ବିନା ହେଲମେଟରେ ଓଭରବ୍ରିଜ ମନା : ଦୁର୍ଘଟଣା ଏଡାଇବା ପାଇଁ ରସୁଲଗଡରୁ ଖଣ୍ଡଗିରି ଫ୍ଲାଏଓଭର ଉପରେ ଲାଗିଲା କଟକଣା

661

କନକ ବ୍ୟୁରୋ : ହେଲମେଟ ବିନା ଓଭରବ୍ରିଜରେ ଯାଇପାରିବେନି ବାଇକ ଆରୋହୀ । ତେବେ ପୂର୍ବରୁ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲା ପ୍ରଶାସନ । ଏଭଳି ନିୟମ ଆଜିଠୁ ଭୁବନେଶ୍ୱରରେ ଲାଗୁ ହୋଇଛି । ଓଭରବ୍ରିଜ ଉପରେ ବାରମ୍ବାର ଦୁର୍ଘଟଣାରେ ମୃତ୍ୟୁ ଖବର ସାମନାକୁ ଆସୁଥିବାବେଳେ ଏହାକୁ ରୋକିବାକୁ ନୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଅଧିକ ଦୁର୍ଘଟଣା ହେଉଥିବା ରସୁଲଗଡରୁ ଖଣ୍ଡଗିରି ଓଭରବ୍ରିଜ ମଧ୍ୟରେ ଏହି ନିୟମ ଆଜିଠୁ ଲାଗୁହୋଇଛି ।

ଖଣ୍ଡଗିରିରୁ ରସୁଲଗଡ ଓଭରବ୍ରିଜ ଉପରେ ଅଧିକାଂଶ ଦୁର୍ଘଟଣା ହେଉଛି । ଖାସକରି ଦ୍ରୁତ ବାଇକ ଚାଳକ ଯୋଗୁଁ ଏହି ଦୁର୍ଘଟଣା ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିନା ହେଲମେଟରେ ଏହି ରୁଟରେ ଓଭରବ୍ରିଜ ଉପରେ ବାଇକ ଚଲାଇବା ଉପରେ ରୋକ ଲଗାଇଛି ପ୍ରଶାସନ । ପରୀକ୍ଷାମୂଳକ ଭାବେ ଆସନ୍ତା ଗୋଟିଏ ମାସ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ନୂଆ ନିୟମ ଲାଗୁ ହେବା ପରେ ଓଭରବ୍ରିଜ ଉପରେ ଯାଂଚକୁ କଡାକଡି କରାଯାଇଛି ।