କଳାଧନକୁ ଧଳା କରିବାକୁ ବଡବଡିଆଙ୍କ ଷଡଯନ୍ତ୍ର : ନୋଟ୍ ବଦଳ ପାଇଁ ଦିନମଜୁରିଆଙ୍କୁ କରୁଛନ୍ତି ବ୍ୟବହାର

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଳାଧନକୁ ଧଳା କରିବାକୁ ଯୋଜନା । ସାମ୍ନାକୁ ଆସିଛି କଳାଧନ ଜମାକାରୀଙ୍କ ମାଷ୍ଟରପ୍ଲାନ୍ । ତେବେ କଳାଧନକୁ କିଭଳି ଧଳା କରାଯାଉଛି , କିଏ ସାଜୁଛି ଏହାର ମାଧ୍ୟମ । କନକ ନ୍ୟୁଜ କ୍ୟାମେରାରେ ଧରାପଡିଛି ଏଭଳି ଏକ ଦୃଶ୍ୟ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଅନୁସନ୍ଧାନରୁ ସାମ୍ନାକୁ ଆସିଛି ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପରିସରରେ ଥିବା କେତେକ ବ୍ୟାଙ୍କ୍ ଆଗରେ ଲାଗିଥିବା ଲମ୍ବା ଧାଡିର ଦୃଶ୍ୟ । ଯେଉଁଠି ଧାଡିରେ ଅଛନ୍ତି ଅନେକ ଦିନ ମଜୁରିଆ । ପୁରୁଷ ଓ ମହିଳା ଶ୍ରମିକ । ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ, ସେମାନଙ୍କ ପାଖରେ କ’ଣ ଏତେ ପୁରୁଣା ନୋଟ୍ ଥିଲା ଯେ ସେମାନେ ବାରମ୍ବାର ଧାଡିରେ ଆସୁଛନ୍ତି? ମାତ୍ର ପ୍ରକୃତ କଥା ତାହା ନୁହେଁ ।

ଜଣେ ଦିନ ମଜୁରିଆ କୁହନ୍ତି- ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଦେଇ ଥରକୁ ସେ ୪ ହଜାର ଟଙ୍କା ବଦଳ କରୁଛନ୍ତି । ଏହି କାମ ପାଇଁ ଦିନକର ମଜୁରି ମିଳୁଛି । କଳାଧନ ଉପରେ ଲଗାମ ଲଗାଇବା ପାଇଁ ଗତ ୮ ତାରିଖରେ ମୋଦି ସରକାର ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ରଦ୍ଦ କରିଥିଲେ । କିନ୍ତୁ କଳା ଟଙ୍କାକୁ ଧଳା କରିବା ପାଇଁ ଏଭଳି ଏକ ରାସ୍ତା ଆପଣେଇଛନ୍ତି କିଛି ଅନୁଷ୍ଠାନ ଓ ଠିକାଦାର କମ୍ପାନୀ ।

ଏହି ଦିନମଜୁରିଆଙ୍କ ପାଇଁ ସଂସ୍ଥାଗୁଡ଼ିକ ଫର୍ମ ପୂରଣ କରି ସେମାନଙ୍କ ହାତକୁ ଧରାଇ ଦେଇଛନ୍ତି । ସେମାନଙ୍କୁ ଆଧାର କାର୍ଡ ନେଇ ଧାଡିରେ ଛିଡ଼ା ହେବାକୁ କହିଛନ୍ତି । ଥରକୁ ୪ ହଜାର ଟଙ୍କାର ୫ ଶହ ଓ ୧୦୦୦ ଟଙ୍କାର ପୁରୁଣା ନୋଟ୍ ବଦଳ କରିବାକୁ କୁହାଯାଇଛି । ଜଣେ ଦିନ ମଜୁରିଆ ଦିନକୁ ୨/୩ଟି ବ୍ୟାଙ୍କ୍ ଚାଲିଗଲେ ୮ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ନୂଆ ଟଙ୍କା ମିଳିଯାଉଛି । ଦିନକର ମଜୁରି ଜାଗାରେ କେତେକ ଜାଗାରେ ଶ୍ରମିକଙ୍କୁ ଆଉ ୨୦୦/୪୦୦ ଅଧିକ ବି ମିଳୁଛି । ଏ ସବୁ କାମ କରାଉଥିବା କିଛି ସୁପରଭାଇଜର୍ ବି ଏଭଳି କାମ ପାଇଁ ଟାର୍ଗେଟ୍ ନେଇଛନ୍ତି ।

କଳା ଟଙ୍କା ଉପରେ ରୋକ୍ ଲଗାଇବା ପାଇଁ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଆଉ ଏତିକି ବେଳେ ଅନେକ ବ୍ୟକ୍ତି ଓ ସଂସ୍ଥା କଳାକୁ ଧଳା କରିବା ପାଇଁ ଏଭଳି ବେଆଇନ ବାଟ ବାଛି ନେଉଥିବା ଦେଖାଯାଉଛି ।