ଦିନେ ଥିଲେ ଶିକ୍ଷକ, ଆଜି କିନ୍ତୁ ଭିକ୍ଷୁକ ! କ୍ଲାସରେ ଗଣିତ କଷୁଥିଲେ ଶିକ୍ଷୟତ୍ରୀ ଆଜି ଜୀବନ ଗଣିତର ଦୋଛକିରେ

88

ଅନ୍ଧାରରୁ ଆଲୋକକୁ ଆଣିବାରେ ତାଙ୍କର ଥାଏ ମୁଖ୍ୟ ଭୂମିକା । ଦେଶରେ ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ ତଥା ଦେଶ ନିର୍ମାଣରେ ତାଙ୍କର ଥାଏ ପ୍ରଚ୍ଛନ୍ନ ହାତ । ସେ ହେଉଛନ୍ତି ‘ଗୁରୁ’ । ସେ ହିଁ ବ୍ରହ୍ଣା, ବିଷ୍ଣୁ ଓ ମହେଶ୍ୱର । ଛାତ୍ରଟିଏ ଦେଖିଦେଲେ ଭକ୍ତିପୂତ ଭାବେ ତାଙ୍କ ପାଦତଳେ ମଥାନତ କରିଥାଏ । ଆଉ ସିଏ ଯଦି ରାସ୍ତାରେ ଭିକ ମାଗିବ ତାକୁ କଣ କୌଣସି ଛାତ୍ର ସହିପାରିବ ନା ବରଦାସ୍ତ କରିପାରିବ ? ଏଭଳି ଏକ ଘଟଣାକୁ ନେଇ କେରଳରେ ଚର୍ଚ୍ଚା ଜୋର ।

ନଭେମ୍ବର ୫ତାରିଖ ଦିନ ଜଣେ ସରକାରୀ କର୍ମଚାରୀ ବିଦ୍ୟା ଏମ.ଆର ଜଣେ ସାଙ୍କଙ୍କୁ ଥାମ୍ପାନୁର ରେଲୱେ ଷ୍ଟେସନ ନିକଟରେ ଅପେକ୍ଷା କରିଥିଲେ । ସେହି ସମୟରେ ଜଣେ ଅନେକ ଦିନ ଧରି ସଫା ହୋଇନଥିବା ମଇଳା ଲୁଗାପିନ୍ଧା ସ୍ତ୍ରୀଲୋକ ହାତରେ ପଲିଥିନ ଧରିଥିବାର ଦେଖିଲେ । ବିଦ୍ୟା ତାଙ୍କ ପଛରେ ଯାଇ ଦେଖିଲେ ସେ ଗଛରୁ ଫଳତୋଳି ଖାଉଛନ୍ତି । ବିଦ୍ୟା ତାଙ୍କୁ ପଚାରିଥିଲେ , ‘ଆପଣଙ୍କୁ ଭୋକ ଲାଗୁଛି’ ?
ମଇଳା ଲୁଗା ପିନ୍ଧିଥିବା ମହିଳା ଜଣକ ଉତ୍ତରଦେଇଥିଲେ ‘ ନାଁ ’ ତଥାପି ବିଦ୍ୟା ତାଙ୍କ ପାଇଁ ଇଡଲି ଓ ବରା ଆଣିଥିଲେ । ମହିଳା ଜଣକ ଖାଇସାରିବା ପରେ ବିଦ୍ୟା ତାଙ୍କ ସହ କଥାବାର୍ତ୍ତା କରିଥିଲେ ଓ କିଛି ପ୍ରଶ୍ନ ପଚାରିଥିଲେ । ତାଙ୍କର କଥାବାର୍ତାରୁ ଲାଗୁଥିଲା ସେ ଜଣେ ଶିକ୍ଷିତ ମହିଳା ।ଏବଂ ବିଦ୍ୟା ଜାଣିବାକୁ ପାଇଥିଲେ ସେ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ।

ତାଙ୍କ ବିଷୟରେ ଓ ସେ ପଢାଇଥିବା ମାଲାପୁରମ ସ୍କୁଲ ବିଷୟରେ ସୋସିଆଲ ପେଜରେ ପୋଷ୍ଟ କରିଦେଇଥିଲେ । ତାପରେ ବଦଳି ଯାଇଥିଲା ସମସ୍ତ ଘଟଣା । ଠୋପେଠୋପେ ପାଣି ମିଶି ଯେପରି ସମୁଦ୍ର ପାଲଟିଯାଏ ସେହିପରି ତାଙ୍କ ଛାତ୍ରଛାତୀମାନେ ତାଙ୍କୁ ଚିହ୍ନିପାରିଥିଲେ ଓ ଜାଣିପାରିଥିଲେ ସେ ହେଉଛନ୍ତି ତାଙ୍କର ଗଣିତ ଶିକ୍ଷୟତ୍ରୀ ।

ଶିକ୍ଷୟତ୍ରୀଙ୍କ ନିକଟକୁ ଛୁଟିଲା ସହାୟତାର ସୁଅ । କିନ୍ତୁ ଗୁରୁ କଣ କେବେ ତା ସ୍ୱାଭିମାନ ହରାଇପାରେ ? ନାଁ ଛାତ୍ରଛାତ୍ରୀଙ୍କ ନିକଟରୁ କିଛି ପାଇବା ଆଶା ଥାଏ । ସେଥିପାଇଁ ତ ସେ ଗୁରୁ । କିନ୍ତୁ ସ୍ୱାଭିମାନୀ ଶିକ୍ଷୟତ୍ରୀ ଛାତ୍ରଙ୍କ ସହ ଯିବା ପାଇଁ ମନାକରିବା ସହ ତାଙ୍କ ସ୍ୱାମୀ ଓ ପୁ୍ଅଙ୍କ ସହ ରହିବା ପାଇଁ ଜିଦ କରିଥିଲେ । ଇତିମଧ୍ୟରେ ଏନେଇ ପୋଲିସକୁ ଜଣାଯାଇଛି । ଏନେଇ ଏକ କେସ ମଧ୍ୟ କରାଯାଇଛି । ପୋଲିସ ଗଣିତ ଶିକ୍ଷୟତ୍ରୀଙ୍କ ଭଉଣୀକୁ ଚିହ୍ନ ଟ କରିଥିବା ବେଳେ ତାଙ୍କ ପୁଅ ସ୍ୱାମୀଙ୍କୁ ଖୋଜୁଛି ।

ତେବେ ଆଜିର ଯୁଗରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପ୍ରତି ବି ଭକ୍ତି ରହିଛି । ସମ୍ମାନ ରହିଛି ନିଜର ପ୍ରିୟ ଶିକ୍ଷୟତ୍ରୀହ୍କ ପ୍ରତି । ଯାହା ଦେଖାଇଛନ୍ତି ତାଙ୍କର ଅଗଣିତ ଛାତ୍ରଛାତ୍ରୀ । ଗଣିତ ଶିକ୍ଷୟତ୍ରୀଙ୍କ ପ୍ରତି ଛାତ୍ରଛାତ୍ରୀଙ୍କ ଭଲ ପାଇବା ନିଶ୍ଚିତ ଭାବେ ପ୍ରଶଂସନୀୟ ।