ପଦ୍ମ ଧରିଲେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ । ବିଜେଡି ଟିକେଟ ପାଇଁ ମିଳିଲାନି ଗ୍ରୀନ୍ ସିଗନାଲ, ବିଜେପି ଶିବିରକୁ ମାରିଲେ ଏଣ୍ଟ୍ରି ।

551

କନକ ବ୍ୟୁରୋ : ବାପା ବିଜେଡିରେ, ପୁଅ ବିଜେପିରେ । ପଦ୍ମ ଧରିଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ । ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହେଲେ ରିଷଭ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରିଷଭ ।

ପୂର୍ବରୁ ରିଷଭ ବେଗୁନିଆରୁ ବିଜେଡି ଟିକେଟ ପାଇଁ ଆଶାବାଦୀ ଥିଲେ । ଏପରିକି ବେଗୁନିଆରେ ଲୋକସର୍ମ୍ପକ ବଢାଇବା ସହ ନିଜର ସଙ୍ଗଠନକୁ ସୁଦୃଢ କରିଥିଲେ ରିଷଭ । ତେବେ ଟିକେଟ ମିଳିବା ନେଇ ତାଙ୍କୁ ଦଳ ପକ୍ଷରୁ କୌଣସି ସଂକେତ ମିଳିନଥିବା ବେଳେ ନିଜର ରାଜନୈତିକ ଭବିଷ୍ୟତକୁ ଆଗକୁ ନେବା ପାଇଁ ପଦ୍ମ ଶିବିରକୁ ଏଣ୍ଟ୍ରି କରିଛନ୍ତି ରିଷଭ ।

ରିଷଭ ହେଉଛନ୍ତି ବିଜେଡି ଟିକେଟରୁ ରାଜ୍ୟସଭା ସାଂସଦ ହୋଇଥିବା ପ୍ରଶାନ୍ତ ନନ୍ଦଙ୍କ ପୁଅ । ପୂର୍ବରୁ ପ୍ରଶାନ୍ତ ବେଗୁନିଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୪ରେ ଦଳ ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ଦେଇଥିବା ବେଳେ ପ୍ରଶାନ୍ତ ନନ୍ଦଙ୍କୁ ରାଜ୍ୟସଭା ପଠାଇଥିଲା । ତେବେ ରିଷଭ ବିଜେପିରେ ଯୋଗ ଦେବା ପରେ ବେଗୁନିଆ ରାଜନୈତିକ ସମୀକରଣ କଣ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।