ରେଭେନ୍ସା ସାଇନ-ଏ-ଡାଏ ହଟାଇବା ଦାବିରେ ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ : କ୍ୟାମ୍ପସ ବାହାରେ ଧାରଣା, ସମାଧାନ ପାଇଁ ବସିବ ଷ୍ଟାଫ କାଉଂସିଲ ମିଟିଂ

28

କନକ ବ୍ୟୁରୋ : ରେଭେନ୍ସା ସାଇନ-ଏ-ଡାଏ ହଟାଇବା ଦାବିରେ ଆମରଣ ଅନଶନରେ ବସିଲେ ଛାତ୍ରଛାତ୍ରୀ । ତୁରନ୍ତ ସାଇନ-ଏ-ଡାଏ ହଟାଇବା ଦାବିରେ କ୍ୟାମ୍ପସ ବାହାରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ବେଆଇନ ଭାବରେ ବିଶ୍ୱବିଦ୍ୟାଳୟକୁ ବନ୍ଦ କରାଯାଇଥିବା ଅଭିଯୋଗରେ ଗତକାଲି ଛାତ୍ର ପ୍ରତିନିଧିମାନେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ଏନେଇ ରାଜଭବନ ପକ୍ଷରୁ କୁଳପତିଙ୍କୁ ନୋଟିସ କରାଯାଇଥିବା ସୂଚନା ମିଳିଛି । ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏଥିରେ ଉଲ୍ଲେଖ ଥିବା କୁହାଯାଉଛି । ମାତ୍ରାଧିକ ଫି ବୃଦ୍ଧି ଓ ହଷ୍ଟେଲ ଖାଲି କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦେଇଥିବା ନିର୍ଦ୍ଦେଶକୁ ବିରୋଧ କରି ଛାତ୍ରଛାତ୍ରୀମାନେ ମଙ୍ଗଳବାର ଭିସିଙ୍କୁ ଘେରିଥିଲେ । ପରେ ବିଶ୍ୱବିଦ୍ୟାଳୟକୁ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା ।

ସୂଚନାଯୋଗ୍ୟ, କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ ଘୋଷଣା ପରେ ଗତକାଲି ସକାଳୁ ହଷ୍ଟେଲ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଗତକାଲ୧୦ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫି ବୃଦ୍ଧିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ ଘୋଷଣା ହୋଇଥିଲା । କୋର୍ସ ଫି ବୃଦ୍ଧି ସହ ମରାମତି ନାଁରେ ହଷ୍ଟେଲ ଖାଲି କରିବାକୁ ଦିଆଯାଇଥିବା ନିର୍ଦ୍ଦେଶକୁ ବିରୋଧ କରିଥିଲେ ଛାତ୍ରଛାତ୍ରୀ । ଏପରିକି ଗତକାଲି ସକାଳ ୮ଟାରୁ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ୟ୍ୟାଳୟ ଆଗରେ ଧାରଣାରେ ବସିଥିଲେ ।