ବଢ଼ିବ ଆୟ , ସୁଦୃଢ଼ ହେବ କୃଷକଙ୍କ ଆର୍ଥିକ ସ୍ଥିତି : ସାର୍ବଜନୀନ ନିବେଶ ଉପରେ ଗୁରୁତ୍ୱଦେଲା କେନ୍ଦ୍ରୀୟ କମିଟି

33

କନକ ବ୍ୟୁରୋ: ବଢ଼ିବ କୃଷକଙ୍କ ଆୟ । ସୁଦୃଢ଼ ହେବ ଦେଶର କୃଷିଜନିତ ସ୍ଥିତି । କେନ୍ଦ୍ର ସରକାରଙ୍କ ଏକ କମିଟିର ତାଜା ରିପୋର୍ଟରେ କୁହାଯାଇଛି ଯେ, ୨୦୨୨-୨୩ ପର୍ଯ୍ୟନ୍ତ କୃଷକଙ୍କ ବ୍ୟବସାୟିକ ଆୟ ଦୁଇଗୁଣା କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର । ଏନେଇ ସାର୍ବଜନୀନ ଓ ବ୍ୟକ୍ତିଗତ ଦୁଇକ୍ଷେତ୍ରରେ ଅତିରିକ୍ତ ପ୍ରାୟ ୬,୩୩୯ କୋଟି ଟଙ୍କା ନିବେଶ କରାଯିବାର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି ।
୧୯୪୭ ସ୍ୱାଧୀନତା ପରଠାରୁ ଦେଶର କୃଷି ବ୍ୟବସ୍ଥାରେ କୌଣସି ଆଖିଦୃଷିଆ ସୁଧାର ଆସିନାହିଁ । ଏବେବି ଅନେକ କୃଷକ ଗରିବୀ ସୀମାରେଖା ତଳେ ରହିଛନ୍ତି ।

ଆସାମ, କେରଳ, ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ଓଡିଶା, ରାଜସ୍ଥାନ ଓ ପଞ୍ଜାବ ଭଳି ରାଜ୍ୟରେ ଅନୁନ୍ନତ ଅବସ୍ଥାରେ ରହିଛନ୍ତିି କୃଷକ ପରିବାର । ତେଣୁ ଏହିସବୁ ରାଜ୍ୟରେ କୃଷିକ୍ଷେତ୍ରରେ ସୁଧାର ଆଣିବା ପାଇଁ ଅଧିକ ପାଣ୍ଠି ନିବେଶର ଆବଶ୍ୟକତା ରହିଛି । କୃଷକଙ୍କ କଲ୍ୟାଣ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ନ୍ୟାସନାଲ ରେନଫେଡ ଏରିଆ ଅଥରିଟି ଅଶୋକ ଦଲୱାଇ । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟରେ ନିଜ ରିପୋର୍ଟର ପ୍ରଥମ ୪ଟି ଅନୁଚ୍ଛେଦକୁ ଅପଲୋଡ କରିଛନ୍ତି ।

ରିପୋର୍ଟରେ ସନ୍ତୁଳିତ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି । ଦେଶର ସବୁ ପ୍ରାନ୍ତରେ ସମାନ ଭାବରେ ବିକାଶ ହେବାର ଆବଶ୍ୟକତା ରହିଛି । ତେଣୁ ଏ ଦିଗରେ ନଜର ଦେବାର ଆବଶ୍ୟକତା ରହିଛି । କୃଷକଙ୍କ ଆୟରେ ୧୦.୪୧ପ୍ରତିଶତ ବାର୍ଷିକ ବୃଦ୍ଧି ନିମେନ୍ତ ୭.୮ ପ୍ରତିଶତ ବ୍ୟକ୍ତିଗତ ନିବେଶ ଓ ୧୪.୧୭ପ୍ରତିଶତ ସାର୍ବଜନୀନ ନିବେଶ କରାଯିବା ଦରକାର । ବର୍ତ୍ତମାନ କରାଯାଇଥିବା ନିବେଶରେ ଅନେକ ଦୂରତ୍ୱ ଥିବା ଲକ୍ଷ୍ୟ କରାଯାଉଛି । କେଉଁ ରାଜ୍ୟରେ ଏକ ପ୍ରତିଶତ ତ କେଉଁଠି ୧୪ ପ୍ରତିଶତ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ରିପୋର୍ଟ ଅନୁଯାୟୀ କମ୍ ବିକଶିତ ରାଜ୍ୟର ଗ୍ରାମୀଣ କ୍ଷେତ୍ରକୁ ଅଧିକ ଫୋକସ କରାଯିବାର ଆବଶ୍ୟକତା ରହିଛି । କାରଣ ସେଠାରେ ବ୍ୟକ୍ତିଗତ ନିବେଶ କମ୍ ରହିଥିବାରୁ ସାର୍ବଜନୀନ ନିବେଶ ଉପରେ ଗୁରୁତ୍ୱ ଦିଆନଗଲେ ବିକାଶ ସନ୍ତୁଳିତ ହେବନାହିଁ । କମିଟି କୃଷିଋଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛି । ଆବଶ୍ୟକତା ଅନୁସାରେ ଋଣ ଯୋଗାଇବା ଦରକାର । ୨୦୧୫-୧୬ ତୁଳନାରେ ୨୦୨୨-୨୩ ଆର୍ଥିକବର୍ଷରେ ଦେଶର କୃଷକଙ୍କ ବାର୍ଷିକ ଆୟ ୪ଗୁଣା ବୃଦ୍ଧି କରାଯିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି ।