ରେଭେନ୍ସାରେ ଆନ୍ଦୋଳନକାରୀ-ପୁଲିସ ଧସ୍ତାଧସ୍ତି ଘଟଣା : ତଦନ୍ତ ପାଇଁ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା କର୍ତୃପକ୍ଷ

49

କଟକ ବ୍ୟୁରୋ , କନକ ନ୍ୟୁଜ୍ :  ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ପୁଲିସ ଦୁର୍ବ୍ୟବହାର କରିବା ଘଟଣାକୁ ଦେଇ କଟକ ଡିସିପିଙ୍କୁ ରେଭେନ୍ସା କତୃପକ୍ଷଙ୍କ ପତ୍ର ଲେଖିଛନ୍ତି । ଘଟଣାର ତଦନ୍ତ କରିବାକୁ ଦାବି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଛାତ୍ରଛାତ୍ରୀ । ବିଭିନ୍ନ ପାଠ୍ୟକ୍ରମରେ ଆଡମିଶନ ଫି ବୃଦ୍ଧିକୁ ବିରୋଧ କରି ଅଲ ଇଣ୍ଡିଆ ଡିଏସଓ ଆନ୍ଦୋଳନ କରିଥିବା ବେଳେ ଏହାକୁ ସମର୍ଥନ ଜଣାଇଥିଲେ ଅନ୍ୟାନ୍ୟ ଛାତ୍ରଛାତ୍ରୀ । ତେବେ ଆନ୍ଦୋଳନରେ ବସିଥିବା ଛାତ୍ରଛାତ୍ରୀଙ୍କୁ ହଟିଯିବା ପାଇଁ ପୋଲିସ କହିବାରୁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ରାତିରେ ଆନେ୍ଦାଳନ କରିବା ପାଇଁ ବାରଣ କରିଥିଲା ପୋଲିସ। ଫଳରେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ । ପୋଲିସ ସହ ଧସ୍ତାଧସ୍ତି ଫଳରେ ୮ ଛାତ୍ର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀ ଅଛନ୍ତି । ଆହତଙ୍କୁ ଏସସିବି ମେଡିକାଲରେ ଭର୍ତି କରାଯାଇଛି । ଘଟଣା ପରେ କ୍ୟାମ୍ପସରେ ଉତେଜନା ଲାଗିରହିଥିବାରୁ ୨ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି ।