ଆମ କଲେଜ ଆମ ନେତା ! ରମାଦେବୀ ଓ ରେଭେନ୍ସାରେ ଭାଙ୍ଗିଲା ବିଜେଡିର ଗଡ

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଜି ଛାତ୍ର ସଂସଦ ନିର୍ବାଚନର ଫଳ ପ୍ରକାଶ ପାଇଛି। ବିବାଦ ଭିତରେ ବାଣୀବିହାର ନିର୍ବାଚନ ଜିତିଲେ ବିଜୁ ଛାତ୍ର ଜନତା ଦଳ ସମର୍ଥୀତ ପ୍ରାର୍ଥୀ ମହେଶ ପ୍ରସାଦ । ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କୁ ୪ଶହରୁ ଅଧିକ ଭୋଟ ବ୍ୟବଧାନରେ ସେ ହରାଇ ଦେଇଛନ୍ତି । ଛାତ୍ର କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ଅଶୋକ ନାୟକ ଓ ଏବିଭିପି ସମର୍ଥୀତ ପ୍ରାର୍ଥୀ ଗାୟତ୍ରୀ ଶତପଥୀଙ୍କୁ ପଛରେ ପକାଇ ସେ ବାଜି ମାରିନେଇଛନ୍ତି ।

ସେହିପରି ସାଧାରଣ ସଂପାଦକ ପଦରେ ମଧ୍ୟ ବିଜୟୀ ହୋଇଛନ୍ତି ବିସିଜେଡି ସମର୍ଥୀତ ପ୍ରାର୍ଥୀ । ଇପ୍ସିତା ସାହୁ ବାଣୀବିହାର ସାଧାରଣ ସଂପାଦିକା ନିର୍ବାଚିତ ହୋଇଛନ୍ତି । ଗୋଟିଏ ବର୍ଷର ବ୍ୟବଧାନ ପରେ ବିଶ୍ୱବିଦ୍ୟାଳୟରେ ଭୋଟ ପଡିଥିବାବେଳେ ମହେଶଙ୍କ ବିରୋଧରେ ଅପରାଧୀକ ମାମଲା ଥିବା ଅଭିଯୋଗ ବି ଆଣିଥିଲେ ପ୍ରତିପକ୍ଷ । ଏନେଇ ଆଡଭୋକେଟ ଜେନେରାଲଙ୍କ ମତାମତ ଲୋଡାଯାଇଥିଲା । ଏଜିିଙ୍କ ମତାମତ ମିଳନଥିଲେ ମଧ୍ୟ ଆଜି ଭୋଟ ପଡିଥିଲା । ସଂଧ୍ୟା ୬ଟା ସୁଦ୍ଧା ଗଣତି ଶେଷ ହୋଇ ମହେଶ ପ୍ରସାଦ ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଛନ୍ତି।

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ କିନ୍ତୁ ବାଜିମାତ କରିଛନ୍ତି ଅଣ ବିଜେଡି ଛାତ୍ର । ୪୩୨ ଖଣ୍ଡ ଭୋଟରେ ଲଲାଟ କେଶରୀ ଦାସ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱି ବିସିଜେଡି ସମର୍ଥୀତ ପ୍ରାର୍ଥୀ ଦେବାଶିଷ ତରାଇଙ୍କୁ ହରାଇ ଦେଇଛନ୍ତି । ଲଲାଟଙ୍କୁ ୧୯ଶହ ୩୨ ଖଣ୍ଡ ଭୋଟ ମିଳିଥିବାବେଳେ ଦେବାଶିଷଙ୍କୁ ୧୫ଶହ ଭୋଟ ମିଳିଛି। ସଂପାଦକ ପଦ କିନ୍ତୁ ବଜାୟ ରଖିଛନ୍ତି ବିସିଜେଡି ସମର୍ଥୀତ ପ୍ରାର୍ଥୀ ।

ସୁବ୍ରତ କୁମାର ଶତପଥୀ ମୋଟ ୧୫ଶହ ୫୮ ଖଣ୍ଡ ଭୋଟ ପାଇ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱି ଏବିଭିପି ସମର୍ଥୀତ ଚିରଞ୍ଜୀବି ପଣ୍ଡାଙ୍କୁ ହରାଇ ଦେଇଛନ୍ତି। ଚିରଞ୍ଜୀବିଙ୍କୁ ୧୨ଶହ ୪୧ ଖଣ୍ଡ ଭୋଟ ମିଳିଛି । ଫଳାଫଳ ଘୋଷଣା ହେବା ପରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ। ବିଜୟୀ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ବିଜୟ ଉତ୍ସବ ପାଳନ କରିଛନ୍ତି। ଆସନ୍ତାକାଲି ନିର୍ବାଚିତ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିବେ।

ସେହିପରି ରମାଦେବୀରେ ମଧ୍ୟ ବିସିଜେଡିକୁ ଲାଗିଛି ଶକ୍ତ ଧକ୍କା । ଏଠାରେ ବିସିଜେଡିକୁ ମାତ ଦେଇଛି ଷ୍ଟୁଡେଂଟ ଭଏସ । ଅନସୂୟା ତ୍ରିପାଠୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସାଧାରଣ ସଂପାଦିକା ଭାବେ ନିର୍ବାଚତି ହୋଇଛନ୍ତି ସଂଗୀତା ପଣ୍ଡା । ଅନସୂୟା ୩୮ ଖଣ୍ଡ ଭୋଟରେ ଓ ସଂଗୀତା ପଣ୍ଡା ୫୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିରାଟ ଶୋଭାଯାତ୍ରାରେ ବାହାରିବା ସହିତ ବିଜୟୀ ପ୍ରାର୍ଥୀମାନେ ବାଜା ବଜାଇ, ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି।