ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : କହିଲେ ବ୍ୟକ୍ତିଗତ ଗୋପନୀୟତା ମୌଳିକ ଅଧିକାର,ଆଧାର କାର୍ଡର ଭବିଷ୍ୟତ ଉପରେ ଲାଗିଲା ପ୍ରଶ୍ନବାଚୀ

95

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ବ୍ୟକ୍ତିଗତ ଗୋପନୀୟତାକୁ ମୌଳିକ ଅଧିକାର ବୋଲି କହିବା ସହ କେନ୍ଦ୍ରରେ ମୋଦି ସରକାରଙ୍କୁ ଦେଇଛନ୍ତି ଜବଦସ୍ତ ଝଟକା । ଆଧାର କାର୍ଡ ଉପରେ ଏକ ବଡଧରଣର ପ୍ରଶ୍ନବାଚୀ ସୃଷ୍ଟି କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୧୩୪ କୋଟି ଲୋକଙ୍କୁ ଚୁଇଁଲା ଭଳି ରାୟ ଦେଇ କହିଛନ୍ତି, ପ୍ରତ୍ୟେକ ନାଗରିକର ବ୍ୟକ୍ତିଗତ ଗୋପନୀୟତା ବା ରାଇଟ ଟୁ ପ୍ରାଇଭେସି ଏକ ମୌଳିକ ଅଧିକାର । ସମ୍ବିଧାନର ଧାରା ୨୧, ଜୀବନଧାରଣର ଅଧିକାର ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ନିଶ୍ଚିତ କରୁଥିବାବେଳେ ବ୍ୟକ୍ତିଗତ ଗୋପନୀୟତା ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଗୁରୁବାର ସୁପ୍ରିମକୋର୍ଟଙ୍କ ୯ ଜଣିଆ ଖଣ୍ଡପୀଠ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି –

୧- ବ୍ୟକ୍ତିଗତ ଗୋପନୀୟତା ଏକ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର
୨- କାରଣ ଏହା ଜୀବନଧାରଣର ଅଧିକାରର ଏକ ଅବିଚ୍ଛେଦ୍ୟ ଅଙ୍ଗ
୩- ୮ ଓ ୬ ଜଣିଆ ଖଣ୍ଡପୀଠଙ୍କ ପୂର୍ବ ରାୟକୁ ଖାରଜ କଲେ କୋର୍ଟ
୪- ଏମପି ଶର୍ମା ଓ ଖରକ ସିଂହ ମାମଲାରେ ଆସିଥିବା ରାୟ ଖାରଜ
୫- ଉଭୟ ମାମଲାରେ ବ୍ୟକ୍ତିଗତ ଗୋପନୀୟତା ମୌଳିକ ଅଧିକାର ନୁହେଁ ବୋଲି ଆସିଥିଲା ରାୟ

ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ପରେ ଆଧାରକାର୍ଡ ଉପରେ ଏକ ବିରାଟ ପ୍ରଶ୍ନଚିହ୍ନ ଲାଗିଛି । କାରଣ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାରକୁ ବାଧ୍ୟତାମୂଳକ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଯେଉଁଥିପାଇଁ ଜଣେ ବ୍ୟକ୍ତିଙ୍କ ଆଙ୍ଗୁଳି ଛାପ ଓ ଆଖି ଡୋଳାର ସ୍କାନ କରାଯାଉଛି । ଏହାକୁ ବ୍ୟକ୍ତିଗତ ଗୋପନୀୟତା ଉପରେ ଅଯଥା ହସ୍ତକ୍ଷେପ କହି ବିରୋଧ ମଧ୍ୟ ହେଉଛି । ତେବେ କୋର୍ଟଙ୍କ ରାୟ ଆସିବା ପରେ କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି ଏହାକୁ ସରକାର ସ୍ୱାଗତ କରୁଛନ୍ତି, କିନ୍ତୁ ବ୍ୟକ୍ତିଗତ ଗୋପନୀୟତା ଅଧିକାର କିମ୍ବା ରାଇଟ ଟୁ ପ୍ରାଇଭେସି ଏକ ସଂପୂର୍ଣ୍ଣ ଅଧିକାର ହୋଇପାରିବ ନାହିଁ । ଏବଂ ଆବଶ୍ୟକସ୍ଥଳେ ଉଚିତ ପ୍ରତିବନ୍ଧକ ଲଗାଯାଇପାରିବ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ଗତ ମେ ୨ ତାରିଖରେ ଆଟର୍ଣ୍ଣି ଜେନେରାଲ ମୁକୁଲ ରହତୋଗୀ କହିଥିଲେ ଯେ, ବ୍ୟକ୍ତି ନିଜର ଶରୀର ଉପରେ ମଧ୍ୟ ସଂପୂର୍ଣ୍ଣ ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ । ସେପଟେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି ସୁପ୍ରିମକୋର୍ଟଙ୍କ ଏହି ରାୟ ବିରାଟ ଦ୍ୱନ୍ଦ୍ୱ ସୃଷ୍ଟି କରିବ ।

ୟୁପିଏ ସରକାର ସମୟରେ ଆଧାରକାର୍ଡ ପ୍ରଚଳନ କରାଯାଇଥିବାବେଳେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଅନେକଗୁଡିଏ ପିଟିସନ ହୋଇଥିଲା । କୋର୍ଟ ଏଗୁଡିକର ଏକକାଳୀନ ଶୁଣାଣି କରି କେବଳ ବ୍ୟକ୍ତିଗତ ଗୋପନୀୟତା ଉପରେ ରାୟ ଦେଇଛନ୍ତି । ଆଉ ଆଗାମୀ ଦିନରେ ସୁପ୍ରିମକୋର୍ଟଙ୍କ ଏକ ୫ଜଣିଆ ଖଣ୍ଡପୀଠ ଆଧାର କାର୍ଡ ପାଇଁ ନିଆଯାଉଥିବା ତଥ୍ୟ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ କ୍ଷୁର୍ଣ୍ଣ କରୁଛି କି ନାହିଁ ସେନେଇ ଶୁଣାଣି କରିବେ ।