ମା ହେବା ପରେ ପୁଣି ପଡିଆକୁ ଓହ୍ଲାଇଲେ ମହିଳା କ୍ରିକେଟର ! ଭାରତୀୟ ମହିଳା ଏ ଟିମରେ ସାମିଲ ନେହା ତନୱାର

52

କନକ ବ୍ୟୁରୋ : ନିଷ୍ଠା ଓ ଏକାଗ୍ରତା ଆଗରେ ହାର ମାନିଯାଏ ସବୁ ବାଧାବିଘ୍ନ । ଏହି କଥାକୁ ସତ କରି ଦେଖାଇଛନ୍ତି ମହିଳା କ୍ରିକେଟର ନେହା ତନୱର । ମାଆ ହେବା ପରେ ପୁଣି ଥରେ କ୍ରିକେଟ ମୈଦାନକୁ ଫେରିଛନ୍ତି ନେହା । ବାଂଲାଦେଶ-ଏ ବିପକ୍ଷ ଦିନିକିଆ ଓ ଟି-ଟ୍ୱେଂଟି ସିରିଜ ପାଇଁ ସେ ଭାରତୀୟ ମହିଳା-ଏ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଦିଲ୍ଲୀର ଏହି କ୍ରିକେଟର ପୂର୍ବରୁ ଭାରତ ପାଇଁ ୭ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି । ୫ଟି ଦିନିକିଆ ଓ ୨ଟି ଟି-ଟ୍ୱେଂଟିରେ ଭାରତକୁ ପ୍ରତିନିଧିତ୍ୱ କରି ସାରିଛନ୍ତି ନେହା ତନୱର ।

ତେବେ ଏହା ମଧ୍ୟରେ ତାଙ୍କର ବିବାହ ହୋଇଥିଲେ ମଧ୍ୟ ସେ କ୍ରିକେଟ ଖେଳିବା ଜାରି ରଖିଥିଲେ । କିନ୍ତୁ ଗର୍ଭବତୀ ହେବା ଯୋଗୁ ବାଧ୍ୟ ହୋଇ ଖେଳ ଛାଡିବାକୁ ପଡିଥିଲା ତାଙ୍କୁ । ଲମ୍ବା ସମୟ ପାଇଁ କ୍ରିକେଟ୍ ପଡିଆରୁ ଦୂରେଇ ଯାଇଥିଲେ ନେହା । ହେଲେ ମାଆ ହେବାର ଗୁରୁ ଦାୟିତ୍ୱ ଭିତରେ ବି ତାଙ୍କ ଭିତରେ ବଂଚି ରହିଥିଲା କ୍ରିକେଟ୍ ଖେଳିବାର ନିଶା । କିନ୍ତୁ ଏ ଭିତରେ ତାଙ୍କର ଓଜନ ପ୍ରାୟ ୨୦ କିଲୋ ବଢିଯାଇଥିଲା ।

କିନ୍ତୁ ହାର ମାନି ନଥିଲେ ନେହା । ଆଉ ଧିରେ ଧିରେ ଟ୍ରେନିଂ ଆରମ୍ଭ କରିବା ସହ ଟିମ୍କୁ ଫେରିବାକୁ ପୂରା ଦମରେ ଆରମ୍ଭ କରିଥିଲେ ପ୍ରସ୍ତୁତି । ଆଉ ଶେଷରେ ତାଙ୍କର ପରିଶ୍ରମ ସଫଳ ହୋଇଛି । ଭାରତୀୟ ମହିଳା-ଏ ଦଳକୁ ଫେରି କ୍ରିକେଟ ପ୍ରତି ତାଙ୍କର ନିଷ୍ଠା ଓ ଭଲପାଇବାକୁ ପ୍ରମାଣ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି ନେହା ତନୱର ।