ସଞ୍ଜୟ ଦତ୍ତଙ୍କ ପୂର୍ବତନ ପତ୍ନୀ ଏବେ ପୁଣି ଚର୍ଚ୍ଚାରେ ! ଭୁଲର ପ୍ରାୟଶ୍ଚିତ କରୁଛନ୍ତି ରୀୟା ପିଲ୍ଲାଇ

41

ସଞ୍ଜୟ ଦତ୍ତଙ୍କ ପୂର୍ବତନ ପତ୍ନୀ ରୀୟା ପିଲ୍ଲାଇ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି । ରୀୟା ନିଜର ଭୁଲର ଏବେ ପ୍ରାୟଶ୍ଚିତ କରୁଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହୈବ ନାହିଁ । ସଞ୍ଜୟ ଦତ୍ତଙ୍କ ସହ ସଂପର୍କ ଛିନ୍ନ କରିବା ତାଙ୍କର ଭୁଲ୍‌ ଥିଲା ।

ସେ ଗତ କିଛି ବର୍ଷ ହେବ ତାଙ୍କର ଲିଭ୍‌-ଇନ୍‌ ପାର୍ଟନର୍‌ ଲିଆଣ୍ଡର ପେସ୍‌ଙ୍କ ବିରୁଦ୍ଧରେ ଆଇନ୍‌ର ଲଢେଇ ଲଢୁଛନ୍ତି । ରୀୟା ଲିଆଣ୍ଡର ପେସ୍‌ଙ୍କ ବିରୁଦ୍ଧରେ ଘରୋଇ ହିଂସା ଓ ୧୦ ବର୍ଷୀୟା ଝିଅ ଆୟନା ପାଇଁ ରକ୍ଷଣାବେକ୍ଷଣ ଖର୍ଚ୍ଚ ପାଇବା ପାଇଁ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି । ରୀୟା ଏଥିପାଇଁ ବାନ୍ଦ୍ରାର ମାଜିଷ୍ଟ୍ରେଟ୍‌ କୋର୍ଟରେ ମଧ୍ୟ ପହଞ୍ଚିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଲିଆଣ୍ଡର ରୀୟାଙ୍କୁ ମାସିକ ମାତ୍ର ଦେଢ ଲକ୍ଷ ଟଙ୍କା ଦେଉଛନ୍ତି । କିନ୍ତୁ ସେ ଲିଆଣ୍ଡରଙ୍କଠାରୁ ୨ ଲକ୍ଷ ୬୨ ହଜାର ଟଙ୍କା ଦାବି କରୁଛନ୍ତି । ଲିଆଣ୍ଡର-ରୀୟାଙ୍କ ଝିଅ ଆୟନା ଏବେ ବ୍ରେନ୍‌ ଟ୍ୟୁମର୍‌ରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି ।

ଅପରପକ୍ଷରେ ଲିଆଣ୍ଡର ମଧ୍ୟ ଆଇନର ଲଢେଇ ଲଢୁଛନ୍ତି । ତାଙ୍କର ଅଭିଯୋଗ ଯେ ସେ ରୀୟାଙ୍କୁ କେବେ ବି ବିବାହ କରି ନଥିଲେ । ଏଣୁ ରୀୟା ତାଙ୍କର ପତ୍ନୀ ନୁହଁନ୍ତି । ଏଣୁ ସେ ରୀୟାଙ୍କ ଦାବି ପୂରଣ କରିବାକୁ ବାଧ୍ୟ ନୁହଁନ୍ତି । ଏହି ମାମଲାର ବିଚାର ସମୟରେ ରୀୟାଙ୍କ ଜଣେ ବାନ୍ଧବୀ କହିଛନ୍ତି ଯେ ଲିଆଣ୍ଡର ଯାହା କରୁଛନ୍ତି, ତାହା ଠିକ୍‌ ନୁହେଁ । ସଂପ୍ରତି ଲିଆଣ୍ଡର ଜଣେ ଜୁନିଅର୍‌ ଟେନିସ ପ୍ଲେଅର୍‌ ତନ୍‌ଭି ଶାହାଙ୍କ ସହ ଡେଟ୍‌ କରୁଥିବା କୁହାଯାଉଛି।

୧୯୮୭ ମସିହାରେ ଅଭିନେତା ସଞ୍ଜୟ ଦତ୍ତଙ୍କ ରିଚା ଶର୍ମାଙ୍କୁ ପ୍ରଥମ ବିବାହ କରିଥିଲେ । କିନ୍ତୁ ୧୯୯୬ରେ ରିଚାଙ୍କର କର୍କଟ ରୋଗରେ ଦେହାନ୍ତ ହୋଇଥିଲା । ଏହି ସମୟରେ ରୀୟାଙ୍କ ସହିତ ସଞ୍ଜୟ ଦତ୍ତଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ଏହାପରେ ମୁମ୍ବାଇ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଂଜୟ ଦତ୍ତ ଜେଲ୍‌ ଯିବାକୁ ପଡିଥିଲା । ସେତେବେଳେ ରୀୟା ପିଲ୍ଲାଇ ହିଁ ସଞ୍ଜୟଙ୍କ ସାଥ୍‌ ଦେଇଥିଲେ ।

୧୯୯୮ରେ ସଞ୍ଜୟ ଦତ୍ତଙ୍କୁ ରୀୟା ପିଲ୍ଲାଇ ବିବାହ କରିଥିଲେ । ଏହା ସଞ୍ଜୟଙ୍କର ଦ୍ୱିତୀୟ ବିବାହ ଓ ରୀୟାଙ୍କର ପ୍ରଥମ ବାହାଘର ଥିଲା । କିନ୍ତୁ ୨୦୦୨ରେ ଉଭୟଙ୍କ ମଧ୍ୟରେ ସଂପର୍କ ଛିନ୍ନ ହେଲା । ଏହାପରେ ରୀୟା ଟେନିସ ତାରକା ଲିଆଣ୍ଡର ପେସ୍‌ଙ୍କ ସହ ପ୍ରେମ ସଂପର୍କ ହୋଡ଼ିଲେ । ବେଶ୍‌ କିଛି ଦିନ ଡେଟିଂ ପରେ ଉଭୟେ ଲିଭ୍‌ ଇନ୍‌ ରିଲେସନସିପ୍‌ରେ ରହିବାର ନିଷ୍ପତ୍ତି ନେଇଥିଲେ । ୨୦୦୬ରେ ଲିଆଣ୍ଡର ଓ ରୀୟାଙ୍କ ଝିଅ ଆୟନାଙ୍କର ଜନ୍ମ ହୋଇଥିଲା । ୮ ବର୍ଷ ପରେ ଏ ଦୁହେଁ ପରସ୍ପର ଠୁଁ ଅଲଗା ହୋଇଥିଲେ । ସଞ୍ଜୟ ଦତ୍ତ ଏବେ ମାନ୍ୟତାଙ୍କୁ ବିବାହ କରି ସୁଖୀ ଜୀବନ ବିତାଉଛନ୍ତି , ହେଲେ ରୀୟା ନିଃସଙ୍ଗ ହୋଇ ଦୁଃଖୀ ଜୀବନ ଜୀଉଁଛନ୍ତି ।