ଅବସରର ୮ ମାସ ପରେ ସରକାରୀ କ୍ୱାର୍ଟର ଛାଡ଼ିବା ବାଧ୍ୟତାମୂଳକ ! ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

193

କନକ ବ୍ୟୁରୋ : ବିଭିନ୍ନ ସମୟରେ ଦେଖିବା ପାଇଁ ମିଳୁଛି ସରକାରୀ ଚାକିରିଆମାନେ ଅବସର ପରେ ମଧ୍ୟ ତାଙ୍କୁ ମିଳିଥିବା କ୍ୱାର୍ଟର ଛାଡ଼ୁନାହାନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି । ଏଣିକି ଅବସର ପରେ କ୍ୱାର୍ଟର ହସ୍ତାନ୍ତର ନକଲେ ମହଙ୍ଗା ପଡ଼ିବ । ଚାକିରିରୁ ଅବସର ନେବା ପରେ ବର୍ଷ ବର୍ଷ ଧରି ସରକାରୀ କର୍ମଚାରୀ ଓ ଅଧିକାରୀ କାର୍ଟର ଫେରାଉନଥିବା ନେଇ ବାରମ୍ବାର ଅଭିଯୋଗ ପରେ ଏବେ ସରକାର ତତ୍ପର ହୋଇଛନ୍ତି । ଗତ ୪ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ସବୁ ବିଭାଗକୁ ଏ ସଂପର୍କରେ ନିର୍ଦ୍ଦେଶନାମା ଜାରି କରିଛି ।

ନିର୍ଦ୍ଦେଶନାମା ମୁତାବକ, ଏଣିକି ସରକାରୀ ଚାକିରିରୁ ଅବସର ନେଇଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ମିଳିଲେ ବି ଆଉ କ୍ୱାର୍ଟର ମିଳିବନି । ଏହି ନିୟମକୁ କେବଳ ସାମ୍ବିଧାନିକ ପଦପଦବିରେ ପୁନଃ ନିଯୁକ୍ତି କ୍ଷେତ୍ରରେ କୋହଳ କରାଯାଇଛି । ଅବସର ନେବା ପରଠାରୁ ୩ ମାସ ପାଇଁ ଫ୍ଲାଟ ଲାଇସେନ୍ସ ଫି ଓ ୫ ମାସ ପାଇଁ ଷ୍ଟାଣ୍ଡାର୍ଡ଼ ଲାଇସେନ୍ସ ଫି ଜମା କରି ମୋଟ ୮ ମାସ ପାଇଁ କାର୍ଟର ରଖିପାରିବେ। ୮ ମାସ ଅତିକ୍ରାନ୍ତ ପରେ ସରକାରୀ କ୍ୱାର୍ଟର ରଖିଥିଲେ, ଷ୍ଟାଣ୍ଡାର୍ଡ଼ ଲାଇସେନ୍ସ ଫିର ୫ ଗୁଣା ଜରିମାନା ଆକାରରେ ଆଦାୟ କରାଯିବ ଓ ସେମାନେ ଉଚ୍ଛେଦ ହେବେ ।