାମାଙ୍କନ ଦାଖଲ ବେଳେ ଯେପରି ଅଧିକ ଅଧିକ କର୍ମୀ ଯୋଗ ଦେବେ ସେ ନେଇ ଏବେଠୁ ଅଙ୍କ କଷିବା ଆରମ୍ଭ କରିଛନ୍ତି ପ୍ରସନ୍ନ । ବିଜେପିକୁ ହାଇଭୋଲଟେଜ ଝଟକା ଦେବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାରେ ଆଦୌ ହେଳା କରୁନାହାନ୍ତି ବିଜେଡିର ଏହି ତୁଙ୍ଗ ନେତା । ଆଗାମୀ ୫ ତାରିଖରେ ପଶ୍ଚିମ ଓଡ଼ିଶାର ସମସ୍ତ ବିଜେଡି ବିଧାୟକ ରୀତା ସାହୁଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ଯୋଗଦେବେ ବୋଲି ପ୍ରସନ୍ନ କହିଛନ୍ତି ।

RITA-SAHU-UPବିଜେପି ଯେଉଁଭଳି ଭାବେ ଓଲିଉଡ ଷ୍ଟାରଙ୍କୁ ଅଶୋକ ପାଣିଗ୍ରାହୀଙ୍କ ଶୋଭାଯାତ୍ରାରେ ସାମିଲ କରି ଲୋକଙ୍କୁ ନିଜ ଆଡକୁ ଟାଣି ଆଣିଥିଲା । ବିଜେଡି ମଧ୍ୟ ସେହି ସମାନ ଷ୍ଟାଇଲ ଆପଣାଇପାରେ । ରୀତା ସାହୁଙ୍କ ଶୋଭାଯାତ୍ରାରେ ବିଜେଡିର ଅନେକ ଓଲିଉଡ ଷ୍ଟାର ପ୍ରଚାରକଙ୍କୁ ଦେଖିବାକୁ ମିଳିବ । ଆଉ ଏହିମାନେ ହିଁ ବିଜେଡି ଶୋଭାଯାତ୍ରା ପାଇଁ ଟ୍ରମ୍ପକାର୍ଡ ସାଜି ପାରନ୍ତି । ଏହାଛଡା ଯେଉଁ ନେତା ବା ମନ୍ତ୍ରୀଙ୍କୁ ଯେଉଁ ବ୍ଲକର ଦାୟିତ୍ୱ ଦିଆଯାଇଛି ସେଠାରୁ ଯେପରି ଅଧିକରୁ ଅଧିକ ବିଜେଡି କର୍ମୀ ରୀତା ସାହୁଙ୍କ ନାମାଙ୍କନ ସମୟରେ ଉପସ୍ଥିତ ରହିବେ ସେନେଇ ଜୋରଦାର ଉଦ୍ୟମ ଚାଲିଛି । ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡି ଏଭଳି ଭାବେ ଶକ୍ତି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଯାହା ବିଜେପିକୁ ଚିନ୍ତାରେ ପକାଇବ । କାରଣ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ପାଥେୟ କରି ବିଜେପୁର ପାଇଁ ବିଜେପି ଯେଉଁ ସ୍ୱପ୍ନ ଦେଖୁଛି ତାହାକୁ ଧୂଳିସାତ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏବେ ଦେଖିବାକୁ ବାକି ରହିଲା ଫାଇନାଲ ଫାଇଟ ପୂର୍ବରୁ ଅଭ୍ୟାସ ମ୍ୟାଚରେ କିପରି ପ୍ରଦର୍ଶନ କରୁଛି ବିଜେଡି ।