ଯାତ୍ରୀମାନଙ୍କ ସୁବିଧା ଲାଗି ରେଲମନ୍ତ୍ରଣାଳୟର ନୂଆ ନିୟମ, ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ୨୦ ମିନିଟ ପୂର୍ବରୁ ମୋବାଇଲ କୁ ଆସିବ ମେସେଜ

31

କନକ ବ୍ୟୁରୋ : ସାରା ବିଶ୍ୱରେ ଭାରତର ରେଳରେ ସବୁଠାରୁ ଅଧିକ ଲୋକମାନେ ଯାତ୍ରା କରନ୍ତି । ତେବେ ସରକାରୀ ରିପୋର୍ଟ ଅନୁସାରେ ପ୍ରତ୍ୟେକ ଦିନ ପାଖାପାଖି ଅଢେଇ କୋଟିରୁ ଉଦ୍ଧ୍ୱର୍ ଲୋକ ରେଳ ଯାତ୍ରା କରିଥାଆନ୍ତି । ଏହାସହ ଭାରତର ରେଳ ଲାଇନକୁ ପୃଥୀବିର ଚାରି ପଟେ ଯଦି ଗୁଡାଇ ଦିଆଯିବ ତେବେ ତେବେ ତାହା ପୃଥିବୀର ଅଢେଇ ଗୁଣା ହେବ ବୋଲି ଜଣାପଡିଛି । ଯଦିଓ ଭାରତର ରେଳରେ ଅଧିକରି ଅଧିକ ଲୋକ ଯାତ୍ରା କରନ୍ତି ତେବେ ଏହା ପ୍ରତ୍ୟେକ ସମୟରେ ବିଳମ୍ବ ମଧ୍ୟ କରିଥାଏ । ତେଣୁ ଲୋକମାନେ ବା ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଅନେକ ଅଭିଯୋଗ ମଧ୍ୟ ଆସେ କି ଯାତ୍ରାମାନେ ନିଜ ଗନ୍ତବ୍ୟ ସ୍ଥଳରେ ସଠିକ ସମୟରେ ପହଞ୍ଚିପାରନ୍ତି ନାହିଁ । ଭାରତୀୟ ରେଳରେ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ଥିବା ସୁବିଧାକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି । କେବେ ମିଳୁଥିବା ଖାଇବାକୁ ନେଇ ତ କେବେ ଯାତ୍ରୀମାନଙ୍କୁ ମିଳୁଥିବା ଅନ୍ୟାନ୍ୟ ସୁବିଧାକୁ ନେଇ । ଏହି ସବୁ ଅସୁବିଧାକୁ ଆଖି ଆଗରେ ରଖି ଏଇ କିଛି ଦିନ ମଧ୍ୟରେ ଭାରତୀୟ ରେଳ ନିଜର ନିୟମରେ ଅନେକ ପରିବର୍ତ୍ତନ ଆଣିଛି । ଏବେ ପୁଣି ଭାରତୀୟ ରେଳ ଯାତ୍ରୀମାନଙ୍କୁ ଏକ ନୂଆ ସୁବିଧା ଯୋଗାଇ ଦେବାକୁ ଯାଉଥିବା ଜଣା ପଡ଼ିଛି । ବେଳେ ବେଳେ ଟ୍ରେନ୍ରେ ଯାତ୍ରା କରୁଥିବା ବେଳେ ଯାତ୍ରୀମାନେ ଶୋଇ ଯାଇଥିବାରୁ ସେମାନଙ୍କ ଗନ୍ତବ୍ୟ ସ୍ଥଳର ସମୟ ସେମାନେ ଜାଣି ପାରନ୍ତି ନାହିଁ । ଏହି ଅସୁବିଧାକୁ ଆଖି ଆଗରେ ରଖି ଭାରତୀୟ ରେଳ ଏବେ ଡ଼େଷ୍ଟିନେସନ ଆଲର୍ଟର ବ୍ୟବସ୍ଥା ଆରମ୍ଭ କରିଥିବା ଜଣା ପଡ଼ିଛି । ଏହି ବ୍ୟବସ୍ଥା ଆରମ୍ଭ ହେବା ପରେ ଯାତ୍ରୀମାନଙ୍କ ଫୋନକୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ୨୦ମିନିଟ୍ ପୂର୍ବରୁ ମେସେଜ ଆସିଯିବ ।

ସୂଚନା ମୁତାବକ,ସକାଳ ୧୧ଟାରୁ ସଂନ୍ଧ୍ୟା ୭ଟା ପର୍ୟ୍ୟନ୍ତ ଚାଲୁଥିବା ଟ୍ରେନ୍ର ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବା ବୋଲି ଲୋକସଭାରେ ପଚରାଯାଇଥିବା ପ୍ରଶ୍ନର ଲିଖିତ ଭାବେ ଉତ୍ତର ଦେଇଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍ ଗୋହେନ୍ । ଏହି ସୁବିଧା ଦ୍ୱାରା ଯାତ୍ରୀମାନେ ନିଜର ଫୋନ ମାଧ୍ୟମରେ ୧୩୯ନମ୍ବର ବ୍ୟବହାର କରି ଡ଼େଷ୍ଟିନେସନ୍ ଆଲର୍ଟକୁ ସେଟ୍ କରି ପାରିବେ । କାହାକୁ କେଉଁ ଷ୍ଟେସନରେ ଓହ୍ଲାଇବାକୁ ଅଛି ସେ ଷ୍ଟେସନର ନାଁ ସେଟ୍ କରିବା ପରେ ସେମାନଙ୍କ ଫୋନକୁ ଏକ କନଫର୍ମମେସନ ମେସେଜ ଆସିଯିବ । ଏହା ପରେ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳର ପହଞ୍ଚିବାର ୨୦ମିନିଟ୍ ପୂର୍ବରୁ ସେମାନଙ୍କୁ ମେସେଜ ଆସିଯିବ ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍ ଗୋହେନ୍ କହିଛନ୍ତି । ତେବେ ଏହା କେବେଠାରୁ ଲାଗୁ କରାଯିବ ତାହା ଜଣାପଡିନାହିଁ । ରେଳ ମନ୍ତ୍ରଣାଳୟ ଲୋକମାନଙ୍କ ସୁବିଧା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରୁଥିବା ଦେଖାଯାଉଛି । ବାକି କେତେ ଦୂର ଏହା କାମରେ ସାହାଯ୍ୟ କରୁଛି ତାହା ସମୟ କହିବ । କିନ୍ତୁ ରେଳ ବିଭାଗ ଯେଉଁ ନୂଆ ନିୟମ ଲାଗୁ କରିବା ପାଇଁ ଚେଷ୍ଟା କରୁଛି ତାହା ନିହାତି ଭାବରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।