ଛାତ୍ର ଆନ୍ଦୋଳନକୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଶାନ୍ତ : ୟୁନିଭର୍ସିଟି ସାଇନ-ଏ-ଡାଏ ଘୋଷଣା, ଆଜି ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

109

କନକ ବ୍ୟୁରୋ : କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ ଘୋଷଣା ପରେ ଆଜି ସକାଳୁ ହଷ୍ଟେଲ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ କିଛି ଛାତ୍ରଛାତ୍ରୀ ସକାଳୁ ସକାଳୁ ହଷ୍ଟେଲ ଛାଡି ଘରକୁ ଯାଉଥିବା ଦେଖିବାକୁ ମିଳିଛି । ଫି ବୃଦ୍ଧିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଗତକାଲି ସାଇନ-ଏ-ଡାଏ ଘୋଷଣା ହୋଇଛି । କୋର୍ସ ଫି ବୃଦ୍ଧି ସହ ମରାମତି ନାଁରେ ହଷ୍ଟେଲ ଖାଲି କରିବାକୁ ଦିଆଯାଇଥିବା ନିର୍ଦ୍ଦେଶକୁ ବିରୋଧ କରିଥିଲେ ଛାତ୍ରଛାତ୍ରୀ । ଏପରିକି ଗତକାଲି ସକାଳ ୮ଟାରୁ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ।

ରେଭେନ୍ସାକୁ ଘରୋଇ ବିଶ୍ୱବିଦ୍ୟାଳୟ କରିବା ବନ୍ଦ କର ନାରା ଦେଇ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲା ରେଭେନସା ଛାତ୍ର କ୍ରିୟାନୁଷ୍ଠାନ କମିଟି । ମେ ୨୮ ସୁଦ୍ଧା ହଷ୍ଟେଲ ଛାଡିବାକୁ ଅନ୍ତେବାସୀଙ୍କୁ ଦେଇଥିବା ନୋଟିସ ପ୍ରତ୍ୟାହାର, ସମସ୍ତ ବର୍ଦ୍ଧିତ ଫି ପ୍ରତ୍ୟାହାର, ସେଲଫ-ଫାଇନାନ୍ସ କୋର୍ସକୁ ରୋଗୁଲାର କରିବା, ଖାଲି ଥିବା ଅଧ୍ୟାପକ ପଦବୀ ପୁରଣ ଆଦି ଦାବିରେ ଛାତ୍ରମାନେ ଧାରଣା ଦେଇଥିଲେ । ଦୁଇ ଦୁଇ ଥର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ କୁଳପତିଙ୍କୁ ଅଫିସରୁ ବାହାରିବାକୁ ଦିଆଯିବ ନାହିଁ ବୋଲି ଛାତ୍ର ସଂଗଠନ ଅଡି ବସିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସାଇନ-ଏ-ଡାଏ ଘୋଷଣା କରିଛନ୍ତି । ଅନ୍ୟପଟେ ବିନା କାରଣରେ ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ କରାଯାଇଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।