ସୁପ୍ରିମକୋର୍ଟଙ୍କ ରାୟ ପରେ ବଢୁଛି ଚର୍ଚ୍ଚା : କେତେଦୂର ଯାଏ ଲମ୍ବିଛି ବ୍ୟକ୍ତିଗତ ଗୋପନୀୟତାର ସୀମା ?

33

କନକ ବ୍ୟୁରୋ : ବ୍ୟକ୍ତିଗତ ଗୋପନୀୟତାର ଅଧିକାର ବନାମ ଯୁକ୍ତିଯୁକ୍ତ କଟକଣା ନେଇ ଯେଉଁ ସନ୍ଦେହ ରହିଛି ତାହାକୁ ସୁପ୍ରିମକୋର୍ଟ ତାଙ୍କର ଗୁରୁବାରର ଐତିହାସିକ ରାୟରେ ଅନେକାଂଶରେ ଦୂର କରିଛନ୍ତି । ଆଧାର କାର୍ଡ ପ୍ରସ୍ତୁତି ବନାମ ଗୋପନୀୟତାର ଅଧିକାର ସଂପର୍କରେ ୫-ଜଣିଆ ଖଣ୍ଡପୀଠ ପରେ ସ୍ପଷ୍ଟ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

କ’ଣ ହେବ ବ୍ୟକ୍ତିଗତ ଗୋପନୀୟତାର ସୀମାରେଖା? କାହାକୁ ବ୍ୟକ୍ତିଗତ ଗୋପନୀୟ କୁହାଯିବ ଏବଂ ଏହାର ପରିସୀମା କ’ଣ ହେବ । ତାକୁ ନେଇ ଏବେ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ । ବ୍ୟକ୍ତିଗତ ଗୋପନୀୟତାକୁ ସୁପ୍ରିମକୋର୍ଟ କହିବା ପରେ କ’ଣ ହେବ କଟକଣା ତାହାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ଏଭଳି ସ୍ଥିତିରେ ଗୋପନୀୟତାର ସୀମା ନିର୍ଦ୍ଧାରଣ କରିବା ସରକାରଙ୍କ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି ।

ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ପରେ ଆଧାରକାର୍ଡ ଉପରେ ଏକ ବିରାଟ ପ୍ରଶ୍ନଚିହ୍ନ ଲାଗିଛି । କାରଣ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାରକୁ ବାଧ୍ୟତାମୂଳକ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଯେଉଁଥିପାଇଁ ଜଣେ ବ୍ୟକ୍ତିଙ୍କ ଆଙ୍ଗୁଳି ଛାପ ଓ ଆଖି ଡୋଳାର ସ୍କାନ କରାଯାଉଛି । ଏହାକୁ ବ୍ୟକ୍ତିଗତ ଗୋପନୀୟତା ଉପରେ ଅଯଥା ହସ୍ତକ୍ଷେପ କହି ବିରୋଧ ମଧ୍ୟ ହେଉଛି । ତେବେ କୋର୍ଟଙ୍କ ରାୟ ଆସିବା ପରେ କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି ଏହାକୁ ସରକାର ସ୍ୱାଗତ କରୁଛନ୍ତି, କିନ୍ତୁ ବ୍ୟକ୍ତିଗତ ଗୋପନୀୟତା ଅଧିକାର କିମ୍ବା ରାଇଟ ଟୁ ପ୍ରାଇଭେସି ଏକ ସଂପୂର୍ଣ୍ଣ ଅଧିକାର ହୋଇପାରିବ ନାହିଁ ଏବଂ ଆବଶ୍ୟକସ୍ଥଳେ ଉଚିତ ପ୍ରତିବନ୍ଧକ ଲଗାଯାଇପାରିବ ।