ଜେଲ୍ ଗଲେ ଜଷ୍ଟିସ କର୍ଣ୍ଣନ ! ସୁପ୍ରିମ କୋର୍ଟରେ ଜାମିନ ଆବେଦନ ଖାରଜ

29

କନକ ବ୍ୟୁରୋ : କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ କର୍ଣ୍ଣନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଆଜି ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କୁ ନେଇ ଗଠିତ ଗ୍ରୀଷ୍ମ ଅବକାଶକାଳୀନ ଖଣ୍ଡପୀଠ ଜାମିନ ଆବେଦନକୁ ଅଗ୍ରାହ୍ୟ କରିବା ସହ ପୂର୍ବରୁ ସାତଜଣିଆ ଖଣ୍ଡପୀଠ ପ୍ରଦାନ କରିଥିବା ୬ମାସର ଜେଲ ଦଣ୍ଡାଦେଶକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ରାୟ ବିରୋଧରେ ଖଣ୍ଡପୀଠ କୌଣସି ଶୁଣାଣି କରିପାରିବେ ନାହିଁ । ଖଣ୍ଡପୀଠ ନିଜର ନ୍ୟାୟିକ ଅନୁଶାସନକୁ ପାଳନ କରିବେ। ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ପାଇଁ କର୍ଣ୍ଣନଙ୍କୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି । ଜାମିନ ନାମଞ୍ଜୁର ହେବାପରେ ତାଙ୍କୁ କୋଲକାତାର ପ୍ରେସିଡେନସି ଜେଲକୁ ପଠାଇ ଦିଆଯାଇଛି । ଅଦାଲତ ଅବମାନନା ମାମଲାରେ କର୍ଣ୍ଣନଙ୍କୁ ଦୋଷୀ ସାବ୍ୟସ୍ତ କରି ସୁପ୍ରିମ କୋର୍ଟ ଗତ ମେ ୯ ତାରିଖରେ ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ଜେଏସ୍‌ ଖେହରଙ୍କୁ ନେଇ ଗଠିତ ସାତ ଜଣିଆ ଖଣ୍ଡପୀଠ କର୍ଣ୍ଣନଙ୍କୁ ସୁପ୍ରିମ କୋର୍ଟ, ନ୍ୟାୟାଧୀଶ ଓ ନ୍ୟାୟିକ ବ୍ୟବସ୍ଥାର ଅବମାନନା ନେଇ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ପରେ କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଫେରାର ହୋଇଯାଇଥିଲେ । ଏହି ସମୟରେ ସେ ଜୁନ ୧୨ ତାରିଖରେ ଅବସର ଗ୍ରହଣ କରିଥିଲେ । ଦୀର୍ଘ ଏକମାସରୁ ଉର୍ଦ୍ଧ୍ୱ ସମୟ ପରେ ଗତକାଲି ତାଙ୍କୁ କୋଏମ୍ବାଟୁରରୁ ଗିରଫ କରାଯାଇଥିଲା । କୌଣସି ହାଇକୋର୍ଟ ବିଚାରପତିଙ୍କୁ ଦଣ୍ଡାଦେଶ ଭାରତୀୟ ନ୍ୟାୟପାଳିକା ଇତିହାସେରେ ପ୍ରଥମ ଘଟଣା ।