କାହିଁକି ଆଭିମୁଖ୍ୟ ବଦଳାଇଲା ଭାରତ ? କାଶ୍ମୀର ପ୍ରସଙ୍ଗରେ କାହିଁକି ହେଲା ତୃତୀୟ ପକ୍ଷର ହସ୍ତକ୍ଷେପ ? ୟୁରୋପୀୟ ସାଂସଦଙ୍କ ଗସ୍ତକୁ କାହଁକି ଅନୁମତି ଦେଲେ ମୋଦି ସରକାର ?

682

କନକ ବ୍ୟୁରୋ : ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଲା । ବିଚ୍ଛିନ୍ନତାବାଦୀଙ୍କୁ ହାତ କରି ଅସ୍ଥିରତା ସୃଷ୍ଟି କରୁଥିବା ପାକିସ୍ତାନର ପ୍ରଭାବ ଶେଷ କରିବାକୁ ସବୁଠାରୁ ବଡ ପଦକ୍ଷେପ ନେଲେ ମୋଦି ସରକାର । ଘାଟିକୁ ଆତଙ୍କବାଦମୁକ୍ତ କରିବା ପାଇଁ କଡା ସୁରକ୍ଷା ଭିତରେ ଏହାକୁ ରଖାଗଲା । ଅପରେସନ ଅଲଆଉଟ ଜୋରଦାର ହେଲା । ସୀମାରେ ଅନୁପ୍ରବେଶ ରୋକିବାକୁ କଡା ପଦକ୍ଷେପ ନେଲା ସେନା । ଯାହା ପାକିସ୍ତାନକୁ ବିଚଳିତ କରିପକାଇଲା । ଜାମ୍ମୁ-କାଶ୍ମୀରରେ କର୍ତୃତ୍ୱ କମିଯାଉଥିବା ଦେଖି ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ଲାଗି ଜୋରଦାର ପ୍ରୟାସ କଲା ଇସଲାମାବାଦ । ଆଉ କାଶ୍ମୀର ହତାଶାରେ ବିଚଳିତ ହୋଇ ପାକିସ୍ତାନ,

– ଭାରତ ସହ ସମସ୍ତ କୁଟନୈତିକ ସଂପର୍କ ଛିନ୍ନ କରିଛି
– ଦ୍ୱିପାକ୍ଷିକ ବାଣିଜ୍ୟ କରାବାରକୁ ବାତିଲ କରିଦେଇଛି
– ବସ୍ ଓ ଟ୍ରେନ୍ ସେବାକୁ ବାତିଲ କରି ଦିଆଯାଇଛି
– ଭାରତୀୟ ବିମାନ ପାଇଁ ବନ୍ଦ କରିଛି ତାର ବାୟୁସୀମା
– କାଶ୍ମୀର ପ୍ରସଙ୍ଗ ଜାତିସଂଘରେ ଉଠାଇଛନ୍ତି ଇମ୍ରାନ ଖାନ୍
– ତୃତୀୟ ପକ୍ଷ ମଧ୍ୟସ୍ଥତା ପାଇଁ ଚେଷ୍ଟା ଚଳାଇଛି ଇସଲାମାବାଦ

ଜାତିସଂଘର ହସ୍ତକ୍ଷେପଠାରୁ ଆରମ୍ଭ କରି ଚୀନ୍ ଓ ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଅଗ୍ରାହ୍ୟ କରିଆସିଛି ନୂଆଦିଲ୍ଲୀ । ଜାମ୍ମୁ-କାଶ୍ମୀରକୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ କହି କୌଣସି ତୃତୀୟ ପକ୍ଷ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ବାରମ୍ବାର ବିବୃତି ଦେଇଛି ଭାରତ ।

ହେଲେ ଜାମ୍ମୁ-କାଶ୍ମୀରରେ ୟୁରୋପୀୟ ସଂଘର ପ୍ରତିନିଧି ମଣ୍ଡଳିଙ୍କ ଗସ୍ତ ଭାରତର କାଶ୍ମୀର ଆଭିମୁଖ୍ୟକୁ ପୁଣି ପ୍ରଶ୍ନ ଘେରରେ ଛିଡା କରିଛି । ଯଦି ଭାରତ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ବରଦାସ୍ତ କରିବ ନାହିଁ, ତାହାହେଲେ ଏହି ପ୍ରୟାସ କାହିଁକି ଓ କାହା ସ୍ୱାର୍ଥରେ ହୋଇଛି ? ହେଉପଛେ ୟୁରୋପୀୟ ସଂଘ ସାଂସଦଙ୍କ ବ୍ୟକ୍ତିଗତ ଗସ୍ତ, ଏଥିପାଇଁ କାହିଁକି ଅନୁମତି ଦେଲେ ମୋଦି ସରକାର ? ସରକାରଙ୍କ ବିନା ଅନୁମତିରେ ସୁରକ୍ଷା ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଏକ କ୍ଷେତ୍ରରେ ସ୍ଥିତି ପରିଦର୍ଶନ ପାଇଁ କିଏ ବ୍ୟବସ୍ଥା କଲା? କେନ୍ଦ୍ର ସରକାରଙ୍କ ଅନୁମତି ବିନା ଓ ଜାମ୍ମୁ-କାଶ୍ମୀର ପ୍ରଶାସନର ସହଯୋଗ ବିନା ଏହା ସମ୍ଭବ କି ?

ପାକିସ୍ତାନ ପ୍ରୟାସରେ ଓ ଚୀନର ସହାୟତାରେ ଯେତେବେଳେ ଜାତିସଂଘ ସୁରକ୍ଷା ପରିଷଦରେ ଜାମ୍ମୁ-କାଶ୍ମୀରକୁ ନେଇ ଚର୍ଚ୍ଚା ହେଲା, ସେତେବେଳେ ଭାରତ ଅବିଚଳିତ ଥିଲା । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାଶ୍ମୀର ବିରୋଧୀ ଆଭିମୁଖ୍ୟ ଭାରତର ନେତାମାନଙ୍କୁ ଆଦୌ ପ୍ରଭାବିତ କରିନଥିଲା । ହେଲେ ଏବେ କଣ ହେଲା ?
ଏବେ ଏମିତି କଣ ହେଲା ଯେ, ଭାରତ ଚାହୁଁ ବା ନଚାହୁଁ ତାର ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ ହେଲା ? ଏଥିପାଇଁ ଭାରତ ଉପରେ କାହାର ଚାପ ରହିଛି କି ?

– ୟୁରୋପୀୟ ସଂଘରେ ରହିଛି ୭୫୧ ଆସନ
– ଏଥିରେ ନିକଟରେ ୭୩ ସାଂସଦ ମିଶି ଏକ ସମୁହ ଗଢିଛନ୍ତି
– ଏହି ସାଂସଦମାନେ ସମସ୍ତେ କଠୋର ଦକ୍ଷିଣପନ୍ଥୀ
– ୟୁରୋପୀୟ ସଂଘରେ ଏହା ପଂଚମ ସର୍ବବୃହତ ସମୁହ
– ଭାରତ ଆସିଥିବା ୨୭ ସାଂସଦଙ୍କ ମଧ୍ୟରୁ ଅଧିକାଂଶ ଏହି ସମୁହର ସଦସ୍ୟ
– ୨୨ ସାଂସଦ ଫାର ରାଇଟ୍ ବା କଠୋର ଦକ୍ଷିଣପନ୍ଥୀ ଦଳର ସଦସ୍ୟ

କୁହାଯାଉଛି ଭାରତ ଗସ୍ତରେ ଆସି ଜାମ୍ମୁ-କାଶ୍ମୀରରେ ସ୍ଥିତି ପରଖିଥିବା ସାଂସଦମାନଙ୍କ ଦଳର ଆଭିମୁଖ୍ୟରେ ଅନେକ ରକ୍ଷଣଶୀଳତା ରହିଛି । ମୁସଲମାନ ବିରୋଧୀ, ଶରଣାର୍ଥୀ ବିରୋଧୀ ଓ ଗର୍ଭପାତକୁ ଅପରାଧ ବୋଲି ବିଚାର କରୁଥିବା ଦଳର ସଦସ୍ୟ ଏହି ସାଂସଦ ପ୍ରତିନିଧି ଦଳରେ ଅଛନ୍ତି । ତେଣୁ ଏମାନେ ବିଶ୍ୱକୁ ଜାମ୍ମୁ-କାଶ୍ମୀରର କେଉଁ ସତ ବାବଦରେ ଅବଗତ କରିବେ ?