ବ୍ୟକ୍ତିଗତ ଗୋପନୀୟତା ମୌଳିକ ଅଧିକାର ଅନ୍ତର୍ଭୁକ୍ତ:ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

53

କନକ ବ୍ୟୁରୋ : ରାଇଟ ଟୁ ପ୍ରାଇଭେସୀ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂପୂର୍ଣ୍ଣ ରାୟ । ଗୋପନୀୟତା ମୌଳିକ ଅଧିକାର ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ରାଇଟ ଟୁ ପ୍ରାଇଭେସୀକୁ ସୁପ୍ରିମକୋର୍ଟ ମୌଳିକ ଅଧିକାର ସ୍ୱୀକାର କରି ଏହା ସପକ୍ଷରେ ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ୯ ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ପୀଠ ଏହି ରାୟ ଶୁଣାଇଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୨୧ଆଧାରରେ ଗୋପନୀୟତାକୁ ମୌଳିକ ଅଧିକାର ଅନ୍ତର୍ଭୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ବିଭିନ୍ନ ସମୟରେ ଏକାଧିକ ଥର ସୁପ୍ରିମକୋର୍ଟର ଖଣ୍ଡପୀଠ ସବୁ ଏହାକୁ ମୌଳିକ ଅଧିକାର ନୁହେଁ ବୋଲି ଦେଇଥିବା ରାୟକୁ ଖଣ୍ଡନ କରିଛନ୍ତି ଏହି ସାମ୍ବିଧାନିକ ଖଣ୍ଡପୀଠ । ତେବେ ଏହି ନିଷ୍ପତିର ଆଧାର କାର୍ଡ ଓ ସୋସିଆଲ ମିଡିଆ ଉପରେ କଣ ପ୍ରଭାବ ପଡିବ ସେନେଇ କୋର୍ଟ କୌଣସି ସୂଚନା ଦେଇନାହାନ୍ତି ।

ଏନେଇ ଅଲଗା ଖଣ୍ଡପୀଠରେ ଶୁଣାଣି ହେବ ବୋଲି ଜଣାପଡିଛି । ତେବେ ସୁପ୍ରିମକୋର୍ଟଙ୍କ ଏହା ରାୟ ସାଧାରଣ ଜୀବନକୁ ପ୍ରଭାବିତ କରିବ । ସବୁ କ୍ଷେତ୍ରରେ ଆଧାର କାର୍ଡର ଅନିବାର୍ଯ୍ୟତାକୁ ନେଇ ଦାୟର ମାମଲାର ଶୁଣାଣି ସମୟରେ ଏହି ବ୍ୟକ୍ତିଗତ ତଥ୍ୟର ଗୋପନୀୟତାକୁ ନେଇ ପ୍ରଶ୍ନ ଉଠିଥିଲା । ରାଇଟ ଟୁ ପ୍ରାଇଭେସୀ ମୌଳିକ ଅଧିକାର ଅନ୍ତର୍ଭୂକ୍ତ ନା ନୁହେଁ । ସେନେଇ ଗତ ଜୁଲାଇ ୧୯ ତାରିଖରୁ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଥିଲେ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ୯ ବିଚାରପତିଙ୍କ ସାମ୍ବିଧାନିକ ପୀଠ ଲଗାତାର ତିନି ସପ୍ତାହ ଶୁଣାଣି କରି ଅଗଷ୍ଟ ୨ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ।

ଏହି ମାମଲାରେ କେନ୍ଦ୍ର ସରକାର ନିଜ ପକ୍ଷ ରଖି କହିଥିଲେ ବ୍ୟକ୍ତିଗତ ଅଧିକାରକୁ ମୌଳିକ ଅଧିକାର ସ୍ୱୀକାର କରାଯାଇ ପାରିବ । ହେଲେ ଏହାର ବିଭାଗୀକରଣ ଜରୁରୀ । ସବୁ ଅଂଶକୁ ମୌଳିକ ଅଧିକାରରେ ସାମିଲ କରାଯାଇ ପାରିବ ନାହିଁ । ବ୍ୟକ୍ତିଗତ ଅଧିକାରର ବହୁବିଧ ଦିଗ ରହିଛି । ତାକୁ ଅଲଗା ଅଲଗା ଭାବେ ପରିଭାଷିତ କରିବା ଜରୁରୀ ବୋଲି କେନ୍ଦ୍ର ସରକାର କହିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସଟର ଜେନେରାଲ ତୁଷାର ମେହେଟା ପକ୍ଷ ରଖି କହିଥିଲେ, ଡିଜିଟାଲ ଦୁନିଆରେ ରାଇଟ ଟୁ ପ୍ରାଇଭେସି ବୋଲି କିଛି ନାହିଁ । ଏହା ସହ ସାଧାରଣ ଲୋକଙ୍କ ତଥ୍ୟର ସୁରକ୍ଷା ନେଇ ଏକ ଆଇନ ଆଣିବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଏନ ଶ୍ରୀକୃଷ୍ଣାଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ କମିଟି ଗଠନ ହୋଇଛି । ଏହା ସହ ଏହି କମିଟିରେ ୟୁଆଇଡିଏଆଇର ମୁଖ୍ୟ କାର୍ଯ୍ୟ ନିର୍ବାହୀ ମଧ୍ୟ ସଦସ୍ୟ ଅଛନ୍ତି ବୋଲି ତୁଷାର ମେହେଟା କହିଛନ୍ତି ।

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହି ରାୟକୁ ଐତିହାସିକ ରାୟ କହିବା ସହ ଏହା ସରକାରଙ୍କ ପାଇଁ ଏକ ଧକ୍କା ବୋଲି କହିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ମୂଳ ଆବେଦନକାରୀ ରାଜୀବ ଚନ୍ଦ୍ର ଶେଖର । ଆଧାରରେ ବ୍ୟକ୍ତିଗତ ତଥ୍ୟ ସଂପୂର୍ଣ୍ଣ ଭାବେ ସଂଯୋଗ କରିବା ପ୍ରସଙ୍ଗ ନେଇ ୨୦୧୩ ମସିହାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।