ଅବର୍ତ୍ତମାନରେ ବି ବର୍ତ୍ତମାନ ହୋଇ ରହିଗଲେ ରିକ୍ସା ଚାଳକ : ଚକ୍ଷୁଦାନ କରି ସମାଜ ପାଇଁ ଉଦାହରଣ ସାଜିଲେ ପିଛାରୁ ବଡାଇକ

405

କନକ ବ୍ୟୁରୋ : ମୃତ୍ୟୁ ପରେ ବି ସେ ଅମର । ସେ ଆଜି ଆମ ଗହଣରେ ନାହାନ୍ତି ସିନା, ହେଲେ ତାଙ୍କ ଆଖିରେ ଆଉ ଜଣେ ଦୁନିଆ ଦେଖିବ । ଜଣେ ରିକ୍ସାଚାଳକ ମୃତ୍ୟୁପରେ ଚକ୍ଷୁଦାନ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଏହି ରିକ୍ସା ଚାଳକ ଜଣକ ହେଲେ ରାଉରକେଲା ନୂଆଗାଁ ବ୍ଲକ ସୋରଡା ଗ୍ରାମର ପିଛାରୁ ବଡାଇକ । ମୃତ୍ୟୁ ପରେ ଝିଅ ଓ ସମ୍ପର୍କୀୟ ପିଛାରୁଙ୍କ ଶବକୁ ପୋଲିସ ଉପସ୍ଥିତିରେ ପାନପୋଷସ୍ଥିତ ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଆରଜିଏଚ ଚକ୍ଷୁ ବ୍ୟାଙ୍କ କର୍ମଚାରୀମାନେ ଝିଅ ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ତାଙ୍କର ଦୁଇ ଆଖି କାଢି ଆରଜିଏଚ ଚକ୍ଷୁ ବ୍ୟାଙ୍କକୁ ଆଣିଥିଲେ । ଭୁବନେଶ୍ୱରସ୍ଥିତ ଦୃଷ୍ଟିଦାନ ଆଇ ବ୍ୟାଙ୍କ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟକୁ ତାହା ପଠାଇ ଦିଆ ଯାଇଥିଲା ।

ପିଛାରୁ ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡା ଗାଁରେ ପରିବାର ସହ ରହୁଥିଲେ । ଝିଅମାନଙ୍କୁ ବିବାହ କରିବା କିଛି ମାସ ପରେ ପତ୍ନୀ ଆରପାରିକୁ ଚାଲି ଯାଇଥିଲେ । ଆଉ ତା’ପରେ ପିଛାରୁ ରାଉରକେଲା ଉଦିତନଗରକୁ ଚାଲି ଆସିଥିଲେ । ସେଠାରେ ଗତ ପ୍ରାୟ ୧୫ବର୍ଷ ଧରି ସେ ରିକ୍ସା ଟାଣି ପେଟ ପୋଷୁଥିଲେ । ଉଦିତନଗର ଖାନା ଖଜାନା ରେଷ୍ଟୁରାଣ୍ଟ ଗଳିରେ ରିକ୍ସାରେ ରାତି ବିତାଉଥିଲେ । ହେଲେ ଦୁଇ ଦିନ ପୂବରୁ ରିକ୍ସାରେ ଶୋଇଥିଲା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ନିକଟରେ ଥିବା କିଛି ଦୋକାନୀ ରିକ୍ସା ଉପରେ ପିଛାରୁଙ୍କ ଶବ ପଡିଥିବା ଦେଖି ଉଦିତନଗର ଥାନାକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ଶବ ଜବତ କରିବା ସହ ଝିଅ ଓ ସମ୍ପର୍କୀୟ ଲୋକଙ୍କୁ ପିଛାରୁଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ । ଝିଅ ଓ ପରିବାର ଲୋକ ପହଞ୍ôଚବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପାନପୋଷସ୍ଥିତ ବ୍ୟବଚ୍ଛେଦ କେନ୍ଦ୍ରକୁ ନେଇଥିଲେ । ସେଠାରେ ଚକ୍ଷୁ ବ୍ୟାଙ୍କ କର୍ମଚାରୀ ରିକ୍ସା ଚାଳକ ପିଛାରୁଙ୍କ ଆଖି ଦୁଇଟି କାଢିଥିଲେ । ଶେଷରେ ସମ୍ପର୍କୀୟ ଲୋକ ପିଛାରୁଙ୍କ ଶବକୁ ସୋରଡାରେ ନେଇ ସଂସ୍କାର କରିଥିବା ଜଣାପଡିଛି ।