ମୋଦି ଚାଉଳ ନା ନବୀନ ଚାଉଳ ! କେନ୍ଦ୍ରମନ୍ତ୍ରୀଙ୍କ ବୟାନ ପରେ ରାଜନୈତିକ ଦଳ ଭିତରେ ତୁ ତୁ ମେଁ ମେଁ

200

କନକ ବ୍ୟୁରୋ : ଚାଉଳକୁ ନେଇ ଆରମ୍ଭ ହେଲା ରାଜନୀତି । ଟଙ୍କିକିଆ ଚାଉଳ କାହାର ? ମୋଦି ସରକାରଙ୍କର ନା ନବୀନ ସରକାରଙ୍କର । କେନ୍ଦ୍ର ସରକାର ଏହି ଚାଉଳ ଦେଉଛନ୍ତି ନା ରାଜ୍ୟ ସରକାର । ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଗରିବ ଲୋକଟିଏ ଚାଉଳ ନେବା ପୂର୍ବରୁ ଏବେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ୧ ଟଙ୍କିଆ ଚାଉଳ ରାଜନୀତିରେ ନିଆଁ ଲଗାଇଛନ୍ତି । ଏହାପରେ ଚାଉଳକୁ ନେଇ ରାଜନୈତିକ ଦଳ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି ।

javadekarଦୁଇ ଦିନିଆ ଭୁବନେଶ୍ୱର ଗସ୍ତ ସମୟରେ ପ୍ରକାଶ ଜାଭଡେକର କହିଛନ୍ତି, ୧ ଟଙ୍କିଆ ଚାଉଳ ରାଜ୍ୟ ସରକାରଙ୍କର ନୁହେଁ ବରଂ ଏହା ମୋଦିଙ୍କର ଚାଉଳ । ଟଙ୍କିକିଆ ଚାଉଳ ପାଇଁ କେନ୍ଦ୍ର ସରକାର ୨୭ ଟଙ୍କା ଦେଉଛନ୍ତି, କିନ୍ତୁ ମାତ୍ର ୨ ଟଙ୍କା ଦେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ କରି ବାହାବା ନେଉଛନ୍ତି । ତା ସହିତ ସେ କହିଥିଲେ, ନବୀନଙ୍କ ବିଶେଷତା ହେଉଛି ଅନ୍ୟର ଯୋଜନାକୁ ହାଇଜାକ କରିବା । ବାସ୍ ପ୍ରକାଶ ଜାଭଡେକରଙ୍କ ଏହି ବୟାନ ପରେ ଆରମ୍ଭ ହୋଇଯାଇଥିଲା ଚାଉଳକୁ ନେଇ ରାଜନୀତି ।

Pratap-Keshari-Debକେନ୍ଦ୍ରମନ୍ତ୍ରୀଙ୍କ ବୟାନ ପରେ ଚାଊଳ ରାଜନୀତିକୁ ଲମ୍ପ ମାରିଥିଲା ବିଜେଡି । ବିଜେଡି ମୁଖପାତ୍ର ପ୍ରତାପ ଦେବ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଉପରେ କଡା ପ୍ରତିକ୍ରିୟା ଦେଇଛନ୍ତି । ପ୍ରତାପ କହିଛନ୍ତି, କେନ୍ଦ୍ର ସରକାର ଚାଉଳକୁ ନେଇ ରାଜନୀତି କରୁଛନ୍ତି । ଏହାଛଡା ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ, ଚାଉଳ ଉପରେ ରାଜ୍ୟକୁ ରିହାତି ଦେବାକୁ କେନ୍ଦ୍ର ସରକାର ବାଧ୍ୟ । ସେହି ଆଇନ ଆଧାରରେ କେନ୍ଦ୍ର ସରକାର ଚାଉଳ ପାଇଁ ୨୭ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ୨ ଟଙ୍କା ଦେଉଛନ୍ତି । ଆଉ ହିତାଧିକାରୀ ଟଙ୍କାଟିଏ ଦେଉଛନ୍ତି । ଏହା କେନ୍ଦ୍ର ଦେବାକୁ ବାଧ୍ୟ, ଏହି ରିହାତି ଦେଇ ରାଜ୍ୟ ସରକାରଙ୍କ ଉପରେ ଦୟା କରୁନାହିଁ କେନ୍ଦ୍ର । ଏହା ଆମର ହକ୍ ।କିନ୍ତୁ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ମୋଦି ଚାଉଳ କହି ରାଜନୀତିକରଣ କରୁଛନ୍ତି ।

narasingh mishraତେବେ ଏହି ଟଙ୍କିକିଆ ଚାଉଳ ରାଜନୀତିରେ ଉଭୟ ବିଜେଡି ଓ ବିଜେପିକୁ ଘେରିଛି କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ଟଙ୍କିକିଆ ଚାଉଳକୁ ନେଇ ରାଜନୀତି କରୁଥିବା ବେଳେ କେତୋଟି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ଟଙ୍କିକିଆ ଚାଉଳ ନା ମୋଦିଙ୍କର ନା ନବୀନଙ୍କର । ଏହା କଣ କାହା ପୈତୃକ ସମ୍ପତି ? ମନମୋହନ ସରକାର ଥିବା ବେଳେ ଖାଦ୍ୟ ସୁରକ୍ଷା ଆଇନ୍ ତିଆରି ହୋଇଥିଲା । ସେହି ନିୟମ ଅନୁଯାୟୀ, ସେ ସମୟରେ କେନ୍ଦ୍ର ସରକାର ୩ ଟଙ୍କାରେ ରାଜ୍ୟକୁ ଚାଉଳ ଯୋଗାଇବେ ବୋଲି ନିଷ୍ପତି ହୋଇଥିବା ନରସିଂହ ମିଶ୍ର କହିଛନ୍ତି ।

ଚାଉଳ ରାଜନୀତରେ ନିଜକୁ ଡିଫେଣ୍ଡ କରିଛି ବିଜେପି । ବିଜେପି ନେତା ସଜ୍ଜନ ଶର୍ମା କହିଛନ୍ତି, ପ୍ରଥମେ ଟଙ୍କିକିଆ ଚାଉଳକୁ ନେଇ ବିଜେଡି ରାଜନୀତି ଆରମ୍ଭ କରିଛି । ବିଜେପି କେବଳ ସତ୍ୟ ସାମ୍ନାକୁ ଆଣିଛି । କେନ୍ଦ୍ର ସରକାରଙ୍କ ଅନୁଦାନ ବାବଦରେ ଲୋକେ ସତ ଜାଣିବା ପରେ ନବୀନ ସରକାର ବିବ୍ରତ ହୋଇଯାଇଛନ୍ତି ବୋଲି ସେ କହିଛନ୍ତି ।