ରେଭେନ୍ସାରେ ଜୋର ଧରିଲା ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବୀ ! ଅଶାନ୍ତି ପାଇଁ ସ୍ଥଗିତ ରହିଲା ଛାତ୍ର ପରିଷଦ ନିର୍ବାଚନ

29

କନକ ବ୍ୟୁରୋ: ରେଭେନ୍ସାରେ ସ୍ଥଗିତ ରହିଲା ଛାତ୍ର ପରିଷଦ ନିର୍ବାଚନ । ଛାତ୍ର ଅଶାନ୍ତିି ପାଇଁ ନିର୍ବାଚନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛନ୍ତି ରେଭେନ୍ସା କର୍ତ୍ତୁପକ୍ଷ ।

ଛାତ୍ର ସଂସଦ ନିର୍ବାଚନ ବଦଳରେ ପରୋକ୍ଷରେ ଛାତ୍ର ପରିଷଦ ନିର୍ବାଚନ ଭାବେ କରିବାକୁ ଅଣ୍ଟା ଭିଡିଥିବା କର୍ତ୍ତୁପକ୍ଷଙ୍କୁ ନାକେଦମ ହେବାକୁ ପଡିଛି । ଛାତ୍ର ସଂସଦ ନିର୍ବାଚନ ପାଇଁ ରେଭେନ୍ସାରେ ଛାତ୍ରଛାତ୍ରୀଙ୍କ ଦାବୀ ଜୋର ଧରିବା ପରେ ସାମୟିକ ସ୍ଥଗିତ ରହଛି ଛାତ୍ର ପରିଷଦ ନିର୍ବାଚନ । କ୍ୟାମ୍ପସରେ ଅଶାନ୍ତ ବାତାବରଣ ଲାଗି ରହିବା କାରଣରୁ ରେଭେନ୍ସା କର୍ତ୍ତୁପକ୍ଷ ଏହି ନିଷ୍ପତି ନେଇଥିବା କହିଛନ୍ତି ।

ଆଜି ସକାଳ ୧୦ଟାରୁ ଛାତ୍ର ପରିଷଦ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ବୋଲି ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୨ ଓ ୨୩ ତାରିଖ ଦୁଇଦିନ ବ୍ୟାପୀ ଏହି ପରୋକ୍ଷ ନିର୍ବାଚନ ହୋଇଥାନ୍ତା । ଆଜି ପ୍ରଥମେ କ୍ଲାସରୁମ ଭୋଟିଂ ହୋଇଥାନ୍ତା । ଛାତ୍ରଛାତ୍ରୀ ନିଜ ନିଜ କ୍ଲାସରେ ଜଣେ ଲେଖାଏଁ କ୍ଲାସରୁମ ପ୍ରତିନିଧୀ ବାଛିବା ପରେ ବିଭିନ୍ନ କ୍ଲାସରୁମ ପ୍ରତିନିଧୀମାନଙ୍କୁ ନେଇ ଛାତ୍ର ପରିଷଦ ଗଢ଼଼ାହେବା ନେଇ ନିଷ୍ପତି ନେଇଥିଲେ କର୍ତ୍ତୁପକ୍ଷ ।

କିନ୍ତୁ ଏହାର ବିରୋଧରେ ଦଳମତ ନିର୍ବିଶେଷରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ରେଭେନ୍ସା ବନ୍ଦ ଡାକରା ଦିଆଯାଇଥିଲା । ଆଜି ସକାଳୁ ରେଭେନ୍ସା ମୁଖ୍ୟ ଗେଟ ଠାରୁ ଆରମ୍ଭ କରି ସମସ୍ତ ଫାଟକ ସାମ୍ନାରେ ଧାରଣା ଦେଇ ନିର୍ବାଚନ ନକରିବାକୁ ଅଡି ବସିଥିଲେ । ପରେ ନିର୍ବାଚନକୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ରେଭେନ୍ସା କର୍ତ୍ତୁପକ୍ଷ ।