ରାଜଧାନୀର ୫ ପ୍ରମୁଖ ରାସ୍ତାରେ ବିବାହ ଶୋଭାଯାତ୍ରା ବନ୍ଦ ! ଏୟାରପୋର୍ଟରୁ ଏଜି, ରାଜଭବନ ଛକରୁ କିଟ, ବାଣୀବିହାରରୁ ଶିଶୁଭବନ ଓ ରସୁଲଗଡରୁ ରବିଟକିଜ ଛକ ଯାଏଁ ବରଯାତ୍ରା ବାରଣ

40

କନକ ବ୍ୟୁରୋ : ରାଜଧାନୀର ୫ ପ୍ରମୁଖ ରାସ୍ତାରେ ବିବାହ ଶୋଭାଯାତ୍ରା ବନ୍ଦ । ୫ଟି ରାସ୍ତାରେ ବିବାହ ଶୋଭାଯାତ୍ରା ବନ୍ଦ କରିଛି କମିଶନରେଟ ପୋଲିସ । କଟକଣା ଲାଗୁ ହୋଇଥିବା ରାସ୍ତାଗୁଡିକ ହେଲା ଏୟାରପୋର୍ଟ କ୍ରସିଂରୁ ଭାୟା ଏଜି ଛକ ଦେଇ ଆଚାର୍ଯ୍ୟ ବିହାର, ରାଜଭବନ ଛକରୁ କିଟ ଛକ, କଳ୍ପନାରୁ ରାଜଭବନ ଛକ, ବାଣୀବିହାରରୁ ଶିଶୁଭବନ ଓ ରସୁଲଗଡରୁ ରବି ଟକିଜ ଛକ । ଏ ନିୟମକୁ ଯିଏ ବେଖାତିର କରିବ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅର୍ବାନ ଟ୍ରାଫିକ ପୋଲିସ ଆକ୍ଟ ୨୦୦୩ ରେଗୁଲେସନ ଅନୁସାରେ ଏହି କଟକଣା ଜାରି ହୋଇଛି ।

ବାହାଘର ଶୋଭାଯାତ୍ରା ବେଳେ ଡିଜେ ଓ ବରଯାତ୍ରୀଙ୍କ ସହିତ ଘରୋଇ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିବା ବାଧ୍ୟତାମୂଳକ ହେବ । ଆସନ୍ତା ଫେବୃଆରୀ ୧ ତାରିଖରୁ ଏହି ରାସ୍ତାରେ ବିବାହ ଶୋଭାଯାତ୍ରା ଲାଗି ଅନୁମତି ମିଳିବ ନାହିଁ । ଏହା ପୂ ର୍ବରୁ ଯେଉଁମାନେ ଅଗ୍ରୀମ ନେଇଥିବେ ସେମାନେ ହିଁ ବାହାଘର କରିପାରିବେ । ପୂର୍ବରୁ ହାଇକୋର୍ଟ ରେଳଷ୍ଟେସନ, ବସଷ୍ଟାଣ୍ଡ, ବିମାନବନ୍ଦର ଓ ହସ୍ପିଟାଲ ରାସ୍ତା ସହ ସଂଯୋଗ ତଥା ସାଧାରଣ ଲୋକଙ୍କ ଯାତାୟତ କରୁଥିବା ସହରର ମୁଖ୍ୟ ରାସ୍ତାରେ ବିବାହ ଶୋଭାଯାତ୍ରା ବନ୍ଦ ପାଇଁ ଅନୁମତି ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି କମିଶନରେଟ ପୋଲିସ ଏହି ପଦକ୍ଷେପ ନେଇଛି ।