ସ୍ଲେଜିଂରେ ଅଷ୍ଟ୍ରେଲିଆ ଖେଳାଳୀଙ୍କୁ ମାତ୍ ଦେଲେ ରିଷଭ ପନ୍ଥ ! ଷ୍ଟମ୍ପ୍ ମାଇକରେ କଏଦ ହେଲା ପ୍ରତ୍ୟେକ ବଲର କାହାଣୀ ।

867

ଚର୍ଚ୍ଚାରେ ରିଷଭ ପନ୍ଥଙ୍କ ୱିକେଟ୍ କିପିଂ । ଆଡିଲେଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ବାଜି ମାରିଛି ବିରାଟ ବାହିନୀ । କିନ୍ତୁ ଏହି ମ୍ୟାଚ ପରେ ଯୁବ ତାରକା ତଥା ଭାରତୀୟ ଦଳର ୱିକେଟ୍ ରକ୍ଷକ ରିଷଭ ପନ୍ଥ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତେବେ ଚର୍ଚ୍ଚା ତାଙ୍କ ବ୍ୟାଟିଂ କିମ୍ବା ୱିକେଟ୍ କିପିଂକୁ ନେଇ ନୁହେଁ ବରଂ ୱିକେଟ୍ ପଛରେ ତାଙ୍କ କମେଣ୍ଟ୍ରିକୁ ନେଇ ।

ତେବେ ପ୍ରକୃତ ଘଟଣା ହେଉଛି, ପ୍ରଥମ ଟେଷ୍ଟ ମ୍ୟାଚ୍ ସମୟରେ ଅଷ୍ଟ୍ରେଲିଆର ବ୍ୟାଟିଂ ଚାଲିଥିବା ବେଳେ କ୍ରିଜରେ ଥିଲେ ସନ ମାର୍ସ ଏବଂ ଟିମ୍ ପେନ୍ । ସନ୍ ମାର୍ସ ଅର୍ଦ୍ଧଶତକୀୟ ପାଳି ଖେଳି କ୍ରିଜରେ ଉପସ୍ଥିତ ଥିଲେ । ମ୍ୟାଚ ଚାଲୁଥିବା ବେଳେ ଏକ ସମୟରେ ଭାଷ୍ୟକାର ଚୁପ୍ ରହିଯାଇଥିବା ବେଳେ ରିଷଭ ପନ୍ଥଙ୍କ କମେଣ୍ଟ୍ରି ଶୁଣିବାକୁ ମିଳିଥିଲା । ଏହି ସମୟରେ ରିଷଭ ୱିକେଟ ପଛରେ ରହି ବ୍ୟାଟ୍ସମ୍ୟାନ ମାନଙ୍କୁ ଉତ୍ତେଜିତ କରିବା ପାଇଁ ଚିଡାଉଥିବାର ଦେଖିବାକୁ ମିଳିଥିଲା ।

ବ୍ୟାଟ୍ସମ୍ୟାନଙ୍କୁ ଚିଡାଉଥିବାର ସେହି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଶୁଣିବାକୁ ମିଳୁଛି ଯେ, ପନ୍ଥ ବ୍ୟାଟ୍ସମ୍ୟାନଙ୍କୁ ଉତ୍ତେଜିତ କରାଇବା ପାଇଁ ଚିଡାଉଛନ୍ତି । ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନୀ ବୋଲିଂ କରୁଥିବା ବେଳେ କଙ୍ଗାରୁ ଦଳର ବ୍ୟାଟ୍ସମ୍ୟାନ ଠିକ୍ ଭାବେ ତାଙ୍କୁ ସାମ୍ନା କରିପାରୁନଥିଲେ । ଆଉ ଏହାର ଫାଇଦା ନେଇ ରିଷଭ ପନ୍ଥ ନିଜ ଶବ୍ଦ ବାଣ ଛାଡିବା ଆରମ୍ଭ କରିଦେଇଥିଲେ । ଏହି ଭିଡିଓରେ ଶୁଣିବାକୁ ମିଳୁଛି ଯେ, ରିଷଭ ପନ୍ଥ ବ୍ୟାଟ୍ସମ୍ୟାନଙ୍କୁ ଛକା ମାରିବା ପାଇଁ ଉତ୍ତେଜିତ କରୁଛନ୍ତି । ପନ୍ଥ ଆହୁରି କହିଛନ୍ତି ଯେ, ଏଠାରେ ତିଷ୍ଠି ରହିବା ଏବଂ ଖେଳିବା ସହଜ ନୁହେଁ । କିନ୍ତୁ ବ୍ୟାଟ୍ସମ୍ୟାନ ପନ୍ଥଙ୍କ କଥାକୁ ଧ୍ୟାନ ନଦେଇ ନିଜ ଖେଳ ଜାରି ରଖିଥିଲେ ।